ସାରା ଦେଶରୁ ଆସୁଛି ରାମଲାଲାଙ୍କ ପାଇଁ ବିଭିନ୍ନ ଉପହାର, ଉତ୍ସବମୁଖର ଅଯୋଧ୍ୟା ନଗରୀ

ଦିନକ ପରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଅବସରରେ ରାମ ମନ୍ଦିର ପାଇଁ ଦେଶର ସବୁ ସ୍ଥାନରୁ ରାମଲାଲାଙ୍କ ପାଇଁ ଅନେକ ଉପହାର ଆସୁଛି । ତେବେ ଏହି ସବୁ ଉପହାର ମଧ୍ୟରେ କେବଳ ଗୋଟିଏ ହି ସମାନତା ରହିଛି ଏବଂ ତାହା ହେଉଛି ଭଗବାନ ଶ୍ରୀରାମଙ୍କର ପ୍ରତି ଦେଶବାସୀଙ୍କ ଭକ୍ତି ।

ଉତ୍ସବମୁଖର ଅଯୋଧ୍ୟା ନଗରୀ । ଦିନକ ପରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସବୁଠି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ରାମ ମନ୍ଦିର ପାଇଁ ଦେଶର ସବୁ ସ୍ଥାନରୁ ରାମଲାଲାଙ୍କ ପାଇଁ ଅନେକ ଉପହାର ଆସୁଛି । ଉପହାରରେ କିଏ ଲକ୍ଷ ଲକ୍ଷ ଟଙ୍କା ଦେଉଛି ତ କିଏ ସୁନାର ଧନୁ ତୀର ପ୍ରଦାନ କରୁଛନ୍ତି । ଏହା ମଧ୍ୟରେ ରାମଲାଲାଙ୍କୁ ଅର୍ପଣ କରିବା ପାଇଁ ଏକ ବିଶାଳ ଲଡୁ ତିଆରି କରାଯାଇଛି ।  ୧୨୬୫ କେଜି ଅର୍ଥାତ୍ ୧୨ କ୍ଵିଣ୍ଟାଲ ୬୫ କିଲୋ ଓଜନର ଏହି ଲଡୁ ପ୍ରସାଦ ହାଇଦ୍ରାବାଦରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ।

ଶ୍ରୀରାମ କ୍ୟାଟରିଂ ସର୍ଭିସର ମାଲିକ ନାଗଭୂଷଣମ ରେଡୀ ଏହି ଲଡୁ ତିଆରି କରିଛନ୍ତି । ତାଙ୍କ ସହ ୨୫ ଜଣ ମିଶି ଲଡୁ ତିଆରିରେ ସହଯୋଗ କରିଥିଲେ । ଲଡୁ ତିଆରି ପାଇଁ ତିନି ଦିନ ଲାଗିଥିଲା । ଏହି ଲଡୁଟି ଏମିତି ପ୍ରସ୍ତୁତ ହୋଇଛି ଯାହା ଏକ ମାସ ପର୍ଯ୍ୟନ୍ତ ତାଜା ରହି ପାରିବ ବୋଲି ନାଗଭୂଷଣମ କହିଛନ୍ତି । ସେ କହିଛନ୍ତି ଭଗବାନ ଶ୍ରୀରାମ ତାଙ୍କ ପରିବାର ଉପରେ ଅନେକ କୃପା କରିଛନ୍ତି ସେଥିପାଇଁ ସେ ବଞ୍ଚିଥିବା ଯାଏ ପ୍ରଭୁ ଶ୍ରୀରାମଙ୍କ ପାଇଁ ପ୍ରତିଦିନ ୧ କେଜିର ଗୋଟିଏ ଲଡୁ ତିଆରି କରିବେ ।

ସେହିପରି ଆଲିଗଡ଼ରୁ ଆସିଛି ବିଶ୍ୱର ସର୍ବବୃହତ ତାଲା । ଏହାର ଓଜନ ୪ଶହ କେଜି । ଆଲିଗଡ଼ର ସତ୍ୟ ପ୍ରକାଶ ଶର୍ମା ଓ ତାଙ୍କ ପତ୍ନୀ ରୁକ୍ମିଣୀ ଶର୍ମା ୨ ବର୍ଷ ଧରି ଏହି ତାଲା ତିଆରି କରିଥିଲେ । ତେବେ ଗତ କିଛି ଦିନ ପୂର୍ବରୁ ସତ୍ୟ ପ୍ରକାଶ ଶର୍ମାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଶେଷ ଇଚ୍ଛା ଥିଲା ଏହି ତାଲାକୁ ଅଯୋଧ୍ୟା ରାମ ମନ୍ଦିରକୁ ଉପହାରରେ ଦିଆଯାଉ । ଅଯୋଧ୍ୟା ରାମ ମନ୍ଦିରରେ ଏହି ତାଲାକୁ ସେମାନେ ଦାନ କରିବେ । ଏଥିପାଇଁ ଆଲିଗଡ଼ରୁ ଏକ ଟ୍ରକରେ ଏହି ବିଶାଳ ତାଲାକୁ ଅଣାଯାଇଛି ।

ତେବେ ଏହି ସବୁ ଉପହାର ମଧ୍ୟରେ କେବଳ ଗୋଟିଏ ହି ସମାନତା ରହିଛି ଏବଂ ତାହା ହେଉଛି ଭଗବାନ ଶ୍ରୀରାମଙ୍କର ପ୍ରତି ଦେଶବାସୀଙ୍କ ଭକ୍ତି । ଏପଟେ ଅଯୋଧ୍ୟାରେ ଲତା ମଙ୍ଗୋସକର ଛକରେ ୪୦ ଫୁଟ ଲମ୍ବର ବୀଣା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ବୀଣାର ଓଜନ ୧୪ ଟନ । ଅଯୋଧ୍ୟା ଆସୁଥିବା ଲୋକଙ୍କ ଏହି ବୀଣା ପାଖରେ ଘଡ଼ିଏ ଅଟକି ଯାଉଛନ୍ତି । ଏହାର ଦୃଶ୍ୟ ବେଶ ମନମୁଗ୍ଧକର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.