ଘର ବାହାରେ ଝାଡ଼ୁ କରୁଥିଲେ ବୃଦ୍ଧା ମହିଳା, କାର୍‌ ଚଢ଼ାଇ ଦେଲେ ପଡ଼ୋଶୀ ଯୁବକ; ଛଟପଟ ହୋଇ ଚାଲିଗଲା ପ୍ରାଣ

ପୂର୍ବ ଦିଲ୍ଲୀର ଗୀତା କଲୋନୀ ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୬୫ ବର୍ଷୀୟା ଜଣେ ମହିଳା ଘର ବାହାରେ ଝାଡ଼ୁ କରୁଥିବା ବେଳେ ଏକ କାର୍‌ ଧକ୍କାରେ ପ୍ରାଣ ହରାଇଛନ୍ତି ।

ପୂର୍ବ ଦିଲ୍ଲୀର ଗୀତା କଲୋନୀ ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୬୫ ବର୍ଷୀୟା ଜଣେ ମହିଳା ଘର ବାହାରେ ଝାଡ଼ୁ କରୁଥିବା ବେଳେ ଏକ କାର୍‌ ଧକ୍କାରେ ପ୍ରାଣ ହରାଇଛନ୍ତି । ଖବରରୁ ଜଣାପଡ଼ିଛି ଯେ ପଡୋଶୀଙ୍କ କାର୍‌ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା ।

ପୋଲିସ ସୂଚନା ମୁତାବକ, ଜାନକୀ କୁମାରୀ ନାମ୍ନୀ ମହିଳା ସକାଳ ପ୍ରାୟ ୯ଟାରେ ତାଙ୍କ ଘର ବାହାରେ ଝାଡ଼ୁ କରୁଥିଲେ । ଏହି ସମୟରେ ୨୫ ବର୍ଷୀୟ ମୁକୁଲ ରାଠୋଡ ତାଙ୍କ ଉପରେ କାର୍‌ ମଡ଼ାଇ ଦେଇଥିଲେ । ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିରେ ଦେଖାଯାଉଛି କି, ମହିଳାଙ୍କୁ କାର୍‌ ଧକ୍କା ଦେବା ପରେ ସେ କିଛି ବାଟ ଉପରକୁ ଉଠି ତଳେ ପଡ଼ୁଛନ୍ତି, ଯାହାପରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟୁଛି ।

ପୋଲିସ କହିଛି ଯେ କାର୍‌ରେ ମୁକୁଲଙ୍କ ସହ ତାଙ୍କର ଦୁଇ ଭଉଣୀ ମଧ୍ୟ ଥିଲେ । ପ୍ରାୟ ୪୭ ସେକେଣ୍ଡର ଏହି ଫୁଟେଜ୍‌ରେ ଯୁବକ ଏବଂ ତାଙ୍କ ଭଉଣୀମାନେ ଦୁର୍ଘଟଣାର ତୁରନ୍ତ ପରେ ମହିଳାଙ୍କୁ ଦେଖିବା ପାଇଁ କାରରୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ତେବେ ଘଟଣା ପରେ ଜାନକୀଙ୍କ ପରିବାର ଲୋକେ ଏବଂ ପଡ଼ୋଶୀ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଦୁର୍ଘଟଣା ପରେ ଫେରାର ଥିବା ଯୁବକ ସନ୍ଧ୍ୟାରେ ଧରାପଡ଼ିଥିବା ପୋଲିସ ସୂଚନା ଦେଇଛି । ଯାଞ୍ଚରୁ ଜଣାପଡ଼ିଛି ଯେ ଯୁବକ ଜଣକ ନିକଟରେ ଗାଡ଼ି ଚଲାଇବା ଶିଖିଥିଲେ । ସକାଳେ ସେ ଭଉଣୀମାନଙ୍କ ସହିତ ବଜାର ଯାଇଥିଲେ । ଫେରୁଥିବା ବେଳେ ସେ ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଘଟଣାରେ ମୃତକଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହିଳାଙ୍କ ସ୍ୱାମୀ, ପୁଅ ଏବଂ ଦୁଇ ଝିଅ ଅଛନ୍ତି । ପରିବାର ଲୋକେ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.