ସିମେଣ୍ଟ ଅଖାରେ ୱେଡିଙ୍ଗ ଗାଉନ୍ ତିଆରି କରି ପିନ୍ଧିଲେ ଏହି ମହିଳା ଚାଷୀ, ସୋସିଆଲ ମିଡିଆରେ ଛାଇଗଲା ଫଟୋ

ଚୀନର ଜଣେ ମହିଳା ଚାଷୀ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ତାଙ୍କ କ୍ରିଏଟିଭିଟି ଯୋଗୁ ସେ ଚର୍ଚ୍ଚାରେ ରହିଛନ୍ତି। ୨୮ ବର୍ଷୀୟା ଲିଲି ୪୦ଟି ସିମେଣ୍ଟ ଅଖାରେ ନିଜ ପାଇଁ ୱେଡିଙ୍ଗ ଗାଉନ୍ ତିଆରି କରିଛନ୍ତି। ଏହି ସୁନ୍ଦର ୱେଡିଙ୍ଗ ଡ୍ରେସ୍‌ର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଲିଲିଙ୍କ ଘର ମରାମତି ହେଉଥିଲା। ତେଣୁ ଘରେ ଅନେକ ସିମେଣ୍ଟ ଅଖା ପଡ଼ିରହିଥିଲା। ଲିଲି ଫ୍ୟାଶନ ଡିଜାଇନିଙ୍ଗ୍ କୋର୍ସ କରିଥିବାରୁ ସେହି ସିମେଣ୍ଟ ଅଖାରେ ହିଁ ସେ ଏକ ଗାଉନ୍ ବନେଇ ଦେଇଥିଲେ। ତାଙ୍କ ପରିବାର ଅବସ୍ଥା ସ୍ୱଚ୍ଛଳ ନ ଥିଲା। ତେଣୁ ସେ ଅଧିକ ସମୟ କ୍ଷେତ କାମରେ ହିଁ ବିତାଇ ଥାଆନ୍ତି। ତଥାପି ତାଙ୍କ ଭିତରେ ଏହି ଟ୍ୟାଲେଣ୍ଟ ଲୁଚି ଯାଇ ନ ଥିଲା।

ପ୍ରକୃତରେ ଏହି ଗାଉନ୍ ବର୍ଷାରେ କ୍ଷେତ କାମ କରିବା ଉଦ୍ଦେଶ୍ୟରେ ବନାଯାଇଥିଲା। ମିଡିଆ ରିପୋର୍ଟରେ କୁହାଯାଇଥିଲା, ଲିଲି ବର୍ଷାରୁ ବର୍ତ୍ତିବା ପାଇଁ ଏହି ଗାଉନ୍ ତିଆରି କରୁଥିଲେ, କିନ୍ତୁ ପରେ ଏହାକୁ ୱେଡିଙ୍ଗ ଗାଉନ୍‌ର ରୂପ ଦେଇଦେଲେ। ଲିଲିଙ୍କ କହିବା ଅନୁସାରେ, ଏହି ଡ୍ରେସ୍ ଇଣ୍ଟରନେଟ୍‌ରେ ଏତେ ପପୁଲାର୍ ହୋଇଯିବ ବୋଲି ତାଙ୍କର ଆଶା ନ ଥିଲା। ଏହା ଚକିତ କଲା ଭଳି କଥା ଥିଲା। ୨୦୧୨ରେ ଲିଲିଙ୍କ ବିବାହ ହୋଇଥିଲା। ତାଙ୍କର ଏକ ପୁତ୍ର ସନ୍ତାନ ଅଛି।

ଏହାସହ ପଢ଼ନ୍ତୁ: ଏଠାରେ ଖୁବ୍‌ଶୀଘ୍ର ଉଡ଼ିବ ‘ଉଡ଼ନ୍ତା ଟ୍ୟାକ୍ସି’, ଆକାଶରେ ବୁଲି ମଜା ନେବେ ଯାତ୍ରୀ

ଏକ ମାଗାଜିନ୍‌ରେ ଲିଲି ଏଭଳି ଗାଉନ୍ ଦେଖିଥିଲେ। ସେଥିରୁ ଅନୁପ୍ରାଣିତ ହୋଇ ମାତ୍ର ୩ ଘଣ୍ଟା ଭିତରେ ସେ ଏହାକୁ ଡିଜାଇନ୍ କରିଥିଲେ। ଲିଲିଙ୍କର ଏହି ୱେଡିଙ୍ଗ ଗାଉନ୍‌କୁ ନେଇ ଏକ ଭିଡିଓ ମଧ୍ୟ ରହିଛି, ଯାହାକୁ ୫୦ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.