Below header

୨୦ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିଲେ ମହିଳା, ଉଦ୍ଧାର ହେବା ବେଳେ ଘରୁ ମିଳିଲା ପୁଳା ପୁଳା ସୁନା

କୁହାଯାଏ, ଧନ ଥିବା ବ୍ୟକ୍ତି କିଛି ବି କିଣିପାରିବ। କିନ୍ତୁ ପ୍ରକୃତ ସତ ହେଉଛି, ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ବ୍ୟକ୍ତି କେବେ ବି ଖୁସି ଓ ଆନନ୍ଦ କିଣିପାରିବ ନାହିଁ। ଏବେ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ରାଜକୋଟ୍‌ରେ। ଏଠାରେ ଏକ ଏନ୍‌ଜିଓ ସଂସ୍ଥା ରୁମ୍‌ରେ ବନ୍ଦ ଥିବା ଜଣେ ଏଭଳି ମହିଳାଙ୍କୁ ଉଦ୍ଧାର କରିଛନ୍ତି ଯିଏ ୨୦ ବର୍ଷ ହେଲା ସେଠାରେ ବନ୍ଦୀ ଥିଲେ।

ମହିଳାଙ୍କ ନାଁ ହେଉଛି କାଞ୍ଚନବେନ୍‌ ପିପଲିଆ। ୨୦ ବର୍ଷ ଧରି ରୁମ୍‌ରେ ବନ୍ଦ ଥିବାରୁ କାଞ୍ଚନଙ୍କର ଚୁଟି ବଢ଼ି ୮ ଫୁଟ୍‌ ଲମ୍ବା ହୋଇଯାଇଛି। ନଗ୍ନ ଅବସ୍ଥାରେ ରୁମ୍‌ରେ ବନ୍ଦ ଥିବା କାଞ୍ଚନଙ୍କ ବୟସ ୬୫ ବର୍ଷ ହେବ। ଅର୍ଥାତ୍‌, ତାଙ୍କୁ ଯେତେବେଳେ ୪୫ ବର୍ଷ ହୋଇଥିଲା ସେତେବେଳ ଠାରୁ ସେ ଏଠାରେ ବନ୍ଦୀ ଅଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କାଞ୍ଚନଙ୍କ ପାଖରୁ ୬୦ ତୋଳା ସୁନା ମଧ୍ୟ ମିଳିଛି।

କୁହାଯାଉଛି ଯେ, କାଞ୍ଚନ ଜଣେ ଧନୀ ପରିବାରର। ସେ ବିବାହ କରିନଥିଲେ। ପରିବାର ସହ ସେ ଏହି ତିନି ତାଲା କୋଠାରେ ରହୁଥିଲେ। ମାତ୍ର ପଡ଼ୋଶୀଙ୍କ ସହ ତାଙ୍କର କଳି ଝଗଡ଼ା ହେବାରୁ ସେ ନିଜକୁ ଗୋଟିଏ ରୁମ୍‌ରେ ବନ୍ଦୀ କରି ରଖିଥିଲେ। ପରିବାର ଲୋକେ କେବଳ ତାଙ୍କୁ ଖାଇବା ଦେଉଥିଲେ। କେହି ବି ତାଙ୍କ ରୁମ୍‌କୁ ଆସୁନଥିଲେ କି ସେ ମଧ୍ୟ ବାହାରକୁ ଯାଉନଥିଲେ। କିଛି ବର୍ଷ ପରେ ପରିବାର ଲୋକେ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଗଲେ। ଏହି ସମୟରେ କେବଳ ଜଣେ ପଡ଼ୋଶୀ ଆଣି ତାଙ୍କ ରୁମ୍‌ ବାହାରେ ଖାଇବା ରଖି ଦେଇ ଯାଉଥିଲେ। ସେ ୨୦ ବର୍ଷ ଧରି ଏଭଳି ବଞ୍ଚିଛନ୍ତି। ଶୀତ ଦିନରେ ବି ତାଙ୍କ ପାଖରେ ପିନ୍ଧିବା ପାଇଁ କୌଣସି ଶୀତବସ୍ତ୍ର ନ ଥିଲା। ଉକ୍ତ ସ୍ୱେଚ୍ଛାସେବୀ ସଂଗଠନ କାଞ୍ଚନଙ୍କ ପରିବାର ସହ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ତାଙ୍କୁ ଚିହ୍ନିବାକୁ ମନା କରିଦେଲେ। ଫଳରେ ତାଙ୍କୁ ଏବେ ସୁରତର ମାନବ ମନ୍ଦିର ଆଶ୍ରମକୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.