ଆମ ଭୋଟ୍‌ର କଣ କିଛି ଦାମ୍‌ ନାହିଁ, ତାଙ୍କୁ ଦଉଛ ଆମକୁ କାହିଁକି ଦଉନ ? ଉପନିର୍ବାଚନ ପୂର୍ବରୁ ଲୋକଙ୍କ ନାରା

ହାଇଦ୍ରାବାଦ : ସତରେ ଆଜ୍ଞା, ଆମ ଦେଶ ବେଶ୍‌ ପ୍ରଗତି କଲାଣି । ବିଭିନ୍ନ କ୍ଷେତ୍ରରେ ଯେତେବେଳେ ଆଗେଇ ଚାଲିଛି ସେଠି ଭୋଟ୍‌ଦାତା ବି କିଛି ନୂଆ କରିବା ମତଲବରେ ରହିଛନ୍ତି । ତେଣୁ ଏମିତି କିଛି କରିଛନ୍ତି ଯାହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଆଗରୁ ଭୋଟ୍‌ ପାଇବା ପାଇଁ ନେତାମାନେ ଲୁଚା ଚୋରାରେ ଭାଟରଙ୍କୁ ଟଙ୍କା ବାଣ୍ଟୁଥିଲେ । ଏକଥା କାହାକୁ ଅଛପା ନାହିଁ । ହେଲେ ଏବେ ଭୋଟରମାନେ ଖୋଲିଖୋଲି ଭାବେ ଟଙ୍କା ମାଗିବା ଆରମ୍ଭ କଲେଣି । ଟଙ୍କା ନଦେଲେ ଭୋଟ୍‌ ଦେବୁ ନାହିଁ କହିଲେଣି ।

ଏମିତି ଘଟଣା ଘଟିଛି ତେଲେଙ୍ଗାନା ହୁଜୁରାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ । ଏଠାକାର କମଲାପୁର ଆଞ୍ଚଳିକ କାର୍ଯ୍ୟାଳୟ ସାମନାରେ ଆଜି ଲୋକଙ୍କ ଭିଡ଼ ଜମିଥିଲା । ଏମାନଙ୍କ ଭିତରେ ଅନେକ ମହିଳା ମଧ୍ୟ ଥିଲେ । ସମସ୍ତେ ପାଟି କରି ନାରାବାଜି କରୁଥିଲେ । କହୁଥିଲେ, ନେତାମାନେ ଆପଙ୍କା ଭୋଟ୍‌ ବଦଳରେ ଟଙ୍କା ଦେବାକୁ କହିଥିଲେ । ହେଲେ ଏଯାଏ ଦେଇ ନାହାନ୍ତି ।

ସୂଚନା ଅନୁସାରେ, ଆସନ୍ତା ୩୦ ତାରିଖରେ ଏଠାରେ ଉପନିର୍ବାଚନ ହେବ । ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାର କରିଛନ୍ତି । ଏହି ସମୟରେ କୁଆଡ଼େ ସେମାନେ ବିଭିନ୍ନ ଜାଗାରେ ୮୦୦ରୁ ୧୫୦୦ ଟଙ୍କା ବାଣ୍ଟିଛନ୍ତି । ତେବେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକେ ଏହି ଟଙ୍କା ପାଇନଥିବା ଅଭିଯୋଗ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିତରେ କିଛି ମହିଳା କାନ୍ଦୁଥିବା ମଧ୍ୟ ଦେଖା ଯାଇଥିଲା । ସେମାନେ କହୁଥିଲେ ନେତାମାନେ ଟଙ୍କା ବାଣ୍ଟିବାରେ ଏଭଳି ପାତର ଅନ୍ତର ଆଦୌ ଠିକ୍‌ ନୁହେଁ । ଅନ୍ୟ ଜାଗାରେ ଟଙ୍କା ଦେଲେ ଆମକୁ କାହିଁକି ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଏମିତିକି ଟଙ୍କା ନମିଳିଲା ପର୍ଯ୍ୟନ୍ତ ସେମାନେ ଏଠାରୁ ଉଠିବେ ନାହିଁ ବୋଲି କହିଥିଲେ ।
ହୁଜୁରାବାଦର ବିଭିନ୍ନ ଗାଁରେ ସାଧାରଣ ଲୋକଙ୍କର ଏଭଳି ପ୍ରଦର୍ଶନ ଦେଖିବାକୁ ମିଳିଛି । ସମସ୍ତେ ଭୋଟ୍‌ ପାଇଁ ନୋଟ୍‌ ଚାହୁଁଛନ୍ତି ।

ତେବେ ଲୋକଙ୍କୁ ବୁଝାଶୁଝା କରିବାକୁ ପୋଲିସ୍‌ ପୂରା ଦମ୍‌ରେ ଉଦ୍ୟମ ଚଳାଇଛି । ହେଲେ ଲୋକେ ମାନିବାକୁ ନାରାଜ । ଏପଟେ ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆହୁରି ମଧ୍ୟ ଗତ ୨୭ ତାରିଖ ଦିନ ପୋଲିସ୍‌ ବିଭିନ୍ନ ଅଞ୍ଚଳରୁ କୋଟି କୋଟି ଟଙ୍କା ସହ ବହୁମୂଲ୍ୟ ସୁନା ଅଳଙ୍କାର ମଧ୍ୟ ଜବତ କରିଛି । ଏସବୁ ଭୋଟରଙ୍କୁ ବାଣ୍ଟିବା ପାଇଁ ଯାଉଥିଲା ବୋଲି ଜଣାପଡ଼ିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.