ଭୁଲ ନିଷ୍ପତ୍ତି ଯୋଗୁଁ କେରଳରେ ବନ୍ୟା ହେଲା : ନାସା

ନୂଆଦିଲ୍ଲୀ : ଏ ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ବିପତ୍ତି ସହ ଯୁଝୁଛି କେରଳ । ଏହା ପୂର୍ବରୁ ୧୯୨୪ରେ ଏଭଳି ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଥିଲା । ଚଳିତ ବନ୍ୟାରେ ସରକାରୀ ହିସାବ ଅନୁଯାୟୀ ୪୪୩ ଜଣଙ୍କର ପ୍ରାଣ ଯାଇଛି । ପ୍ରାୟ ୫୦ ହଜାର ଘର ଭାଙ୍ଗି ଯାଇଛି । ସାଢ଼େ ୪ ଲକ୍ଷ ଲୋକ ରିଲିଫ କ୍ୟାମ୍ପରେ ଅଛନ୍ତି । ସେହିପରି ରାଜ୍ୟରେ ୨୬ ହଜାର ପଶୁ ପକ୍ଷୀଙ୍କ ପ୍ରାଣ ଯାଇଛି । ତେବେ ଠିକ୍ ଢଙ୍ଗରେ ବ୍ୟବସ୍ଥିତ ଭାବେ ଡ୍ୟାମଗୁଡ଼ିକରୁ ପାଣି ଛଡ଼ା ନଯିବାରୁ ଏହି ପ୍ରଳୟଙ୍କରୀ ବନ୍ୟାରେ ଧୋଇଗଲା କେରଳର ୧୩ଟି ଜିଲ୍ଲା ।

ନାସା ତରଫରୁ ଜାରି ସାଟେଲାଇଟ୍ ଫଟୋ ଓ ଭିଡିଓରୁ ଏକଥା ସ୍ପଷ୍ଟ ହୋଇଛି । ଉଭୟ ଗତ ଫେବ୍ରୁଆରୀ ୬ ଏବଂ ଅଗଷ୍ଟ ୨୨ ତାରିଖର ଫଟୋ ଜାରି କରିଛି ନାସା । ଏହି ସମୟ ମଧ୍ୟରେ ଡ୍ୟାମ୍ରୁ ପାଣି ଛଡ଼ା ଯିବା ନେଇ ହୋଇଥିବା ନିଷ୍ପତ୍ତି ଭୁଲ ଥିଲା ବୋଲି ବୈଜ୍ଞାନିକ ସୁଜୟ କୁମାର କହିଛନ୍ତି ।  ତାଙ୍କ ମତରେ ଜୁଲାଇ ୨୦ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । କିନ୍ତୁ ବନ୍ୟା ଆସିଲା ଅଗଷ୍ଟ ୮ରେ । ଜୁନ୍, ଜୁଲାଇ ପର୍ଯନ୍ତ ସ୍ଥିତି ଏତେ ଖରାପ ନଥିଲା । ତେବେ ସେତେବେଳେ ଡ୍ୟାମଗୁଡ଼ିକରୁ ପାଣି ନଛାଡ଼ି ବହୁ ବିଳମ୍ବରେ ଇଦ୍ଦୁକି ଡ୍ୟାମରୁ ପାଣି ଛଡ଼ାଗଲା ।

ପୁଣି ୩୫ଟି ଗେଟ୍ ଖୋଲି ଦିଆଗଲା । ସେତେବେଳକୁ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ସାରିଥିଲା  ଏବଂ ଡ୍ୟାମଗୁଡ଼ିକ ମଧ୍ୟ ଜଳରେ ଭରି ଯାଇଥିଲା। ତେଣୁ ଡ୍ୟାମରୁ ଛଡ଼ା ଯାଇଥିବା ଜଳ ନିଷ୍କାସନ ହେବାର ଆଉ କୌଣସି ବାଟ ନଥିଲା । ଯାହା ଏଭଳି ବନ୍ୟା ପରିସ୍ଥିତିକୁ ଡାକି ଆଣିଲା । ଯଦି ଆଗରୁ ଡ୍ୟାମ ଗେଟ୍ ଖୋଲା ଯାଇଥାନ୍ତା ତେବେ ପରିସ୍ଥିତି ଏତେ ଭୟଙ୍କର ହୋଇନଥାନ୍ତା ବୋଲି ବୈଜ୍ଞାନିକ କହିଛନ୍ତି ।

କେରଳ ବନ୍ୟା ମନୁଷ୍ୟକ୍‌ତ ବୋଲି ପୂର୍ବରୁ ପରିବେଶବିତମାନେ କହିଛନ୍ତି । ନଦୀବନ୍ଧ ନିକଟରେ ବେଆଇନ୍ ଖନନ ଓ ନିର୍ମାଣ ଏଥିଲାଗି ଦାୟୀ ବୋଲି ସେମାନେ ମତ ଦେଇଥିଲେ । ଏ ବିଷୟରେ ପରିବେଶବିତମାନେ ପୂର୍ବରୁ ରାଜ ସରକାରଙ୍କୁ ସତର୍କ ମଧ୍ୟ କରିଥିଲେ । ଯାହାକୁ ଏଡ଼ାଯାଇ ପାରିଥାନ୍ତା । କିନ୍ତୁ ଡ୍ୟାମ ଜଳ ଛଡ଼ାଯିବା ନିଷ୍ପତ୍ତିରେ ତ୍ରୁଟି ଯୋଗୁଁ ଏହି ବିପତ୍ତି ଘଟିଥିବା ନାସା ସ୍ପଷ୍ଟ କରି ଦେଇଛି ।

KERALA FLOOD NASA IMAGE

ଦେଶର ୪୩ ଭାଗ ଅଞ୍ଚଳରେ ସ୍ବାଭାବିକ ବର୍ଷା

ବର୍ତ୍ତମାନ ସୁଦ୍ଧା ଦେଶର ୪୩ ଭାଗ ଅଞ୍ଚଳରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି । ଦିଲ୍ଲୀର ନଜଫଗଡ଼ରେ ସର୍ବାଧିକ ୧୪୮ ମିଲିମିଟର, ମହରାଷ୍ଟ୍ର ମହାବଳେଶ୍ବରରେ ୧୦୭, ଦିଲ୍ଲୀ ପାଲମରେ ୧୦୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ମୌସୁମୀ ବର୍ଷା ଯୋଗୁଁ ୮ଟି ରାଜ୍ୟରେ ମୋଟ ୧୨୭୬ ଜଣଙ୍କର ପ୍ରାଣ ହାନି ଘଟିଛି । କେରଳରେ ୪୪୩, ଉତ୍ତର ପ୍ରଦେଶରେ ୨୧୮, ପଶ୍ଚିମବଙ୍ଗରେ ୧୯୮, କର୍ଣ୍ଣାଟକରେ ୧୬୬, ମହାରାଷ୍ଟ୍ରରେ ୧୩୯ ଜଣଙ୍କର ପ୍ରାଣ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.