Below header

୯ମ କମାଣ୍ଡରସ୍ତରୀୟ ବୈଠକ ବିଫଳ : ସେନାକୁ କହିଲେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଳୀ :  ଭାରତ-ଚୀନ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ଘଟୁନି । ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ସମାଧାନର ବାଟ ଫିଟୁନି । ନିକଟରେ ହୋଇଥିବା ୯ମ କମାଣ୍ଡରସ୍ତରୀୟ ବୈଠକ ବିଫଳ ହେବା ପରେ ଭାରତ -ଚୀନ ମଧ୍ୟରେ ବିବାଦ ଆହୁରି ତୀବ୍ରତର ହୋଇଛି । ଫଳରେ ଦୁଇଦେଶ ଯୁଦ୍ଧ ଆଡକୁ ମୁହାଁଇବା ଭଳି ପରିସ୍ଥିତି ଉପୁଜିଛି । ଦୁଇଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇ ନଥିବା ବେଳେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନିଜ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ।

ନିକଟରେ ଜିନ୍‌ପିଙ୍ଗ ପିଏଲଏ ବାୟୁସେନା ୟୁନିଟ୍ ଗସ୍ତ କରିଥିଲେ। ସେନାଙ୍କୁ ଅଭିଭାଷଣ ଦେଇ କହିଥିଲେ ଯେ ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁଖ ଏବଂ ଶାନ୍ତି ରକ୍ଷା ପାଇଁ ଯୁଦ୍ଧ ପ୍ରସ୍ତୁତିକୁ ମଜଭୁତ୍‌ କର । ରାଷ୍ଟ୍ରପତିଙ୍କ ଏପରି ଅଭିଭାଷଣ ଯୁଦ୍ଧ ଆଶଙ୍କାକୁ ଅଧିକ ସୁଦୃଢ଼ କରୁଛି । ଭାରତ ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଇଛି । ପୂର୍ବରୁ ଗତ ଅକ୍ଟୋବର ୧୪ରେ ମଧ୍ୟ ରାଷ୍ଟ୍ରପତି ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୦ରୁ ଭାରତ-ଚୀନ ମଧ୍ୟରେ ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ଲାଗିରହିଥିବା ବିବାଦର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ସେହିଦିନ ଠାରୁ ବାରମ୍ବାର କମାଣ୍ଡରସ୍ତରୀୟ ବୈଠକ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନର ସୂତ୍ର ବାହାରି ପାରିନାହିଁ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ଖରାପ ସ୍ଥିତିରେ ପହଞ୍ଚିଛି । ଜୁନ ୨୦୨୦ରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଫଳରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେହିପରି ଚୀନ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ଜଣାପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.