ନିଜେ ଅକ୍ଷମ ହୋଇ ମଧ୍ୟ ଚଳାଉଛନ୍ତି ପରିବାର, ତାଙ୍କ ପାଇଁ ଆଜି ଗର୍ବିତ ସାରା ଗାଁ

ଭଳି କି ଭଳି ଚିତ୍ର, ପେନ୍ସିଲ ଆର୍ଟଠୁ ଆରମ୍ଭ କରି କଲର ଆର୍ଟ । ପଟ୍ଟଚିତ୍ର ଥ୍ରୀଡି ଆର୍ଟ ଭଳି ପ୍ରତିଟି ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ । କେତେବେଳେ ରାସ୍ତା କଡ଼ କାନ୍ଥରେ ତ କେତେବେଳେ ମନ୍ଦିର କାନ୍ଥରେ ଭଳିକିଭଳି ଚିତ୍ର ଏମିତିକି ଦୁଇ ମିନିଟରେ ଆଖି ସାମ୍ନାରେ ଆଙ୍କିଦେଇପାରନ୍ତି ଆପଣଙ୍କ ଅବିକଳ ନକଲ । ନିଜ ଆଖିରେ ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଜଣେ ଦିବ୍ୟାଙ୍ଗଙ୍କ ଏଭଳି ଚିତ୍ରକଳାର ପ୍ରତିଭାକୁ । ଜୟପୁର ବରଣୀପୁଟ ଅଂଚଳର ଯୁବକ ସୁଧାକର । ଅଳ୍ପଦିନରେ ଭଳିକିଭଳି ଚିତ୍ର କରି ବେଶ ପ୍ରଶଂସା ସାଉଁଟିଛନ୍ତି । ସବୁ ପ୍ରକାରର ନିଖୁଣ ଚିତ୍ରକଲ ଦେଖିବାକୁ ମିଳେ ତାଙ୍କ ପାଖରେ ।

ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଅଜଣା ରୋଗ ଯୋଗୁଁ ସୁଧାକର ହୋଇ ଯାଇଥିଲେ ମୁକ ବଧିର ଆଉ ପାଠ ପଢ଼ାରେ ଲାଗିଯାଇଥିଲା ଡୋରି । ହେଲେ ଚୁପ ନ ବସି ଚିତ୍ରକଳା ଉପରେ ଗୁରୁତ୍ୱ ଦେଇ କଳାକେନ୍ଦ୍ରରେ ଶିକ୍ଷା ଗ୍ରହଣ କରିଥିଲେ ସେ କାରଣ ଚିତ୍ରକାରିବା ଥିଲା ସୁଧାକରଙ୍କ ନିଶା । ସକାଳୁ ଉଠିବାଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ସମୟ ଚିତ୍ରରେ ହିଁ କଟିଥାଏ । ମୁକ ବଧିର ହୋଇ ମଧ୍ୟ ଚିତ୍ରକଳା ସାଧନା ପାଖରେ ହାର ମାନିଛି ତାଙ୍କର ସବୁ ଅକ୍ଷମତା । ନିଜର ଏ ପ୍ରତିଭାକୁ ନେଇ ଚର୍ଚ୍ଚା ସାଙ୍ଗକୁ ନିଜ ପରିବାରକୁ ଚଳାଇ ସ୍ୱାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ସୁଧାକର ଯାହା ଅନ୍ୟପାଇଁ ପାଲଟିଛି ଉଦାହରଣ । ତେବେ ଭବିଷ୍ୟତରେ ଜଣେ ବଡ଼ ଚିତ୍ରକାର ହେବାର ସ୍ୱପ୍ନ ଦେଖିଛନ୍ତି ସୁଧାକର । ସେ ଯାହାବି ହେଉ ଅକୁହା ଅବୁଝା ମଣିଷର ଏଇ ଜୀବନ୍ତ ଚିତ୍ର ଦେଖି ତାଙ୍କ ପାଇଁ ଗର୍ବ କରୁଛନ୍ତି ସାରା ପରିବାର ଏବଂ ସ୍ଥାନୀୟ ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.