Below header

ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲା: ଅଭିଯୁକ୍ତ ଚଗଲାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

କଟକ(କେନ୍ୟୁଜ୍):ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷୟ ବେହେରା ଓରଫ ଚଗଲାକୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର, ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ରିମିନାଲ ଅପିଲରେ ଆସିଥିବା ଏହି ନିୟମିତ ଜାମିନ ଉପରେ ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ। ଅକ୍ଷୟ ବେହେରାଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଥିଲେ। ୨୦୦୮ ମସିହା ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି ଦିନ ଜୁଡୋ କୋଚ ବୀରଞ୍ଚି ଦାସଙ୍କୁ ଗୁଳି କରି ହତ୍ୟା କରଯାଇଥିଲା। ଗ୍ୟାଙ୍ଗ ଷ୍ଟାର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା ଓ ତାର ସହଯୋଗୀ ଅକ୍ଷୟ ବେହେରା ଓରଫ ଚଗଲା ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।

୨୦୦୮ ଏପ୍ରିଲ ୨୯ରେ ପୋଲିସ ଚଗଲାକୁ ଗିରଫ କରିଥିଲା। ନିମ୍ନ ଅଦାଲତ ଏହି ମାମଲାରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଦୋଷୀ ସାବ୍ୟସ୍ତ କ୍ରିମିନାଲ ଅପିଲରେ ହାଇକୋର୍ଟଙ୍କୁ ଆସିଛନ୍ତି। ପୂର୍ବରୁ ହାଇକୋର୍ଟ ରାଜା ଆଚାର୍ଯ୍ୟଙ୍କ ଜାମିନ ନାମଞ୍ଜୁର କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ୨୦୧୭ ରେ ରାଜା ଆଚାର୍ଯ୍ୟଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି।

କ୍ରିମିନାଲ ଅପିଲର ଶୁଣାଣିରେ ବିଳମ୍ବ ଘଟୁଥିବା ଓ ଅଭିଯୁକ୍ତ ୧୩ ବର୍ଷ ସଜ୍ଜା କାଟି ସାରି ଥିବାରୁ ଚଗଲାର ଜାମିନ ମଞ୍ଜୁର କରିବାକୁ ହାଇକୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଚଗଲାର ଓକିଲ। ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ସର୍ବୋଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିବାରୁ ସହଯୋଗୀ ଅକ୍ଷୟ ବେହେରାକୁ ଜାମିନ ପ୍ରଦାନ କରିବାକୁ ସେ ଯୁକ୍ତି ଦର୍ଶାଇଥିଲେ। ଏଭଳି ଯୁକ୍ତିକୁ ଗ୍ରହଣ କରି ଓଡିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଆଜି ଚଗଲା ଓରଫ ଅକ୍ଷୟ ବେହେରାର ଜାମିନକୁ ମଞ୍ଜୁର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.