ନିଆରା ପରମ୍ପରା ନିମାପଡ଼ାର ମାଇପି ମେଳା

ଅନୁଷ୍ଠିତ ହୋଇଯାଇଛି ନିମାପଡ଼ାର ନିଆରା ପରମ୍ପରା, ମାନସିକ ପୂରଣ ପାଇଁ ଧାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ

ପୁରୀ ଜିଲ୍ଲା ନିମାପଡାର ନିଆରା ପରମ୍ପରା ପ୍ରସିଦ୍ଧ ମାଇପି ମେଳା। ଚଳିତ ଥର ଏହା ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଚୈତ୍ର ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ଦିନ ନିମାପଡା ଭୋଗଶାଳଦା ପଂଚାୟତର କାନପୁର ଗ୍ରାମରେ ଥିବା ବଟ ଗୋସେଇଁଙ୍କ ପୀଠରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ସହ ସହ ସଂଖ୍ୟାରେ ମହିଳା ମାନସିକଧାରୀ ମାନେ ପୂର୍ବଦିନ ହବିଷ କରି ନୂତନ ବସ୍ତ୍ର ପରିଧାନ କରି ରାତ୍ରି ୧୨ ଟାରୁ ପରଦିନ ଦିନ ୧୨ ଟା ମାନେ ପୁରା ୨୪ ଘଣ୍ଟା ଧରି ନିରାକାର ପରମବ୍ରହ୍ମ ବଟ ଗୋସେଇଁଙ୍କ ପୀଠ ଚତୁଃପାର୍ଶ୍ଵରେ ଅଧିଆ ପଡିଥାନ୍ତି । ବିଶ୍ଵାସ ରହିଛି ଏହି ପବିତ୍ର ଦିନର ପୀଠରେ ମାନସିକ ରଖି ଅଧିଆ ପଡିଲେ ସମସ୍ତ ମାନସିକ ପୂରଣ ହୋଇଥାଏ । ଏହି ବିଶ୍ଵାସ ରଖି ଆଖ ପାଖ ଅଞ୍ଚଳ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ମାନେ ଆସି ଏଠାରେ ଅଧିଆ ପଡିଥାନ୍ତି ।

ପରମ୍ପରା ଅନୁଯାୟୀ ସକାଳୁ ଉଠି ଠାକୁରଙ୍କ ନୀତିକନ୍ତି ପରେ ଦ୍ଵିପ୍ରହରେ କୋଠା ଭୋଗ କରାଯାଇଥାଏ । କୋଠା ଭୋଗ ପରେ ମନ୍ଦିରର ସେବକ ମାନେ ମାନସିକଧାରୀଙ୍କ ଉପରେ ଆଶୀର୍ବାଦ ସ୍ୱରୂପ ଜଳ ଛିଞ୍ଚି ମହିଳା ମାନଙ୍କୁ ପଣା ସେବନ କଲାପରେ ମହିଳାମାନେ ଅଧିଆରୁ ଉଠିଥାନ୍ତି ।

କାହିଁ କେତେକାଳରୁ ଚାଲିଆସିଥିବା ଏହି ପରମ୍ପରା ସମ୍ପର୍କରେ ନିର୍ଦିଷ୍ଟ କିଛି ଇତିହାସ ନଥିଲେ ମଧ୍ୟ କେବଳ ଏଠାରେ ମହିଳା ମାନେ ମାନସିକ ରଖି ଅଧିଆ ପଡୁଥିବାରୁ ଏହାକୁ ମାଇପି ମେଳା କୁହାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.