୨୫ ଟଙ୍କା ଷ୍ଟାଇପେଣ୍ଡ ପାଇ ପାଠ ପଢ଼ିଥିଲେ, ଏବେ କଲେଜକୁ ଫେରାଇଲେ ୩୦ ଲକ୍ଷ ଟଙ୍କା

ସମ୍ବଲପୁର (କେନ୍ୟୁଜ) : ଦିନେ ଯେଉଁଠୁ ଷ୍ଟାଇପେଣ୍ଡ ପାଇ ପାଠ ପଢିଥିଲେ, ତାକୁ ଏବେ ପରିଶୋଧ କଲେ। ଉଚ୍ଚତର ଶିକ୍ଷାରେ ଆର୍ଥିକ ସହାୟତା ଲୋଡୁଥିବା, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ହେବ ପ୍ରଦତ୍ତ ରାଶି। ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟକୁ ୩୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏହାର ପୂର୍ବତନ ଛାତ୍ରୀ। ୮୪ ବର୍ଷୀୟ ଡାକ୍ତର ନାରାୟଣୀ ପଣ୍ଡା। ସମ୍ବଲପୁର ଭୂତପଡ଼ାର ନିବାସୀ ଜଣେ ଡାକ୍ତର ଭାବେ ବେଶ ପରିଚିତ। ୧୯୫୩-୫୪ ମସିହାରେ ଥିଲେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଛାତ୍ରୀ। ପରେ ଡାକ୍ତରୀ ପାଠ ପଢୁଥିବା ବେଳେ ଦେଖାଯାଇଥିଲା ଅର୍ଥାଭାବ। ଏଭଳି ସମୟରେ ଆର୍ଥିକ ସହାୟତା ଯୋଗାଇଥିଲା ଜିଏମ କଲେଜ ଟ୍ରଷ୍ଟ।

ଦୁଇ ବର୍ଷ ଯାଏ ମାସକୁ ୨୫ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଦେଇଥିଲା ଟ୍ରଷ୍ଟ। ଏକ ବୃହତ ପରିବାରରେ ବଢିଥିବା ନାରାୟଣୀ ଡାକ୍ତରୀ ପଢା ଅଧାରୁ ଛାଡ଼ିବାକୁ ବସିଥିବା ବେଳେ ଟ୍ରଷ୍ଟର ସହାୟତା ତାଙ୍କୁ ଲକ୍ଷ୍ୟ ପୂରଣ କରିବାରେ ସହାୟତା କରିଥିଲା। ଏବେ ଜିଏମ ବିଶ୍ୱବିଦ୍ୟାଳୟର ୭୭ତମ ପ୍ରତିଷ୍ଠା ଦିବସରେ ସେ ଦାନ କରିଛନ୍ତି ୩୦ଲକ୍ଷ ଟଙ୍କା। ତେବେ ସେହି ୨୫ଟଙ୍କା ତୁଳନାରେ ଏହାର ମୂଲ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି।

ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଗଢିବାରେ ଏହି ଅର୍ଥକୁ ବିିନିଯୋଗ କରିବାକୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ଗରିବ ମେଧାବୀ ଛାତ୍ରଛାତ୍ରୀ କିପରି ଉପକୃତ ହେବେ ଓ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ହେବ ସେନେଇ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜିଏମ ୟୁନିଭର୍ସିଟି ଡେପୁଟି ରେଜିଷ୍ଟ୍ରାର କହିଛନ୍ତି।
ଶିକ୍ଷାଲାଭ କରିଥିବା ଶିକ୍ଷାନୁଷ୍ଠାନର ସମୃଦ୍ଧି ପ୍ରତି ଏହାର ପୂର୍ବତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.