ନିଜର ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ପ୍ରେମିକା

ପ୍ରେମ ପାଇଁ ଆପଣ କଣ କଣ ସବୁ କରିପାରିବେ। କଣ କଣ ସବୁ କରିଛନ୍ତି ଆପଣଙ୍କ ପ୍ରେମକୁ ପାଇବା ପାଇଁ। ପ୍ରେମ ଏକ ଏପରି ନିଶା ଯାହା ପୂରା ମତୁଆଲା କରିଦିଏ। ଆଉ ପ୍ରେମର ନିଶାରେ ପ୍ରେମୀ ଯୋଡି ଅସମ୍ଭବକୁ ସମ୍ଭବ କରିଦିଅନ୍ତି। ପ୍ରେମ ପାଇଁ ଆପଣ କେତେ ଦୂର ଯାଇପାରିବେ। କେତେ ଦୂର ମାନେ କେତେ ଦୂର? ଏହି ବାକ୍ୟର ନୂଆ ଜୀବନ ଏବଂ ମୋଡ ଦେଇଛନ୍ତି ବାଂଲାଦେଶର ଜଣେ ପ୍ରେମିକା।
ପ୍ରେମ ପାଇଁ ଜଣେ ପ୍ରେମିକା ବାଂଲାଦେଶରୁ ପହଁରି ପହଁରି ଭାରତ ଆସି ପହଞ୍ଚିଛନ୍ତି । କଣ ଆଶ୍ଚର୍ଯ୍ୟ ହୋଇଗଲେ ନା, କିନ୍ତୁ ଏ ଘଟଣା ପୂରାପୁରି ସତ। ବଂଲାଦେଶ ସୀମା ପାର କରି ଭାରତକୁ ପହଁରି ପହଁରି ଆସିଛନ୍ତି ଜଣେ ପ୍ରେମିକା। ୨୨ ବର୍ଷିୟା ଯୁବତୀ ନିଜ ପ୍ରେମ ପାଇଁ କରିଛନ୍ତି ସାତ ଦରିଆ ପାରି। କେବଳ ଭାରତ ସୀମା ପାର କରିନାହାଁନ୍ତି ବରଂ ସମୂଦ୍ର ପାର କରିଛନ୍ତି।
ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଅବିକଙ୍କୁ ଦେଖିବାକୁ ଯେମିତି ବ୍ୟାକୁଳ ହେଉଥିଲେ କ୍ରିଷ୍ଣା। ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ଏପଟେ ପ୍ରେମିକୁ ପାଇବାର ନିଶା ଆଉ ସେପଟେ ବାଧକ ସାଜିଥିଲା ପାସପୋର୍ଟ। ତେଣୁ ବେଆଇନ ଭାବେ ସେ ଭାରତ ଆସିବା ପାଇଁ କରିଥିଲେ ଯୋଜନା।
ପୋଲିସର ସୂଚନା ମୁତାବକ, କ୍ରିଷ୍ଣା ପ୍ରଥମେ ମହାବଳ ବାଘ ପାଇଁ ଜଣାଶୁଣା ସୁନ୍ଦରବନରେ ପହଞ୍ଚିଲେ । ସେଠାରୁ ନଦୀରେ ପ୍ରାୟ ଏକ ଘଣ୍ଟା ଧରି ପହଁରି ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ । ସୁନ୍ଦରବନର ଘନ ଜଙ୍ଗଲ କି ଅଥଳ ସାଗରର ଗଭୀରତା ତାଙ୍କୁ ଭୟଭୀତ କରିପାରିନଥିଲା । ଗତ ତିନି ଦିନ ତଳେ ପ୍ରେମିକ ଅବିକଙ୍କୁ କୋଲକାତାର କାଳୀଘାଟ ମନ୍ଦିରରେ ବିବାହ କରିଛନ୍ତି କ୍ରିଷ୍ଣା । ତେବେ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ନେଇ ତାଙ୍କୁ ଗତକାଲି ଗିରଫ କରାଯଇିଛି । କ୍ରିଷ୍ଣାଙ୍କୁ ବାଂଲାଦେଶ ହାଇକମିଶନଙ୍କୁ ହସ୍ତାନ୍ତର କରାଯିବ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପ୍ରଥମ ଥର ନୁହେଁ ଯେ କେହି ବେଆଇନ ଭାବେ ସୀମା ପାର କରିଛନ୍ତି। ଏହା ପୂର୍ବରୁ ଜଣେ ବାଂଲାଦେଶୀ ଯୁବକ ନିଜର ମନପସନ୍ଦର ଚକୋଲେଟ କିଣିବା ପାଇଁ ସୀମା ପାର କରି ପାଣିରେ ପହଁରି ଆସିଥିଲେ। ରିପୋର୍ଟ ମୁତାବକ ଇମାନ ହୁସୈନ ଭାରତକୁ ନିଜ ପ୍ରିୟ ଚକୋଲେଟ ନେବା ପାଇଁ ସୀମା ପାର କରି ପହଁରି ପହଁରି ଆସିଥିଲେ। ତାପରେ ତାଙ୍କୁ ଗିରଫ କରାଯାଇଥିଲା। ୧୫ ଦିନ ବିଚାର ବିଭାଗ ହାଜତରେ ରଖାଯାଇ ଛାଡି ଦିଆଯାଇଥିଲା।