Below header

ଶିକ୍ଷକଙ୍କ ପଦଯାତ୍ରାରେ ପାଦ ମିଳାଇଲା କୁକୁର, ଚାଲି ଚାଲି ଆସିଲା ଶହ ଶହ କିଲୋମିଟର

ଭୁବନେଶ୍ୱର (କେନ୍ୟୁଜ୍‌) : ମଣିଷର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ କିଏ ବୋଲି ପଚାରିଲେ ନିଶ୍ଚୟ ଆପଣମାନେ କହିବେ ‘କୁକୁର’ । ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ଯେତେବେଳେ ପଞ୍ଚୁ ପାଣ୍ଡଵ ସ୍ଵଶରୀରରେ ସ୍ୱର୍ଗ ଆରୋହଣ କରିବାକୁ ବାହାରି ଥିଲେ ତାଙ୍କ ସାଙ୍ଗରେ ଗୋଟିଏ କୁକୁର ରହିଥିଲା ଶେଷ ପର୍ଯ୍ୟନ୍ତ । ତେବେ ଆମର ଏକଥାକୁ ଏଠାରେ ଉପସ୍ଥାପନ କରିବା ତାତ୍ପର୍ଯ୍ୟ ହେଉଛି, ଏ ଯୁଗରେ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ଗୋଟିଏ କୁକୁର ଦୀର୍ଘ ପ୍ରାୟ ୩ ଶହ କିଲୋମିଟର ଚାଲି ଚାଲି ଲୋକଙ୍କ ସହିତ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି । ଯାହାକୁ ନେଇ ଗଣମାଧ୍ୟମରେ ଏବେ ବେଶ ଚର୍ଚ୍ଚା । ତେବେ ଚାଲନ୍ତୁ ଜାଣିବା ଏ ଭାଇରାଲ ଘଟଣା ପଛର କାହାଣୀ । ଓଡ଼ିଶାରେ ମଲ୍ଟି ଲଙ୍ଗୁଏଜ ଏଜୁକେସନ ବା ବହୁମୁଖୀ ଶିକ୍ଷାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅସ୍ଥାୟୀ ଭାବରେ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ଦୀର୍ଘ ୧୫ ବର୍ଷ ହେଲାଣି ୩୨୦୦ ଟଙ୍କା ଦରମାରେ ଶିକ୍ଷକତା କରୁଛନ୍ତି, ଯେଉଁଠି କି ସାନ୍ତାଳୀ ଭାଷା ସମ୍ବିଧାନର ସ୍ୱୀକୃତି ପ୍ରାପ୍ତ ଭାଷା । ସେମାନଙ୍କ ମଧ୍ୟରୁ ୮୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଚାକିରିର ସ୍ଥାୟିତ୍ୱ ଓ ଦରମା ବୃଦ୍ଧି ପାଇଁ ଏକ ଅଭିନଵ ଉପାୟ ଅବଲମ୍ବନ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରୁରୁ ଭୁବନେଶ୍ୱରକୁ ପଦଯାତ୍ରାର କରିଥିଲେ । ସେମାନେ ରାଇରଙ୍ଗପୁର ପୋଖରୀଆରୁ ପଦଯାତ୍ରାରେ ବାହାରି ଥିଲେ । ରାସ୍ତାରେ କିଛି କିଲୋମିଟର ଅତିକ୍ରମ କରିବା ପରେ ସେମାନଙ୍କ ନଜରକୁ ଆସିଥିଲା ଗୋଟିଏ କୁକୁର । ଯିଏକି ଏମାନଙ୍କ ସହିତ ପାଦରେ ପାଦ ମିଶାଇ ଚାଲିବାରେ ଲାଗିଛି । ଏମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ମନକୁ କେତେ କଥା ଆସିଲା ଓ ତାକୁ ନେଇ ଆଲୋଚନା ବି କଲେ । ହେଲେ ସ୍ନେହ ଆସିଗଲା କୁକୁରଟି ପ୍ରତି । ତେବେ ପରମୁହୂର୍ତ୍ତରେ ତାକୁ ଆଉ ପାଖରୁ ଛାଡି ନଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଚାଲିଲେ ସେହି କୁକୁରଟି ଚାଲୁ ଥିଲା । ଖାଇଲେ ପାଖରେ ବସି ଖାଉଥିଲା ଶୋଉ ଥିଲା । ପୁଣି ଚାଲୁଥିଲା ପାଦରେ ପାଦ ମିଳାଇ । … ଏମାନେ ପଦ ଯାତ୍ରା କଲା ବେଳେ ଯେଉଁ ଅଞ୍ଚଳ ଦେଇ ଅତିକ୍ରମ କରୁଥିଲେ ଅନେକ ସ୍ଥାନରେ ସେମାନଙ୍କୁ ଲୋକମାନେ ବାଜା ବଜାଇ ନାଚ ଗୀତ କରି ପାରମ୍ପରିକ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିଲେ । ଦୀର୍ଘ ୨୮ ଦିନ ଧରି ଚାଲି ଚାଲି ରାଜଧାନୀ ଭୁବନେଶ୍ୱରରେ ପହଂଚିଥିଲେ ଆନ୍ଦୋଳନକାରୀମାନେ । ଆଉ କୁକୁରଟି ମଧ୍ୟ ଏମାନଙ୍କ ସହିତ ପୂରା ୨୮ ଦିନ ଚାଲି ଚାଲି ଆସି ଭୁବନେଶ୍ୱର ରେ ପହଞ୍ଚିଥିଲା ।

ଏଇ ଆନ୍ଦୋଳନକାରୀ ଶିକ୍ଷକମାନଙ୍କ ପାଇଁ ଜୀବନ ଧନ ପାଲଟି ଯାଇଥିଲା ଏହି ଧୂସର ରଙ୍ଗର କୁକୁରଟି । ଏକ ଗଭୀର ଆତ୍ମୀୟତା ସୃଷ୍ଟି ହୋଇଥିଲା ମଣିଷ ଓ ପଶୁ ମଧ୍ୟରେ । ସେ ପଶୁଟିଏ ହେଲେ ବି ଲାଗୁଥିଲା ଯେମିତି ଏହି ଶିକ୍ଷକମାନଙ୍କ ଦାବିକୁ, ନାଯ୍ୟ ଅଧିକାରକୁ ସେ ସମର୍ଥନ କରୁଛି । … ଚାରି ପଞ୍ଚାଦିନ ହେବ ରାଜଭବନ ନିକଟରେ ଧାରଣାରେ ବସିଛନ୍ତି ଏହି ଶିକ୍ଷକମାନେ । ଆଉ କୁକୁରଟି ମଧ୍ୟ ସେମାନଙ୍କ ସହିତ ଧାରଣାରେ ବସିଛି । କିଏ ତାକୁ ସ୍ନେହରେ ଆଉଁସି ଦେଉଛି ତ କିଏ ତାକୁ ଖାଇବାକୁ ଦେଉଛି । ଏମାନଙ୍କ ପରିବାରର ସଦସ୍ୟ ପାଲଟି ଯାଇଛି କୁକୁରଟି । ଯେମେିତି କୋଉ ଜନ୍ମରୁ ଏମାନଙ୍କ ସହ ତାର ଥିଲା ସମ୍ପର୍କ ।

ଅବଶ୍ୟ ଏମିତି ଘଟଣା ଆଗରୁ କେବେ ଘଟି ନଥିବ ତା ନୁହେଁ, କାରଣ ମଣିଷ ଓ କୁକୁର ସମ୍ପର୍କକୁ ନେଇ ଅନେକ ଅଭୁଲା ଘଟଣା ଘଟିଛି । ହେଲେ ଏଠି ବସିଥିବା ମଣିଷମାନେ ଏଇ କୁକୁରଟିକୁ ଠାକୁର ବୋଲି ଭାବି ନେଇଛନ୍ତି । ସତରେ ଭାରି ଅଦଭୁତ ଏଇ ପ୍ରାଣୀଟି । ସେ ସିନା ମଣିଷର ମନ କଥା ବୁଝି ଯାଉଛି ହେଲେ ତାର ଭାବନାକୁ କଣ ମଣିଷ ବୁଝି ପାରୁଛି ?

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.