ଯାତ୍ରୀଙ୍କ ପାଖରେ ଯାଇ ଶୋଇପଡୁଥିଲା, ସୁଯୋଗ ଦେଇ ଚୋରି କରି ଚମ୍ପଟ ମାରୁଥିଲା
ସୋସିଆଲ ମିଡିଆରେ ଚୋରର ଚୋରି ଭିଡିଓ ଅନେକ ଦେଖିଥିବେ । ଚୋର କିପରି ଭାବେ ଦୋକାନରେ, ଘରେ କିମ୍ବା ଆଉ କେଉଁ ସ୍ଥାନରେ ଚୁପ୍ ଚାପ୍ ପଶି ଚୋରି କରିଥାଏ । କିନ୍ତୁ ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ଦେଖିଲେ କହିବେ ଚୋରର କି ବୁଦ୍ଧି ।

ମଥୁରା : ସୋସିଆଲ ମିଡିଆରେ ଚୋରର ଚୋରି ଭିଡିଓ ଅନେକ ଦେଖିଥିବେ । ଚୋର କିପରି ଭାବେ ଦୋକାନରେ, ଘରେ କିମ୍ବା ଆଉ କେଉଁ ସ୍ଥାନରେ ଚୁପ୍ ଚାପ୍ ପଶି ଚୋରି କରିଥାଏ । କିନ୍ତୁ ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ଦେଖିଲେ କହିବେ ଚୋରର କି ବୁଦ୍ଧି ।
ତେବେ ସୂଚନା ମୁତାବକ, ଗତ କିଛି ଦିନ ହେବ ଉତ୍ତର ପ୍ରଦେଶର ମଥୁରା ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ହେଉଥିବା ନେଇ ଅନେକ ଅଭିଯୋଗ ଆସୁଥିଲା । କିଛି ଯାତ୍ରୀଙ୍କ ଫୋନ୍ ଚୋରି ହୋଇଥିବା ନେଇ ମାମଲା ବି ରୁଜୁ ହୋଇଥିଲା । ଖାଲି ଫୋନ୍ ନୁହେଁ ଅନ୍ୟ କେତେକ ମୂଲ୍ୟବାନ ସାମଗ୍ରୀ ବି ଚୋରି ହୋଇଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଏକାଧିକ ମାମଲା ରୁଜୁ ହେବା ପରେ ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ।
ତେବେ ଶେଷରେ ଏହି ସମସ୍ୟାର ସମାଧାନ କରିବାକୁ ଯାଇ ଉକ୍ତ ଷ୍ଟେସନର ଜିଆରପି ଦାୟିତ୍ୱରେ ଥିବା ସନ୍ଦୀପ ତୋମାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଯେଉଁଥିରେ ଚୋରିର ଏକ ଅଭିନବ ଉପାୟ ସାମ୍ନାକୁ ଆସିଥିଲା । ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତେବେ ଭିଡିଓରେ ଦେଖିବାକୁ ମିଳିଛି କି, କିଛି ଯାତ୍ରୀ ନିଜ ଟ୍ରେନକୁ ଅପେକ୍ଷା କରି ସେହି ଷ୍ଟେସନରେ ହିଁ ଶୋଇପଡିଛନ୍ତି । ଯାହାର ଫାଇଦା ଉଠାଉଛି ଚୋରଟି ।
ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ତନିସ୍କ ପଞ୍ଜାବୀ ନାମକ ଜଣେ ୟୁଜର୍ସ ସେୟାର କରିଥିବା ସିସିଟିଭି ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଚୋର ଜଣଙ୍କ ଏପଟ ସେପଟ ହେଉଛି ଏବଂ ଶୋଇଥିବା ଯାତ୍ରୀଙ୍କ ପାଖରେ ଚୁପ୍ ଚାପ୍ ଯାଇ ନିଜେ ଶୋଇ ପଡୁଛି । ଆଉ ସୁଯୋଗ ଦେଖି ଯାତ୍ରୀଙ୍କ ପକେଟରୁ ମୋବାଇଲ୍ ଫୋନ୍ ବାହାର କରିବାକୁ ଚେଷ୍ଟା କରୁଛି ଏବଂ ଶେଷରେ ସଫଳ ବି ହେଉଛି ।
‘The Sleeping Thief’: A Person has been arrested from UP’s Mathura for stealing from passengers sleeping on railway stations. The CCTV Footage shows the cunning modus operandi of the thief where he pretends to sleep beside a traveller & swiftly pick pockets the mobile phone. pic.twitter.com/6OVSYydwaZ
— Tanishq Punjabi (@tanishqq9) April 10, 2024
ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ଲକ୍ଷ୍ୟ ହାସଲ କରିବା ପରେ, ଚୋରଟି ପରବର୍ତ୍ତୀ ଲକ୍ଷ୍ୟ ଆଡକୁ ଯାଉଛି । ଅନ୍ୟ ଏକ ଯାତ୍ରୀଙ୍କ ପାଖରେ ଯାଇ ସମାନ ଢଙ୍ଗରେ ଶୋଇପଡୁଛି । କେହି ତା ଉପରେ ନଜର ରଖୁନି ତ, ଏକଥା ଜାଣିବା ପାଇଁ ଚାରିପାଖକୁ ଅନଉଛି । ତା’ପରେ ଯାତ୍ରୀଙ୍କ ପକେଟରେ ହାତ ପୁରାଇ ଫୋନ୍ ବାହାର କରି ନେଇଯାଉଛି । ଏହି ଘଟଣା ଘଟାଇବା ପରେ ସେ ସେଠାରୁ ଉଠି ଲୁଟ୍ କରିଥିବା ଜିନିଷ ନେଇ ବାହାରକୁ ପଳାଇଯାଉଛି ।
ତେବେ ସିସିଟିଭି ଫୁଟେଜକୁ ଆଧାର କରି ଚୋରକୁ ଚିହ୍ନଟ କରିବା ପରେ ରେଳବାଇ ପୋଲିସ୍ ତାକୁ ଗିରଫ କରିବାରେ କୌଣସି ସମୟ ନଷ୍ଟ କରିନଥିଲା । ଗତକାଲି ଏଟା ଜିଲ୍ଲାର ବାସିନ୍ଦା ୨୧ ବର୍ଷିୟ ଅବନୀଶ ସିଂକୁ ଏହି ଘଟଣାରେ ଗିରଫ କରିଥିବା ଜଣାପଡିଛି । ତାଠାରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଥିବାବେଳେ ସେ ପାଞ୍ଚଟି ଫୋନ୍ ଚୋରି କରିଥିବା ସ୍ୱୀକାର କରିଛି । ବର୍ତ୍ତମାନ ଅବନୀଶ ବିରୋଧରେ ଚୋରି ମାମଲା ରୁଜୁ କରାଯିବା ସହିତ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିବା ପାଇଁ ପୋଲିସ୍ ତଦନ୍ତ କରୁଛି ।