ବଢୁଛି କରୋନା ପରବର୍ତ୍ତୀ ଜଟିଳତା, ଏବେ ନୂଆ ଆତଙ୍କ ଆଣିିଛି ଆଭାସ୍କଲାର ନେକ୍ରୋସିସ ବା ବୋନ୍‌ ଡେଥ୍

ବଢୁଛି କରୋନା ପରବର୍ତ୍ତୀ ଜଟିଳତା। ସଂକ୍ରମଣରୁ ସୁସ୍ଥ ହେବା ପରେ ପ୍ରଥମେ ଦେଖାଦେଇଥିଲା ବ୍ଲାକ୍‌ ଫଙ୍ଗସ। ଏବେ ନୂଆ ଆତଙ୍କ ଆଣିିଛି ଆଭାସ୍କଲାର ନେକ୍ରୋସିସ ବା ବୋନ୍‌ ଡେଥ୍। ମୁମ୍ବାଇରେ ଏହାର ୩ଟି ମାମଲା ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୪୦ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି। ଗତ କିଛି ଦିନ ତଳେ ଏମାନେ କୋଭିଡରୁ ସୁସ୍ଥ ହୋଇଥିଲେ। ଜଙ୍ଘ ହାଡ଼ରେ ଅସହ୍ୟ ଯନ୍ତ୍ରଣା ହେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ହାଡ଼ର କୋଷଗୁଡ଼ିକ ନଷ୍ଟ ହୋଇଥିଲା ସ୍ପଷ୍ଟ ହୋଇଛି। ଡାକ୍ତରୀ ଭାଷାରେ ଏହା ଆଭାସ୍କଲାର ନେକ୍ରୋସିସ ବା ବୋନ୍‌ ଡେଥ ବୋଲି କୁହାଯାଇଥାଏ।

ଆଭାସ୍କଲାର ନେକ୍ରୋସିସ ଦ୍ୱାରା ଅସ୍ଥିକୁ ରକ୍ତ ଯୋଗାଣ ବନ୍ଦ ହୋଇଯାଇଥାଏ। ଏହା ଫଳରେ ଅସ୍ଥି ତନ୍ତୁ ନଷ୍ଟ ହୋଇ ନେକ୍ରୋସିସ ସୃଷ୍ଟି ହୋଇଥାଏ। ଏହା ପ୍ରାଥମିକ ଭାବେ ଲକ୍ଷଣବିହୀନ ହୋଇଥାଏ। ଶରୀରର ଯେକୌଣସି ଅସ୍ଥିରେ ନେକ୍ରୋସିସ ହୋଇପାରେ। ଯେଉଁ ବ୍ୟକ୍ତି କୌଣସି କାରଣରୁ ଅଧିକ ଷ୍ଟେରଏଡ ନେଇଥାନ୍ତି କିମ୍ବା ଧୂମପାନ ଓ ମଦ୍ୟପାନ ଆଦିରେ ଅଭ୍ୟସ୍ତ ସାଧାରଣ ସେମାନଙ୍କ ଅସ୍ଥି ତନ୍ତୁ ନଷ୍ଟ ହୋଇଥାଏ। ନେକ୍ରୋସିସ ବୃଦ୍ଧି ପାଇଲେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। କୋଭିଡ ଚିିକିତ୍ସା ପରେ ସାଧାରଣତଃ ରକ୍ତ ଜମାଟର ଲକ୍ଷଣ ଦେଖାଦେଇଥାଏ। ଚିିକିତ୍ସାରେ ଅଧିକ ଷ୍ଟେରଏଡର ବ୍ୟବହାର ଦ୍ୱାରା ନେକ୍ରୋସିସ ସାଂଘାତିକ ରୂପ ନେଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। କୋଭିଡ ରୋଗୀଙ୍କ ଚିକିତ୍ସାରେ ୭୦ରୁ ୮୦ ପ୍ରତିଶତ ଷ୍ଟେରଏଡର ବ୍ୟବହାର ହେଉଥିବା ଜଣାପଡ଼ିଛି।

କରୋନାରୁ ସୁସ୍ଥ ହେବା ପରେ ଯଦି ଜଙ୍ଘ ହାଡ଼ କିମ୍ବା ଜଏଣ୍ଟସ୍‌ରେ ଯନ୍ତ୍ରଣା ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଏମଆରଆଇ ମଧ୍ୟ କରାଇ ଏହାର ଚିକିତ୍ସା କରାଯାଇପାରେ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.