ତେଲ ତ କମିଲା, ଏବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବି କମୁ

ଭୁବନେଶ୍ୱର(ତୃଷ୍ଣା ପ୍ରିୟଦର୍ଶିନୀ): ଦୀପାବଳି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଭେଟି ଦେଇଛନ୍ତି। ପ୍ରଥମେ କେନ୍ଦ୍ର ସରକାର ଦୀପାବଳିରେ ଉପହାର ସ୍ୱରୂପ ପେଟ୍ରୋଲ ଓ ଡିଜେଲ ଦର କମାଇଥିବା ବେଳେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ତୈଳ ଦରରୁ ଭାଟ୍‌ ଛାଡ଼ କରିଛନ୍ତି।

ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ୁଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ତେଲ ଦାମ୍‌ ୧୦୦ ଟପି ଯାଇଥିଲା। ଫଳରେ ଲୋକେ ଗାଡ଼ି କାଢ଼ିବାକୁ ବି ଭୟ କରୁଥିଲେ। ପୂର୍ବରୁ କେବେ ବି ଭାରତରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ଏତେ ବଢ଼ିନଥିଲା। ଫଳରେ ଗ୍ରାହକଙ୍କ ପକେଟ୍‌ ଉପରେ ପ୍ରବଳ ବୋଝ ପଡ଼ିଥିଲା। ତେଲ ଦାମ୍‌ ନିୟମିତ ବଢ଼ିବା ଦ୍ୱାରା ଗ୍ରାହକ ବି ଧୀରେ ଧୀରେ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କରିଥିଲେ। ଲୋକଙ୍କ ଅସନ୍ତୋଷକୁ ଦେଖି ସରକାର ପେଟ୍ରୋଲ ଦାମ୍‌ ୫ ଟଙ୍କା ଓ ଡିଜେଲ ଦାମ୍‌ ୧୦ ଟଙ୍କା କମାଇବାକୁ ଘୋଷଣା କରିଥିଲେ। ଫଳରେ ଗ୍ରାହକ ଟିକେ ଶାନ୍ତ ହୋଇଥିଲେ।

କେନ୍ଦ୍ର ସରକାରଙ୍କର ଏହି ତୈଳ ଦର ଘୋଷଣାର ପରଦିନ ରାଜ୍ୟ ସରକାର ମଧ୍ୟ ତେଲ ଉପରୁ ୩ ଟଙ୍କା ଭାଟ୍‌ ଛାଡ଼ କରିବାକୁ ଘୋଷଣା କରିଥିଲେ। ଫଳରେ ରାଜ୍ୟବାସୀ ଟିକେ ଆଶ୍ୱସ୍ତ ହୋଇଥିଲେ। ତେବେ ଏହା ପରେ କେନ୍ଦ୍ର ସରକାର ଖାଇବା ତେଲ ଦର ମଧ୍ୟ କମାଇବାକୁ ଘୋଷଣା କରିଥିଲେ। ଫଳରେ ଘରଣୀଙ୍କ ଚିନ୍ତା ବି ଟିକେ କମିଥିଲା।

ତେବେ ପେଟ୍ରୋଲ ଓ ଡିଜେଲ ଦର କମିବା ପରେ ବସ୍‌ ସଂଘ ପକ୍ଷରୁ ମଧ୍ୟ ବସ୍‌ ଭଡ଼ା କମାଇବାକୁ ଘୋଷଣା କରାଯାଇଥିଲା। ଏହି ଦର କମିବା ପରେ ସବୁ ଜିଲ୍ଲାକୁ ବସ୍‌ ଭଡ଼ା କମିଛି। ବସ୍‌ ଭଡ଼ା କମିବାରୁ ଏବେ ଅନ୍ୟ ଜିନିଷର ଦର ଦାମ୍‌ କମିବ ବୋଲି ଲୋକେ ଆଶା କରୁଛନ୍ତି। କାରଣ ତେଲ ଦର ଅଧିକ ଥିବାରୁ ସବୁ ଜିନିଷ ଉପରେ ଅତିରିକ୍ତ ଯାତାୟାତ ଚାର୍ଜ ଲାଗୁଥିଲା। ଫଳରେ ଜିନିଷର ପ୍ରକୃତର ମୂଲ୍ୟ ଯେତେ ତା’ ଠାରୁ ଖୁବ୍‌ ଅଧିକ ମୂଲ୍ୟ ଦେବାକୁ ପଡ଼ୁଥିଲା। ଏଣୁ ତୈଳ ଦାମ୍‌ କମିବା ପରେ ସବୁ ଜିନିଷର ଦାମ୍‌ ଧୀରେ ଧୀରେ କମିବ ବୋଲି ଗ୍ରାହକ ଆଶା କରିଛନ୍ତି।

ଖାସ୍‌ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର କମିଲେ ଗ୍ରାହକ ଅଧିକ ଉପକୃତ ହେବେ। ଏବେ କରୋନା କଟକଣା ଯୋଗୁ ଲୋକଙ୍କ ପାଖରେ ରୋଜଗାର ନାହିଁ। ପାଖରେ ପଇସା ନଥିବାରୁ ସେମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ବି ଅସମର୍ଥ ହେଉଛନ୍ତି। ଆଳୁ- ପିଆଜ ଦର ଏବେ ଆକାଶ ଛୁଆଁ। ଏଭଳି ସ୍ଥିତିରେ ପରିବହନ ଚାର୍ଜ ଲାଗିଲେ ଏହି ଦର ଆହୁରି ବଢ଼ିଯାଉଛି। ଫଳରେ କିଛି ଲୋକଙ୍କ ଘରେ ଚୁଲି ଜଲିବା ବି କଷ୍ଟସାଧ୍ୟ ହୋଇଛି। ଏମିତି ଅବସ୍ଥାରେ ଏବେ ତେଲ ଦର କମିବା ନିହାତି ଭାବେ ସେମାନଙ୍କ ପାଇଁ ଆଶୀର୍ବାଦ ଭଳି ହେବ। ତେବେ ତେଲ ଦର ତ କମିଲା ଏବେ ଅନ୍ୟ ସାମଗ୍ରୀ ଦର କେବେ କମୁଛି ତାହାକୁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.