ଏୟାର କାନାଡ଼ାକୁ ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଦୁର୍ବ୍ୟବହାର, ଲାଗିଲା ୮୧ ଲକ୍ଷ ଟଙ୍କାର ଜରିମାନା

ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଫ୍ଲାଇଟରେ ଯାତ୍ରା କରୁଥିବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଏୟାର ଲାଇନ୍ସ ଉପରେ ୮୧ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଅମାନବିକତା ଦେଖାଇଲେ ବିମାନ କର୍ମଚାରୀ । ଯାହା ଫଳରେ ବର୍ତ୍ତମାନ ଏୟାର ଲାଇନ୍ସକୁ ଦେବାକୁ ପଡ଼ିବ ୮୧ ଲକ୍ଷ ଟଙ୍କା । ଫ୍ଲାଇଟରେ ଯାତ୍ରା କରିବା ସମୟରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଏ । କିନ୍ତୁ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଫ୍ଲାଇଟରେ ଯାତ୍ରା କରୁଥିବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଏୟାର ଲାଇନ୍ସ ଉପରେ ୮୧ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏୟାର କାନାଡ଼ା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ଅମାନବୀୟ ବ୍ୟବହାର କରିବା ମହଙ୍ଗା ପଡ଼ିଛି ।

ଏୟାର କାନାଡ଼ାକୁ ବର୍ତ୍ତମାନ ୮୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । କାରଣ ବିମାନର କର୍ମଚାରୀ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଛନ୍ତି । କାନାଡ଼ାର ପରିବହନ ଏଜେନ୍ସି ୯୭,୫୦୦ ଡଲାର ଅର୍ଥାତ ୮୧,୨୦,୮୬୭ ଟଙ୍କାର ଜରିମାନା ଲଗାଇଛି । ସୂଚନା ଅନୁସାରେ ଅଗଷ୍ଟ ମାସରେ ଜଣେ ମହିଳା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କ ସହ ବିମାନ କର୍ମଚାରୀମାନେ ଏପରି କିଛି ଦୁର୍ବବ୍ୟହାର କରିଥିଲେ ଯାହା ପରେ ସେ ଉକ୍ତ ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ବାଧ୍ୟ ହୋଇଥିଲେ ।

ଖବର ମୁତାବକ ବ୍ରିଟିଶ କଲମ୍ବିଆର ୪୯ ବର୍ଷିୟ ହାର୍ଡୱେର ସେଲ୍ସମ୍ୟାନ ରୋଡନୀ ହଜିନ୍ସ ଏବଂ ତାଙ୍କ ସ୍ତ୍ରୀ ଡିଏନା ହଜିନ୍ସ ତାଙ୍କ ବିବାହ ବାର୍ଷିକୀ ପାଇଁ ଅଗଷ୍ଟ ମାସରେ ଲସ ଭେଗାସ ଯାଇଥିଲେ । ସେଠାରେ ତାଙ୍କୁ ଏୟାର କାନାଡା ବିମାନରୁ ଓହ୍ଲାଇବାର ଥିଲା । ତେଣୁ ମହିଳା ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କ ପାଇଁ ଏକ ହ୍ଵିଲ୍‌ ଚେୟାର ମାଗିଥିଲେ । କିନ୍ତୁ ଫ୍ଲାଇଟରେ ହ୍ୱିଲ ଚେୟାର ନଥିବା ମନା କରିଦେଇଥିଲେ ବିମାନ କର୍ମଚାରୀ । କହି ରଖିବାକୁ ଚାହିଁବୁ ଯେ ବ୍ୟକ୍ତିଜଣଙ୍କ ସ୍ପାଷ୍ଟିକ୍ ସେରେବ୍ରାଲ ପାଲ୍ସି ରୋଗରେ ପିଡ଼ିତ, ଯେଉଁଥିପାଇଁ ତାଙ୍କୁ ଏକ ହ୍ୱିଲ୍ ଚେୟାର ଆବଶ୍ୟକ ।

ଦମ୍ପତି ପ୍ରଥମେ ଭାବିଥିଲେ ଯେ ବିମାନ କର୍ମଚାରୀ ଥଟ୍ଟା କରୁଛନ୍ତି, କିନ୍ତୁ କିଛି ସମୟ ପରେ ସେମାନେ ଅନୁଭବ କଲେ ଯେ ଏହା ଥଟ୍ଟା ନୁହେଁ । ବିମାନ କର୍ମଚାରୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିନା ହ୍ଵିଲ ଚେୟାରରେ ଓହ୍ଲାଇବାକୁ ବାଧ୍ୟ କରିଥିଲେ । ଦମ୍ପତିଙ୍କୁ କୌଣସି ସାହାଯ୍ୟ ଯୋଗାଇ ଦିଆଯାଇ ନଥିଲା । ଶେଷରେ ବାଧ୍ୟ ହୋଇ ଦିବ୍ୟାଙ୍ଗ ବ୍ୟକ୍ତି ନିଜେ ନିଜେ ବିମାନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ସେ ଘୁସୁଡ଼ି ଘୁସୁଡ଼ି ବିମାନର ୧୨ଟି ସିଡ଼ିରୁ ଓହ୍ଲାଇଥିଲେ । ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କ ଗୋଡ଼ ଧରି ତାଙ୍କୁ ତଳକୁ ଓହ୍ଲାଇବାରେ ସାହାଯ୍ୟ କରିଥିଲେ ।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସ୍ତ୍ରୀ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।ସମ୍ପୃକ୍ତ ଘଟଣା ପରେ ଏୟାର କାନାଡ଼ା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କ୍ଷମା ମାଗିଥିଲା । କିନ୍ତୁ ବର୍ତ୍ତମାନ ଏୟାର କାନାଡ଼କୁ ୮୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.