ହାତ ନାହିଁ କି ଗୋଡ଼ ନାହିଁ ତଥାପି ପରିବାର ପାଇଁ ରିକ୍ସା ଚଲାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରାଲ ପରେ ଚାକିରି ଅଫର ଦେଲେ ଆନନ୍ଦ ମହିନ୍ଦ୍ରା

ଭାରତର ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ତାଙ୍କ ନଜର ସବୁ ବେଳେ ନୂଆ ନୂଆ ଘଟଣା ଓ ଜିନିଷ ଉପରେ ପଡ଼େ, ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ସାରା ଦୁନିଆକୁ ସୂଚନା ଦେଇଥାନ୍ତି। ନିକଟରେ ଆନନ୍ଦ ମହିନ୍ଦ୍ରା ପୁଣିଥରେ ସେହିଭଳି ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏବେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ହାତ ଗୋଡ଼ ନଥିବା ଦିବ୍ୟାଙ୍ଗ ବ୍ୟକ୍ତି ଏକ ମୋଡିଫାଏଡ୍‌ ରିକ୍ସା ଚଳାଉଥିବାର ନଜର ଆସିଛନ୍ତି। ଏହି ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରା ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଭିଡିଓ ଦେଖି ସେ ଅବାକ୍‌ ହୋଇଯାଇଛନ୍ତି ବୋଲି ସୋସିଆଲ ମିଡିଆରେ କହିଛନ୍ତି। ଏଥିସହ ସେ ଏହି ବ୍ୟକ୍ତିଙ୍କ ପରିଚୟ ଜାଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ଫଳରେ ସେ ତାଙ୍କୁ ସାହାଯ୍ୟ କରିପାରିବେ। ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ଆନନ୍ଦ୍ର ମହିନ୍ଦ୍ରା ଚାହୁଁଥିବା ନେଇ ଟ୍ଵିଟରରେ କହିଛନ୍ତି।

୧ ମିନିଟ୍‌ ୭ ସେକେଣ୍ଡର ଏହି ଭିଡିଓରେ ଜଣେ ହାତ-ଗୋଡ଼ ନଥିବା ଦିବ୍ୟାଙ୍ଗ ବ୍ୟକ୍ତି ରାସ୍ତାରେ ନିଜ ମୋଡିଫାଏଡ୍‌ ରିକ୍ସାକୁ ବେଶ୍‌ କନ୍‌ଫିଡେନ୍ସର ସହ ଚଲାଉଛନ୍ତି। ଏହି ବ୍ୟକ୍ତିଙ୍କ ସହ କଥା ହେଉଥିବା ଲୋକଙ୍କ ସ୍ୱର ଶୁଣି ଓ ଗାଡ଼ିର ଶବ୍ଦରୁ ଲାଗୁଛି ଯେ ବ୍ୟକ୍ତି ଜଣକ ଦିଲ୍ଲୀରେ ନିଜ ରିକ୍ସା ଚଲାଉଛନ୍ତି।

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ଵିଟ୍‌ ପରେ ଜଣେ ବ୍ୟକ୍ତି ରିପ୍ଲାଏ ଦେଇ କହିଛନ୍ତି, ଏହି ବ୍ୟକ୍ତି ଏହି ଗାଡ଼ିକୁ ୫ ବର୍ଷ ହେଲାଣି ଚଲାଉଛନ୍ତି। ତାଙ୍କ ଘରେ ପତ୍ନୀ ଓ ୨ଟି ଛୋଟ ପିଲା ବି ଅଛନ୍ତି। ତାଙ୍କ ବାପା ବୁଢ଼ା ହୋଇଯାଇଛନ୍ତି। ଏଣୁ ବାଧ୍ୟ ହୋଇ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେ କାମ କରୁଛନ୍ତି। ପରିବାର ପେଟ ପୋଷିବାକୁ ସେ ଏହି ଗାଡ଼ି ଚଲାଉଛନ୍ତି।

ଏବେ ଆନନ୍ଦ ମହିନ୍ଦ୍ରା ଏହି ବ୍ୟକ୍ତିଙ୍କୁ ଖୋଜିବାରେ ତାଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରକାଶ ଯେ ଆନନ୍ଦ ମହିନ୍ଦ୍ରାଙ୍କ ଟ୍ଵିଟରରେ ୮୬ ଲକ୍ଷ ଫଲୋୟର୍ସ ଅଛନ୍ତି।