ଝାଉଁ ଜଙ୍ଗଲ ସହ ମାଟି ବି ଚାଲିଗଲାଣି ସମୁଦ୍ର ଆଁ କୁ, ଆଗକୁ ବାଲିଆପାଳବାସୀଙ୍କ ପାଳି
ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ। ଗିଳୁଛି କୂଳର ମାଟି ସବୁ। ଆଉ ଟିକେ ଆଗକୁ ଗଲେ ନିଜ ଗର୍ଭକୁ ନେଇଯିବ ଜନବସତି ସବୁ। ବଙ୍ଗୋପସାଗର ଏବେ ବାଲେଶ୍ୱର ବାଲିଆପାଳବାସୀଙ୍କ ଦୁଃଖର କାରଣ ପାଲଟିଛି। ଏହାର କୂଳରେ ଥିବା ୫ଟି ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ଗାଁ ଲୋକେ ଏବେ ଡରି ଡରି ଜୀଉଁଛନ୍ତି। ବାଲିଆପାଳ ବ୍ଲକର ଜମ୍ଭିରାଇ, ପଞ୍ଚୁପାଲି, ବୋଳଂ, ସାଉଡି ଏବଂ କଷାଫଳ ପଞ୍ଚାୟତର ଲୋକମାନଙ୍କର ଚିନ୍ତା ବଢ଼ାଇଛି ସମୁଦ୍ର। କାରଣ କୂଳ ଖାଇ ଆଗକୁ ମାଡି ଚାଲିଛି। ସ୍ଥାନୀୟ ଲୋକଙ୍କର ଭିଟାମାଟିକୁ ବନ୍ୟା ବାତ୍ୟା ଆଦି ଦୁର୍ବିପାକରୁ ସୁରକ୍ଷା ଦେଉଥିବା ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ ଆଉ ନାହିଁ। ନିଜ ଗର୍ଭକୁ ନେଇ ସାରିଲାଣି ସମୁଦ୍ର। କୂଳ ଖାଉଥିବା ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରକଳ୍ପ ପ୍ରସ୍ତୁତ ହୋଇ ରହିଛି। ତେବେ ଅର୍ଥ ମଞ୍ଜୁର ହେଲେ ସିନା କାମ ଆରମ୍ଭ ହେବ?
ଜୁଆରିଆ ତିଥିରେ ଅଧିକ ବାଟ ମାଡ଼ି ଆସୁଛି ସମୁଦ୍ର। ତେଣୁ ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୩୦ ହଜାରରୁ ଅଧିକ ଲୋକେ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି। ଏକର ଏକର ଚାଷଜମି ଏବଂ ପାନବରଜ ସବୁ ସମୂଦ୍ର ଗର୍ଭକୁ ଚାଲିଯିବ। ଉପକୂଳରେ ଥିବା ବାଲିବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ମାତ୍ର ସାମୁଦ୍ରିକ ବାତ୍ୟା ଏବଂ ଜୁଆର ମାଡ ଫଳରେ ବର୍ଷକୁ ପ୍ରାୟ ୫୦ ଫୁଟରୁ ଅଧିକ ବାଲିବନ୍ଧ ଧୋଇ ହୋଇ ଯାଉଛି । ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପଥର ଡମ୍ପିଂ ସହ ସିୱାଲ ବା ସମୁଦ୍ର ପାଚେରୀ ନିର୍ମାଣ କରାଯିବାକୁ ଯୋଜନା ହୋଇଥିଲା । ଏଥିପାଇଁ ୨୦୧୬ ମସିହାରେ ୧୧ କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ ମଧ୍ୟ କରାଯାଇଥିଲା। ପ୍ରକଳ୍ପର ଗୁରୁତ୍ୱକୁ ବୁଝି ରାଜ୍ୟ ସରକାରଙ୍କ ୧୧୯ତମ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ଦେଇଥିଲା। ମାତ୍ର ବର୍ଷ ପରେ ବର୍ଷ ବିତି ଚାଲିଛି ହେଲେ ଅର୍ଥ ମଞ୍ଜୁର ହୋଇ ପାରୁନାହିଁ।
ଅର୍ଥ ପାଇଁ ଅନର୍ଥ ହେବାକୁ ଯାଉଛି । ଯାହାକୁ ନେଇ ଜନଅସନ୍ତୋଷ ବି ବଢୁଛି । କାରଣ ଲୋକେ ଯାହା ଜାଣଛନ୍ତି ସେଇ ସମାନ କଥା କହୁଛନ୍ତି ସରକାରୀ ଅଧିକାରୀ । ଜନହିତ ପାଇଁ ଅନେକ ପଦକ୍ଷେପ ନେଇଥିବା ବର୍ତ୍ତମାନର ସରକାର ବାଲିଆପାଳବାସୀଙ୍କ ଦୁଃଖ ବୁଝିବେ ବୋଲି ସେମାନେ ଆଶା କରୁଛନ୍ତି । ହେଲେ ସମସ୍ୟା କେଉଁଠି ଅଟକିଛି ତାକୁ ଦୂର କରାଯିବା ଜରୁରୀ ।