ରେଶମ ସହର ଉତ୍ସବ ମୁଖର, ଆରମ୍ଭ ହେଲା ମାଁ ବୁଢୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ମାଁଙ୍କୁ ମୁଖ୍ୟ ମନ୍ଦିରରୁ ଏକ ବିରାଟ ପଟୁଆରରେ ଅଣାଯାଇ ଦେଶୀବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଛି । ଏହି ପଟୁଆରରେ ସାମିଲ ହୋଥିଲେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀ ଠାକୁରାଣୀ । ପ୍ରତି ଦୁଇବର୍ଷରେ ଥରେ ମାଁଙ୍କ ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତଥର ମାଁଙ୍କ ଯାତ୍ରା ଶୁକ୍ରବାର ବିଳମ୍ବିତ ରାତ୍ରୀରୁ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ରେଶମ ସହର ବ୍ରହ୍ମପୁର ଉତ୍ସବ ମୁଖର ହୋଇଉଠିଛି । ବିଳମ୍ବିତ ରାତ୍ରୀରେ ଦେଶୀବେହେରା ସାହିରୁ ଏକ ବିରାଟ ପଟୁଆରରେ ମାଁ ବୁଢୀ ଠାକୁରାଣୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲା ।

thakurani

ମନ୍ଦିରରେ ପାରମ୍ପରିକ ସ୍ୱତନ୍ତ୍ରୀ ନୀତିକ୍ରାନ୍ତି ପରେ ମାଁଙ୍କ ଆଜ୍ଞାମାଳ ଚାଙ୍ଗୁଡିରେ ପଡିଥିଲା । ଏହାପରେ ମାଁଙ୍କ ଯାତ୍ରା ପାଇଁ ଅନୁମତି ମିଳିବା ସ୍ପଷ୍ଟ ହୋଇଥିଲା । ଏହାପରେ ମାଁଙ୍କୁ ଶଶୁର ଘରୁ(ମୁଖ୍ୟ ମନ୍ଦିର)ରୁ ବାପଘରକୁ (ଅସ୍ଥାୟୀ ମଣ୍ଡପ)କୁ ଆସିଥିଲେ । ମାଁଙ୍କ ଏହି ପଟୁଆରରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ହୋଇଥିଲେ । ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିଖିତ ହୋଇଛି । ସେପଟେ ମାଁ ଅସ୍ଥାୟୀ ମଣ୍ଡପରେ ଗୋଟିଏ ଦିନ ବିଶ୍ରାମ ନେବା ପରେ ମାଁଙ୍କ ଘଟ ବିଭିନ୍ନ ସାହି ପରିକ୍ରମାରେ ବାହାରିବ ବୋଲି ପ୍ରକାଶ କରିଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ।

thakurani 3

ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମାଁ ବୁଢୀଠାକୁରାଣୀଙ୍କ ଏହି ପ୍ରସିଦ୍ଧ ଯାତ୍ରା ଚଳିତଥର ୩୨ଦିନ ବ୍ୟାପି ଅନୁଷ୍ଠିତ ହେବ । ଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟବାହାରୁ ପ୍ରତିଦିନ ଭକ୍ତଙ୍କ ପ୍ରବଳ ସମାଗମ ହେବ । ଏଥିପାଇଁ ଉଭୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାତ୍ରାର ପ୍ରଥମ ଦିନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୧୧ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

ଭକ୍ତଙ୍କ ଭିଡ,ଟ୍ରାଫିକ ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ପୃଥକ ପୃଥକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାଛଡା ଯାତ୍ରାରେ ଯେହେତୁ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ରହିବ ସେଥିପାଇଁ ପର‌୍ୟ୍ୟାପ୍ତ ମହିଳା ପୋଲିସ ମୁତୟନ ସହ ମହିଳା ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯାଇଥିବା ପ୍ରକାଶ କରିଛନ୍ତି ବ୍ରହ୍ମପୁର ଏସପି ପିନାକ୍ ମିଶ୍ର । ଏହାଛଡା ଯାତ୍ରାସ୍ଥଳ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ କିଭଳି ଶାନ୍ତି ଓ ଶୃଙ୍ଖଳାର ସହ ଯାତ୍ରା ସମାପନ ହେବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

thakurani 1

ମାଁଙ୍କୁ ବିଳମ୍ୱିତ ରାତିରେ ଦେଶୀବହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରିବା ପରେ ମାଁଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ଭିଡ ଆରମ୍ଭ ହୋଇଯାଇଛି । ଏହା ସହ ଆଜି ଶନିବାର ହୋଇଥିବା ଯୋଗୁଁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ ଲାଗି ରହିବ ।

ବ୍ରହ୍ମପୁରରୁ ମାନସ ବିଷୋୟୀ ଏବଂ ରବିନ୍ଦ୍ରନାଥ ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.