ତତକାଳୀନ ବ୍ରିଟିଶ ହାତରୁ ମାଟିକୁ ମୁକୁଳେଇବା ପାଇଁ ଓଡିଶା ମାଟିର ଯେଉଁ କେତେ ଜଣ ବରପୁତ୍ର ନିଜ ପ୍ରାଣ ବଳି ଦେଇଥିଲେ ସେମଧ୍ୟରୁ ଜଣେ ଥିଲେ ଚକରା ବିଶୋୟୀ । ତତକାଳୀନ ଗଡଜାତ ରାଜ୍ୟ ଘୁମୁସରରେ ୧୮୨୩ ମସିହା ଆଜିର ଦିନରେ ତାଙ୍କର ଜନ୍ମ । ଘୁମୁସର ଆଦିବାସୀ ମାନଙ୍କୁ ମେଳି କରି ବ୍ରିଟିଶ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ ସେ । ସେସମୟରେ ଇଂରେଜ ସରକାର ଘୁମୁସର ମାଟିକୁ ନିଜ ଅକ୍ତିଆରକୁ ନେବା ପାଇଁ ସେଠାକାର ବାସିନ୍ଦା ମାନଙ୍କ ଉପରେ ଖୁବ ଅତ୍ୟାଚାର କରୁଥିଲେ । ଏମିତିକି ସେମାନଙ୍କୁ ମୃତ୍ୟୁଦଣ୍ଡ ବି ଦିଆଯାଉଥିଲା । ଯାହା ବାଳକ ଚକରାଙ୍କୁ ଖୁବ ଅତିଷ୍ଠ କରିଦେଇଥିଲା । ନିଜ ଭିତରର ନିଆଁକୁ ଲୁଚେଇ ପାରିନଥିଲେ । ମାତ୍ର ୧୩ ବର୍ଷ ବୟସରେ ଆରମ୍ଭ କରିଦେଇଥିଲେ ସଂଗ୍ରାମ । ସେଠାକାର ଆଦିବାସୀ ମାନଙ୍କୁ ଏକାଠି କରି ଅସ୍ତ୍ର ଚାଲନା, ମଲଯୁଦ୍ଧ, ରଣ ବିଦ୍ୟା ଆଦି ଶିଖେଇବାକୁ ଲାଗିଲେ ।
ନିଜେ ଗଠନ କରିଥିଲେ “ଗରିଲା ବାହିନୀ” । ଚକରାଙ୍କ ଏହି ବାହିନୀର ଟେର ପାଇ ପାରୁନଥିଲେ ଇଂରେଜ ବାହିନୀ । ପବନ ପରି ଅନ୍ତର୍ଧ୍ୟାନ ହୋଇ ଯାଉଥିଲେ ଇଂରେଜ ଆଖିରୁ । ତାଙ୍କୁ ଧରିବା ପାଇଁ ୧୦ ହଜାର ଟଙ୍କାର ପୁରସ୍କାର ବି ଘୋଷଣା କରିଥିଲେ ଇଂରେଜ ସରକାର । ଏମିତିକି ଚକରାଙ୍କ ଭୟରେ ବାରମ୍ବାର ପଛଘୁଞ୍ଚା ଦେବାକୁ ପଡିଛି ବ୍ରିଟିଶଙ୍କ ବିରାଟ ବାହିନୀକୁ । ଘଂଚ ଜଙ୍ଗଲ ଭିତରେ ଚାଲିଥିଲା ଚକରାଙ୍କ ବିଦ୍ରୋହ ନୀତି । ଗାଁ ଗାଁ ବୁଲି ସାଧାରଣ ଲୋକଙ୍କୁ ଇଂରେଜ ବିରୋଧୀ ସ୍ଲୋଗାନ ଦେଇ ଲୋକଙ୍କୁ ଚେତାଉଥିଲେ । ବ୍ରିଟିଶ ବାହିନୀଙ୍କୁ ଧୂଳି ଚଟେଇ ଥିବା ଗରିଲା ବାହିନୀ ବ୍ରିଟିଶରଙ୍କ ରଣନୀତି ଭାଙ୍ଗିବା ପାଇଁ ଘୁମୁସରର ନୂଆ ଗାଁ ସରକାରୀ କାର୍ଯ୍ୟାଳୟକୁ ନିଆଁ ଲଗାଇ ଦେଇଥିଲେ ।
ବିଶ୍ୱାସ ରହିଛିକି ଜଙ୍ଗଲ ଠାକୁରାଣୀ ମା’ ରଣଘଣ୍ଟାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଥିଲା ତାଙ୍କ ଉପରେ । ତାଙ୍କ ଉପରକୁ କୌଣସି ବିପଦ ଆସିଲେ ଘଣ୍ଟ ଘଣ୍ଟା ଆପଣା ଛାଏଁ ବାଜି ଉଠୁଥିଲା | ଫଳରେ ସେମାନେ ସତର୍କ ହୋଇଯାଉଥିଲେ । କିନ୍ତୁ ତାଙ୍କ ବିଷୟରେ ପ୍ରକୃତ ସତ୍ୟାସତ୍ୟ ଆଜିବି ରହସ୍ୟ ହୋଇରହିଛି । ଏମିତି ଘଟଣା ଇତିହାସରେ ବିରଳ । ଚକରା ଯେ ଆଦିବାସୀ ସମ୍ପ୍ରଦାୟର ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଏଥିରେ କୌଣସି ସନ୍ଦେହ ନାହିଁ । ୧୮୫୭ ସିପାହୀ ବିଦ୍ରୋହ ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତାଙ୍କ ସ୍ମୃତିରେ ବିଂଝାଗିରି ଗାଁରେ ଏକ ପ୍ରତିମୂର୍ତ୍ତି ବି ସ୍ଥାପନା କରାଯାଇଛି । କିନ୍ତୁ ତାଙ୍କୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସ୍ୱର ଉଠୁଛି ।