୨୧ଦିନ ଧରି ଶାରଳା ପୀଠରେ ଅନୁଷ୍ଠିତ ହୁଏ ଚନ୍ଦନ ଯାତ୍ରା, ମାଆଙ୍କ କୃପା ଲାଭ କରନ୍ତି ଶହଶହ ଶ୍ରଦ୍ଧାଳୁ

ଝଙ୍କଡ ବାସିନୀ ମା’ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା । ଚନ୍ଦନଯାତ୍ରା ୨୧ଦିନ ବ୍ୟାପି ଚାଲିଥାଏ । ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଦେବାଦେବୀଙ୍କ ପୀଠରେ ଆରମ୍ଭ ହୁଏ ଚନ୍ଦନଯାତ୍ରା । ମା’ଶାରଳା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରିବା ସହ ଚନ୍ଦନ କୁଣ୍ଡିରେ ବିଶ୍ରାମ କରିବାର ପରମ୍ପରା ରହି ଆସିଛି ।

କେନ୍ୟୁଜ୍‌(ବ୍ୟୁରୋ): ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଦେବାଦେବୀଙ୍କ ପୀଠରେ ଚନ୍ଦନଯାତ୍ରା ପରମ୍ପରା ଦେଖିବାକୁ ମିଳେ । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା’ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା । ଏହି ଚନ୍ଦନଯାତ୍ରା ୨୧ଦିନ ବ୍ୟାପି ଚାଲିଥାଏ । ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଦେବାଦେବୀଙ୍କ ପୀଠରେ ଆରମ୍ଭ ହୁଏ ଚନ୍ଦନଯାତ୍ରା । ସେହପରି ମା’ଶାରଳାଙ୍କ ପୀଠରେ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଚନ୍ଦନଯାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମା’ଶାରଳା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରିବା ସହ ପୁଷ୍କରିଣୀ ମଝି କୁଣ୍ଡି ମନ୍ଦିରରେ ଥିବା ଚନ୍ଦନ କୁଣ୍ଡିରେ ବିଶ୍ରାମ କରିବାର ପରମ୍ପରା ରହି ଆସିଛି ।

ସକାଳୁ ସକାଳୁ ମା’ଶାରଳାଙ୍କ ମଙ୍ଗଳ ଆଳତି, ମାର୍ଜନା, ଅଭଡା ଲାଗି, ବାଳଧୂପ ପରି ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥାଏ । ମଧ୍ୟାହ୍ନରେ ମା’ଶାରଳାଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶରେ ମନ୍ଦିର ବେଢା ପରିକ୍ରମା କରିଥାନ୍ତି । ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରି ଆଲଟ, ଚାମର, ଘଣ୍ଟଘଣ୍ଟା, କାହାଳୀ, ଭେରୀତୂରୀ, ବାଜାବାଣ ରୋଷଣୀ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମା’ଶାରଳା ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି । ଏହାପରେ ସୁସଂଜିତ ନୌକାରେ ମା’ଙ୍କ ପ୍ରତିମାକୁ ବସାଯାଇ ନୌକା ବିହାର ପରେ ପୁଷ୍କରିଣୀ ମଝି କୁଣ୍ଡି ମନ୍ଦିରରେ ଥିବା ଚନ୍ଦନ କୁଣ୍ଡିରେ ରଖାଯାଇଥାଏ । ସନ୍ଧ୍ୟାରେ ପୁଣି ପୁଷ୍କରିଣୀରୁ ଅଣାଯାଇ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚନା ପରେ ବିଶ୍ରାମ ଦିଆଯାଇଥାଏ ।

ଏହା ଯାତ୍ରା ଅବସରରେ ଉତ୍ସବ ମୁଖର ହୋଇଉଠିଛି ମା’ଙ୍କ ପୀଠ । ପ୍ରତ୍ୟହ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ମା’ ଙ୍କ ଦର୍ଶନ କରି ଚନ୍ଦନ ଯାତ୍ରା ଦେଖି ମାଙ୍କ କୃପା ଲାଭ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.