ପ୍ରକୃତିର ଅନନ୍ୟ ଅବଦାନ ଚାନ୍ଦିଲି ପାହାଡ଼, ଥରେ ଗଲେ ଆଉ ଫେରିବାକୁ ହେବନି ମନ

ବଲାଙ୍ଗିର ଜିଲ୍ଲାରେ ପ୍ରକୃତିର ଅବଦାନ ଅନେକ। ଜିଲ୍ଲାରେ ରହିଛି ଅନେକ ମନୋରମ ଓ ସୁନ୍ଦର ସ୍ଥାନ। ହେଲେ ପ୍ରଚାର ପ୍ରସାର ଅଭାବରୁ ଆଜି ସେ ସ୍ଥାନଗୁଡ଼ିକ ଲୋକଲୋଚନକୁ ଆସି ପାରୁନାହିଁ। ଏପରି ଏକ ସ୍ଥାନ ହେଉଛି ଦେଓଗାଁ ବ୍ଲକର ଚାନ୍ଦିଲି ପାହାଡ। ସ୍ଥାନୀୟ ଲୋକଙ୍କ ଆଧ୍ଯାତ୍ମିକ ଭାବାବେଗ ସହିତ ଜଡିତ ଏହି ପାହାଡକୁ ଏକ ପର୍ଯ୍ଯଟନସ୍ଥଳର ମାନ୍ଯତା ପାଇଁ ଦାବି ଜୋର ଧରିଛି।

bolangir3

ଚାରିଆଡ଼େ ଜଙ୍ଗଲ ଆଉ ମଝିରେ ଚାନ୍ଦିଲି ପାହାଡ଼। ମନୋରମ, ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ। ଏପରି ଏକ ସ୍ଥାନ ରହିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଦେସଣ୍ଢ ନିକଟ ଚାନ୍ଦିଲି ପାହାଡ଼ରେ। ପାହାଡ଼ରେ ରହିଛି ସୀତାକୁଣ୍ଡ, ଭୀମ ସିଂହାସନ, ସପ୍ତଫେଣୀ ନାଗ ପଥର ଏପରି ଅନେକ ସ୍ଥାନ, ଯାହା ଲୋକଙ୍କୁ ଆକୃଷ୍ଟ କରିଛି। ଏହା ସହିତ ଲୋକଙ୍କ ଭାବାବେଗ ସହିତ ଜଡିତ ଥିବା ବଟବୃକ୍ଷ ବି ରହିଛି। ଏହି ସ୍ଥାନକୁ ଆସି ଭଗବାନଙ୍କୁ ଦର୍ଶନ କଲେ ମନୋବାଞ୍ଝା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଏହି ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦାବି କରିଛନ୍ତି ଅଞ୍ଚଳବାସୀ।

bolangir2

ଏହି ସ୍ଥାନର ଉନ୍ନତି ଓ ସୁରକ୍ଷା ପାଇଁ ଯୋଜନା କରିଛି ବଲାଙ୍ଗୀର ବନ ବିଭାଗ । ବନ ବିଭାଗର ଏକ ଟିମ୍ ଏହି ପାହାଡକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହାକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପାଇଁ ବନ ବିଭାଗ ପକ୍ଷରୁ ସରକାରଙ୍କ ପାଖକୁ ସରକାରୀ ନିୟମ ଅନୁସାରେ ଅନୁମୋଦନ ପାଇଁ ପଠାଯିବ ବୋଲି ବଲାଙ୍ଗୀର ଡି.ଏଫ.ଓ କହିଛନ୍ତି। ଚାନ୍ଦିଲି ପାହାଡକୁ ପର୍ଯ୍ୟଟନସ୍ଥଳର ମାନ୍ଯତା ଦିଆଗଲେ, ଏହି ଅଞ୍ଚଳର ବିକାଶ ହେବା ସହ ବଲାଙ୍ଗିର ଜିଲ୍ଲା ଆହୁରି ସବୁଜ ସୁନ୍ଦର ହେବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.