ଘରେ ପଶିବାକୁ ଦେଲାନି ଘର ମାଲିକ, ୨ ବର୍ଷର ଛୁଆ ଓ ସ୍ୱାମୀ ସହିତ ୨ ଦିନ ଟ୍ୟାକ୍ସିରେ ବିତାଇଲେ କରୋନା ସଂକ୍ରମିତ ମହିଳା

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ମହିଳାଙ୍କୁ ନିଜ ସ୍ୱାମୀ ଓ ୨ ବର୍ଷର ଛୁଆ ସହିତ ଏକ ଟ୍ୟାକ୍ସିରେ ଦୁଇ ରାତି କଟେଇବାକୁ ପଡ଼ିଛି। କାହିଁକି ନା, ତାଙ୍କ ଘର ମାଲିକ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭଡ଼ା ଘରେ ପଶିବାକୁ ଦେଇ ନ ଥିଲେ।

ଖବର ରହିଛି କି, ମହିଳାଙ୍କ ସ୍ୱାମୀ ପରସରାମ ଜଣେ ଟ୍ୟାକ୍ସି ଚାଳକ। ଦୁଇ ଦିନ ତଳେ ସେ ତାଙ୍କ ସ୍ତ୍ରୀଙ୍କୁ ଚେକଅପ ପାଇଁ ଶିମଲା ନେଇ ଯାଇଥିଲେ। ସେଠାରେ ଯାଞ୍ଚ ସମୟରେ ସ୍ତ୍ରୀ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିଲା। ଏଥିପାଇଁ ଡାକ୍ତର ତାଙ୍କୁ ଏବଂ ପରିବାରକୁ ହୋମ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଥିଲେ।

ଏହାପରେ ପରସରାମ ସ୍ତ୍ରୀ ଓ ପିଲାକୁ ଧରି ମଣ୍ଡି ଫେରି ଆସିଥିଲେ। ଏଠାରେ ସେ ଯେଉଁ ଘରେ ଭଡ଼ା ଥିଲେ, ସେହି ଘର ମାଲିକଙ୍କୁ ସ୍ତ୍ରୀ କୋଭିଡ ପଜିଟିଭ ଥିବା କଥା ଜଣାଇଥିଲେ। କିନ୍ତୁ ଘର ମାଲିକ ପରସରାମଙ୍କୁ ପରିବାର ଧରି ଆଉ କେଉଁଠିକୁ ଚାଲିଯିବାକୁ କହିଥିଲେ। ଏହାପରେ ସେମାନେ ଅନ୍ୟ କୌଣସି ବାଟ ନ ପାଇ ନିଜ ଟ୍ୟାକ୍ସିରେ ହିଁ ରହିବାକୁ ବାଧ୍ୟ ହୋଇଥିଲେ।

ଖବର ଅନୁସାରେ, ଦୁଇ ଦିନ ଟ୍ୟାକ୍ସିରେ ରହିବା ପରେ ପରସରାମଙ୍କୁ ଡିଏସପିଙ୍କ ନମ୍ବର କେଉଁଠାରୁ ମିଳିଥିଲା। ଏହାପରେ ସେ କଲ କରି ତାଙ୍କୁ ସହାୟତା ମାଗିଥିଲେ। ଡିଏସପି ଗୀତାଞ୍ଜଳି ଠାକୁର ପୋଲିସ ଟିମ ସହ ପହଞ୍ଚିଥିଲେ ଏବଂ ଘର ମାଲିକଙ୍କୁ ବୁଝାଶୁଝା କରେଇ ଉକ୍ତ ଭଡ଼ା ଘରେ ରହିବା ପାଇଁ ଅନୁମତି ଆଣିଥିଲେ। ଏତିକି ନୁହେଁ, ଏହି ପରିବାରକୁ ସେ ରାଶନର ବ୍ୟବସ୍ଥା ମଧ୍ୟ କରେଇ ଦେଇଥିଲେ।