‘ଖାଦ୍ୟ ସ୍ୱାଦିଷ୍ଟ ଥିଲା, ମୁଁ ଖାଇଦେଲି, କମ୍ପ୍ଲେନ୍‌ କରିଦେବ’…ଏମିତି କିଛି ଥିଲା ଫୁଡ୍‌ ଡେଲିଭରି ବୟଙ୍କ ମେସେଜ; ରାଗିଗଲେ ଗ୍ରାହକ

ଜଣେ ବ୍ୟକ୍ତି ଅନଲାଇନ ଖାଦ୍ୟ ଅର୍ଡର କରିଥିଲେ। ଅର୍ଡର କରିବା ପରେ ସେ ଡେଲିଭରି ଅପେକ୍ଷାରେ ବସିଥିଲେ। ତାଙ୍କୁ ଜୋର୍‌ରେ ଭୋକ ବି ଲାଗୁଥିଲା। ହେଲେ ସେହି ସମୟରେ ଯାହା ହେଲା, ତାହା ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ବାସ୍ତବରେ, ସେହି ସମୟରେ ବ୍ୟକ୍ତିଙ୍କୁ ଡେଲିଭରି ବୟଙ୍କ ମେସେଜ ମିଳିଥିଲା, ଯାହାକୁ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକି ନା, ଡେଲିଭରି ବୟ ବ୍ୟକ୍ତିଙ୍କ ଦ୍ୱାରା ଅର୍ଡର କରାଯାଇଥିବା ଖାଦ୍ୟକୁ ରାସ୍ତାରେ ହିଁ ଖାଇ ଦେଇଥିଲେ।

ଡେଲିଭରି ବୟ ଓ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ଏହି ଚାଟ୍‌ର ସ୍କ୍ରିନ୍‌ଶର୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚାଟ୍‌ରେ ପ୍ରଥମେ ଡେଲିଭରି ବୟ ଲେଖିଛନ୍ତି, ‘ସରି’। ଏହା ଉପରେ ଗ୍ରାହକ ପଚାରୁଛନ୍ତି, ‘କ’ଣ ହେଲା’? ପୁଣି ଏହାର ଜବାବରେ ଡେଲିଭରି ବୟ ଲେଖୁଛନ୍ତି, ‘ଖାଦ୍ୟ ବହୁତ ଟେଷ୍ଟି ଥିଲା। ମୁଁ ତାହାକୁ ଖାଇଦେଲି। ଆପଣ କମ୍ପାନୀ ପାଖରେ ଏ ନେଇ ଅଭିଯୋଗ କରି ପାରିବେ’।

ଅନଲାଇନ ଫୁଡ୍‌ ଡେଲିଭରି କମ୍ପାନୀ Deliverooର ଜଣେ କର୍ମଚାରୀଙ୍କର ଏଭଳି ମେସେଜ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ମେସେଜ ପଢ଼ି ଗ୍ରାହକ ଜଣକ କହୁଛନ୍ତି, ‘ତୁମେ ବହୁତ ଖରାପ ମଣିଷ’। ଏହାପରେ ଡେଲିଭରି ବୟ ଉତ୍ତର ଦେଉଛନ୍ତି ଯେ ‘ମୋତେ ଏହାର କୌଣସି ଫରକ୍‌ ପଡ଼େ ନାହିଁ’।

ରିପୋର୍ଟ ମୁତାବକ, ଏହି ମାମଲା ବ୍ରିଟେନର ବୋଲି ଜଣାପଡ଼ିଛି। ଖାଦ୍ୟ ଅର୍ଡର କରିବାକୁ ବ୍ୟକ୍ତିଙ୍କ ନାମ ଲିୟାମ ବ୍ୟାଗନଲ। ଲିୟାମ୍‌ଙ୍କୁ ଜୋର୍‌ରେ ଭୋକ ଲାଗୁଥିଲା। ଏଥିପାଇଁ ସେ Deliverooରୁ ନିଜ ପାଇଁ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ଡେଲିଭରି ବୟ ସେହି ଖାଦ୍ୟକୁ ରାସ୍ତାରେ ହିଁ ଖାଇ ଦେଇଥିଲେ। ଲିୟାମ ଟ୍ଵିଟରରେ ଡେଲିଭରି ବୟଙ୍କ ସହ ହୋଇଥିବା ନିଜର ଏହି ଚାଟ୍‌ର ସ୍କ୍ରିନଶର୍ଟକୁ ସେୟାର କରିଛନ୍ତି। ତାଙ୍କ ଟ୍ଵିଟ୍‌କୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି ଏବଂ ହଜାର ହଜାର ୟୁଜର ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ସେପଟେ Deliveroo ମଧ୍ୟ ଲିୟାମଙ୍କ ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ଦେଇଛି। Deliveroo ଲେଖିଛି, ଏହି କଥା ଆମକୁ ଜଣାଇଥିବାରୁ ଧନ୍ୟବାଦ। ରାଇଡର ଅପରେସନ୍ସ ଟିମ୍‌ ଏହା ଉପରେ ଧ୍ୟାନ ଦେବାକୁ ଚାହିଁବ। ଦୟାକରି ଆମକୁ ଘଟଣା ବିଷୟରେ ଅଧିକ ସୂଚନା ପାଇଁ ନିଜର ନମ୍ବର ମେସେଜ କରନ୍ତୁ। ଏଥି ସହିତ କମ୍ପାନୀ ଗ୍ରାହକଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛି।