ଜାଣନ୍ତୁ କିଏ ଏହି ନବନୀତ ରାଣା, ଯାହାଙ୍କୁ ନେଇ ଜୋର ଧରିଛି ଏତେ ଚର୍ଚ୍ଚା

ନିର୍ଦଳୀୟ ସାଂସଦ ତଥା ପୂର୍ବତନ ସାଉଥ ଆକ୍ଟ୍ରେସ ନବନୀତ ରାଣାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ନବନୀତ ତଥା ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଶନିବାର ମୁମ୍ବାଇ କୋର୍ଟ ଜେଲ ପଠାଇ ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ ଚ୍ୟାଲେଞ୍ଜ ଦେବା ଘଟଣାକୁ ନେଇ ଦୁଇ ସ୍ୱାମୀସ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା । ଏହି ଚ୍ୟାଲେଞ୍ଜ ଦେବା ପରଦିନ ହିଁ ନବନିତ ଓ ରବିଙ୍କ ଘର ସାମ୍ନାରେ ଶିବସେନା ତରଫରୁ ବିକ୍ଷୋଭ କରାଯାଇଥିଲା । ଦୁହିଁଙ୍କୁ ଘରୁ ବାହାରକୁ ବି ଯିବାକୁ ଦିଆଯାଉନଥିଲା । ଆଉ ଶେଷରେ ଶନିବାର ଦୁହିଁଙ୍କୁ ଗିରଫ କରାଯାଇଛି । ପରେ ମୁମ୍ବାଇ ଅଦାଲତ ଦୁହିଁଙ୍କୁ ମେ ୬ ତାରିଖ ଯାଏଁ କୋର୍ଟ ହାଜତକୁ ପଠାଇ ଦେଇଛନ୍ତି । ଦୁହିଁଙ୍କ ଜାମିନ ଆବେଦନ ଉପରେ ଏପ୍ରିଲ ୨୯ ତାରିଖ ଦିନ ଶୁଣାଣି ହେବ । ଯାହାଙ୍କ ବିଷୟରେ ଏତେ କଥା ଶୁଣି ସାରିଲେଣି । କଣ ଜାଣିଛନ୍ତିକି ଏଦୁହେଁ କିଏ | କଣ ଏମାନଙ୍କ ପରିଚୟ । କାହିଁକି ସେମାନଙ୍କୁ ନେଇ ଏତେ ଚର୍ଚ୍ଚା ।

ନବନୀତ କୌର ରାଣା ହେଉଛନ୍ତି ଅମରବତୀର ସାଂସଦ । ୨୦୧୯ ଲୋକସେବା ନିର୍ବାଚନରେ ନିର୍ଦଲୀୟ ନେତ୍ରୀ ଭାବେ ନିର୍ବାଚନ ଲଢ଼ିଥିଲେ । ରାଜନୀତିରେ ପାଦ ଦେବା ପୂର୍ବରୁ ନବନୀତ ତେଲୁଗୁ ସିନେମା ଜଗତରେ ଜଣେ ଜଣାଶୁଣା ଆକ୍ଟ୍ରେସ ଥିଲେ । ନବନିତଙ୍କ ଜନ୍ମ ୧୯୮୬ ମସିହା ଜାନୁଆରୀ ୩ ତାରିଖରେ ଏକ ପଂଜାବୀ ପରିବାରରେ ହୋଇଥିଲା । ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପରେ ନବନିତ ପାଠ ଛାଡି ମଡେଲିଂଗରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ | ୬ ଟି ମ୍ୟୁଜିକ ଭିଡିଓରେ କାମ କରିବା ପରେ ଫିଲ୍ମରେ ଡେବ୍ୟୁ କରିଥିଲେ ନବନୀତ । ତାଙ୍କ ପ୍ରଥମ ଫିଲ୍ମ କନ୍ନଡ ଭାଷାରେ ଥିଲା, ଯାହାର ନା “ଦର୍ଶନ” ଥିଲା । ଏହା ପରେ ତେଲୁଗୁ ସିନେମାରେ ନିଜ କ୍ୟାରିୟର ଟ୍ରାଏ କରିଥିଲେ । ଏଠି ସେ ସିନୁ ବସନ୍ତ ଲକ୍ଷ୍ମୀ, ଭୂମା, ଟେରର, ଜଗପତିଙ୍କ ସହିତ ଅନ୍ୟ କେତେକ ଫିଲ୍ମରେ ବି କାମ କରିଥିଲେ ।

 

navneet rana
image credit; ZEE NEWS

ନବନିତଙ୍କ ସାକ୍ଷାତ ତାଙ୍କ ସ୍ୱାମୀଙ୍କ ସହିତ ୨୦୦୯ ରୁ ୨୦୧୧ ମଧ୍ୟରେ ହୋଇଥିଲା । ଦୁହେଁ ବାବା ରାମଦେବଙ୍କ ସହିତ ମୁମ୍ବାଇ ସ୍ଥିତ ଏକ ଯୋଗ ଶିବିରରେ ହୋଇଥିଲା । ସେ ସମୟରେ ରବି ନୂଆ ନୂଆ ବିଧାୟକ ହୋଇଥିବା ବେଳେ ନବନୀତ ଜଣେ ଅଭିନେତ୍ରୀ ଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ସମ୍ବନ୍ଧ ହେବା ସହ କିଛି ସମୟ ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ୨୦୧୧ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମିତି ବି ଶୁଣା ଯାଇଥିଲାକି ଉଭୟ ନବନିତ ଓ ରବି ଅମରାବତୀରେ ୪୧୨୦
ଯୋଡିଙ୍କ ମଧ୍ୟରେ ସାମୁହିକ ଭାବେ ବିବାହ କରିଥିଲେ । ଏହି ବିବାହରେ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚାହଵାନ, ବାବା ରାମଦେବଙ୍କ ସମେତ ଆକ୍ଟର ବିବେକ ଓବରୟ ବି ସାମିଲ ହୋଇଥିଲେ । ଏହି ଯୋଡି ନିଜ ପଇସାରେ ଗରିବ ମାନଙ୍କୁ ସାହାଯ୍ୟ କରିବାକୁ ବି ଆଗେଇ ଆସିଥିଲେ । ରବିଙ୍କ ସହିତ ବିବାହ ପରେ ନବନୀତ ନିଜ ଭାଗ୍ୟ ରାଜନୀତିରେ ପରୀକ୍ଷା କରିବାକୁ ଆଗେଇ ଆସିଥିଲେ ।

୨୦୧୪ ସେ ଲୋକସଭା ନିର୍ବାଚନରେ ଅମରାବତୀ ଏସସି ଅନୁସୂଚିତ ଜାତିର ଆରକ୍ଷଣରେ ରାଷ୍ଟ୍ରବାଦୀ ଓ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । କୁହାଯାଉଛିକି ଏହିଠାରୁ ହିଁ ଶିବସେନା ସହିତ ତାଙ୍କର ମତାନ୍ତର ଆରମ୍ଭ ହୋଇଥିଲା । ସେଥର ହାରିଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ଭାଗ ନେଇ ଏଥିରେ ବିଜୟ ହାସଲ କରିଥିଲେ । ଏଥର ଶିବସେନାର ସାଂସଦ ଆନନ୍ଦରାଓ ଅଡ଼ସୁଲଙ୍କୁ ହରାଇ ବିଜୟ ହାସଲ କରିଥିଲେ । ୨୦୨୧ ରେ ବମ୍ବେ ହାଇକୋର୍ଟ ନକଲି ଜାତିଗତ ପ୍ରମାଣ ପତ୍ର ଦାଖଲ ଅଭିଯୋଗରେ ନବନୀତଙ୍କ ଉପରେ ଦୁଇ ଲକ୍ଷ ଟଙ୍କାର ଜୋରିମାନା ଲାଗିଥିଲା । ସୂଚନା ଦେବା ଯୋଗ୍ୟକି ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଥିବାବେଳେ ଦୁହେଁ ଏକ ଜଏଣ୍ଟ ଫ୍ୟାମିଲିରେ ରହୁଛନ୍ତି । ନବନିତ ମୋଟ ରୂପରେ 8ଟି ଭାଷାରେ କଥାବାର୍ତ୍ତା କରିପାରନ୍ତି ଆଉ ବିବାହ ପରେ ଫିଲ୍ମ ଜଗତରୁ ସମ୍ପୂର୍ଣ୍ଣ ରୂପେ ଅବସର ନେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.