ସୀତାଙ୍କ ପାଇଁ ଦିଅର ଲକ୍ଷ୍ମଣ ସୃଷ୍ଟି କରିଥିଲେ ଏହି କୁଣ୍ଡ, ଜାଣନ୍ତୁ ଭଦ୍ରକର ଦେବର କୁଣ୍ଡର ଇତିହାସ

ରାଜ୍ଯ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ଅନେକ ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ପୃଷ୍ଠଭୂମି ରହିଛି, ଯାହା ଶହ ଶହ ବର୍ଷ ହେବ ଜନ ମାନସକୁ ଆଧ୍ୟାତ୍ମିକ ଭାବନାରେ ମଜ୍ଜାଇ ରଖିଛି। ଏପରିକି ସାମ୍ପ୍ରତିକ ସମାଜରେ ସେ ସବୁ ସ୍ଥାନ ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ପାଲଟିଛି। ଏଭଳି ଏକ ପୌରାଣିକ କିମ୍ବଦନ୍ତୀର ପୃଷ୍ଠଭୂମି ହେଉଛି ଦେବର କୁଣ୍ଡ, ଯାହା ଭଦ୍ରକ ବ୍ଲକ ଅଧୀନସ୍ଥ କାଉ ପୁର ଓ ଦଇ ସିଂ ମଧ୍ୟରେ ପ୍ରବାହିତ ପୁଣ୍ଯତୋୟା ସାଳନ୍ଦୀ ନଦୀ ରେ ରହିଛି।

କିମ୍ବଦନ୍ତୀ ଅନୁସାରେ, ତ୍ରେତେୟା ଯୁଗରେ ମର୍ଯ୍ଯାଦା ପୁରୁଷ ଶ୍ରୀ ରାମଚନ୍ଦ୍ର, ଦେବୀ ସୀତା ଓ ଲକ୍ଷ୍ମଣ ବନବାସ ସମୟରେ ଏଠାରେ ଆସି ପହଞ୍ଚିଥିଲେ। ସେହି ସମୟରେ ମାଆ ସୀତାଙ୍କ ସ୍ନାନ ପାଇଁ ଦିଅର ବା ଦେବର ଲକ୍ଷ୍ମଣ ନିଜର ଧନୁ ଶର ମୁନରେ ସୃଷ୍ଟି କରିଥିଲେ ଗୋଟିଏ କୁଣ୍ଡ। ସେଥିପାଇଁ ଏହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ। ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଓ ଶୋକ ଆଦି ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ଵାସ ରହିଛି। ତେଣୁ ଭୌମ ଏକାଦଶୀରେ ଲୋକମାନେ ଏଠାକୁ ଆସି ବୁଡ଼ ପକାନ୍ତି। ପରେ ପାଖରେ ଥିବା ରାମ ମନ୍ଦିରକୁ ଯାଇ ଦର୍ଶନ କରିଥାନ୍ତି। ଏହି ଅବସରରେ ଏଠାରେ ଏକ ମେଳା ଲାଗେ, ଯାହା ଦେବର କୁଣ୍ଡ ମେଳା ଭାବେ ପ୍ରସିଦ୍ଧ।

kunda

ପୂର୍ବରୁ ଏହି ମେଳା 15 ଦିନ ଚାଲୁଥିବା ବେଳେ ଏବେ ମାତ୍ର 8 ଦିନ ହେଉଛି। ଏଥିପାଇଁ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି। ଏହି ଉପଲକ୍ଷେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପବିତ୍ର କୁଣ୍ଡରେ ବୁଡ ପକାନ୍ତି। ଯିଏ ବୁଡ଼ ପକାଏ ନାହିଁ ସେ ଏହି ପବିତ୍ର କୁଣ୍ଡରୁ ଜଳ ଆଣି ଦେହରେ ଛିଞ୍ଚି ହୁଅନ୍ତି। ଏପରିକି ଏହି କୁଣ୍ଡରେ ବିବାହ ସମୟରେ ସମସ୍ତ ବ୍ଯବହୃତ ଜିନିଷ ନଦୀ ଜଳରେ ଭସେଇ ଦେଲେ ବୈବାହିକ ଜୀବନରେ ଖୁସି ଭରିଯାଏ ବୋଲି ବିଶ୍ୱାସ ରହିଛି। ତେଣୁ ଅନେକ ମହିଳା ଫୁଲକୁ ମଧ୍ୟ ଏହି କୁଣ୍ଡରେ ଭସାଇଥାନ୍ତି।

devarkunda

ଦେବର କୁଣ୍ଡ ମେଳାରେ ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ରହିଛି। ଏଠାରେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ମଧ୍ୟ ମିଳେ। ଗାଁ ଗହଳିରେ ଧାନ କଟା କାମ ସରିଥିବାରୁ ଏହି ମେଳାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ହୋଇଛି। ସମସ୍ତେ ମେଳା ବୁଲି ବେଶ ମଜା ଉଠାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ ଏଠାରେ ପୋଲିସ ମୁତୟନ କରାଯାଇଥିଲା। ତେବେ କରୋନା କଟକଣା ମଧ୍ୟରେ ମେଳା ପାଳିତ ହେଉଥିବା କହିଛି ପୂଜା କମିଟି।