ଦ୍ରୁତଗାମୀ ଟ୍ରକ ଛଡ଼ାଇ ନେଲା ରୋଜଗାରିଆ ପୁଅ ଓ ସ୍ବାମୀ, ବେସାହାରା ପରିବାର

କିଏ ରୋଜଗାରିଆ ପୁଅକୁ ହରାଇଛି, ତ କିଏ ସ୍ବାମୀକୁ । ଦ୍ରୁତଗାମୀ ଟ୍ରକ ମାଆ ଠାରୁ ଅଲଗା କରିଦେଇଛି ପୁଅକୁ ଓ ସ୍ତ୍ରୀ ଠାରୁ ସ୍ବାମୀକୁ । ଯିଏ ପରିବାର ତୁଣ୍ଡରେ ଆହାର ଦେଉଥିଲା ସେ ଆଉ ନାହିଁ ।

କେନ୍ଦୁଝର(କେନ୍ୟୁଜ୍): କିଏ ରୋଜଗାରିଆ ପୁଅକୁ ହରାଇଛି, ତ କିଏ ସ୍ବାମୀକୁ । ମୃତ୍ୟୁଦୂତ ସାଜି ଆସିଥିବା ଦ୍ରୁତଗାମୀ ଟ୍ରକ ମାଆ ଠାରୁ ଅଲଗା କରିଦେଇଛି ପୁଅକୁ ଓ ସ୍ତ୍ରୀ ଠାରୁ ସ୍ବାମୀକୁ । ଅନାଥ କରିଦେଇଛି ନୀରିହ କୁନି କୁନି ପିଲାଙ୍କୁ । ଏବେ ସବୁଠି ସେହି ସମାନ ଚିତ୍ର । କେମିତି ଚଳିବ ସେହି ପରିବାର । ଯିଏ ପରିବାର ତୁଣ୍ଡରେ ଆହାର ଦେଉଥିଲା ସେ ଆଉ ନାହିଁ । କିଏ ଏମାନଙ୍କ ସାହାରା ପାଲଟିବ । ତାହା ସବୁଠୁ ବଡ଼ ପ୍ରଶ୍ନ । ଗତ ୨୭ ତାରିଖ ରାତିରେ କେନ୍ଦୁଝର ସଠିଘର ସାହିରେ ବରଯାତ୍ରୀ ଉପରେ ମାଡ଼ିଯାଇଥିବା ଟ୍ରକ ଏପରି ଦୁଃଖ ଦେଇ ଯାଇଛି ।

ପୁଅ ପାଇଁ ସେଦିନ ଥିଲା କାଳରାତ୍ରି । ବାହାଘରରେ ଚକୁଳି ତିଆରି ପାଇଁ ଯାଇଥିଲା ବାପୁନ ଦେହୁରୀ । ମାଆ ଭାବିଥିଲା ଦୁଇ ପଇସା ରୋଜଗାର କରି ପୁଅ ଘରକୁ ଫେରିବ । ଖୁସିରେ ପରିବାର ଚଳିବ । ବରଯାତ୍ରୀ ରୋଶଣୀ ନିକଟରେ ଛିଡ଼ା ହୋଇଥିବା ବେଳେ ବାପୁନ ଉପରେ ମାଡ଼ି ଯାଇଥିଲା ଦ୍ରୁତଗାମୀ ଟ୍ରକ । ନିମିଷକେ ପ୍ରାଣବାୟୁ ଉଡ଼ି ଯାଇଥିଲା । ଘରର ରୋଜଗାରିଆ ପୁଅ ଆରପାରିକି ଚାଲିଗଲା । ପୁଅକୁ ହରାଇ ମାଆ ଆଖିରୁ ଲୁହ ସୁଖୁନି । ଛାତି ଫାଟି ଯାଉଛି । କେମିତି କଣ କରିବ କିଛି ବି ବୁଦ୍ଧିବାଟ ଦିଶୁନି ।

ସେହିଭଳି ବିବାହ ଭୋଜିରେ କାମ କରିବାକୁ ଯାଇଥିଲେ ରତି ମୁଣ୍ଡା । ବର ଆସିବା ପରେ ଖୁସିରେ ରୋଶଣୀ ଦେଖିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଏପରି ଘଟିଯିବ ବୋଲି । ଅକାଳରେ ରତିଙ୍କ ଜୀବନ ଦୀପ ଲିଭିଗଲା । ଘରେ ସ୍ତ୍ରୀ ସୋମାବାରୀ ମୁଣ୍ଡା ଓ ୬ଟି କୁନି କୁନି ପିଲା । ରତିଙ୍କ ୪ଟି ଝିଅ ଓ ଦୁଇଟି ପୁଅ ରହିଛନ୍ତି । ଚାରି ଚାରିଟି ଝିଅକୁ କିପରି ମଣିଷ କରିବେ ସୋମବାରୀ ସେଚିନ୍ତାରେ । ସ୍ବାମୀ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ଏବେ ଦଇବ ହିଁ ଭରସା ।

ସେହିପରି ଦର୍ଶନ ପାତ୍ର ମଧ୍ୟ ସେହି ବାହାଘରକୁ ଯାଇଥିଲେ । ସାହି ଛକରେ ଛିଡ଼ା ହୋଇଥିବା ବେଳେ ମାଡ଼ି ଯାଇଥିଲା ଟ୍ରକ । ଦର୍ଶନ ଘରର ମଝିଆ ପୁଅ ହୋଇଥିବା ବେଳେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ରହିଥିଲେ । ସେକେଣ୍ଡ ହେଣ୍ଡ ଅଟୋ କିଣି ପରିବାର ପୋଷୁଥିଲେ । ବଡ଼ପୁଅ କୌଣସି ରୋଜଗାର କରୁନଥିବା ବେଳେ ସାନପୁଅ +୨ ପାଠ ପଢୁଛି । ଏବେ ପରିବାର କିପରି ଚଳିବ ସେ ଚିନ୍ତାରେ ଦର୍ଶନଙ୍କ ମାଆ ।

ଏପଟେ ସମ୍ପର୍କୀୟଙ୍କ  ଘରେ ମଙ୍ଗୁଲା କନ୍ୟା କୌଶଲ୍ୟାର ହାତଗଣ୍ଠି ପଡ଼ିଛି ସ୍ବାମୀ ହେମନ୍ତ ସହ । ହରିଚନ୍ଦନପୁର ବ୍ଲକ ନନ୍ଦରା ଗାଁରେ ଉଭୟ ବିବାହ କରିଛନ୍ତି । ଦୁର୍ଘଟଣା ପରେ ସେଦିନ ବାହାଘର ହୋଇପାରି ନଥିଲା । ମଙ୍ଗୁଳା କନ୍ୟାକୁ ଛାଡ଼ି ଫେରି ଯାଇଥିଲା ବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.