କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ଲାଗୁଛି ଗ୍ରହଣ, ଚନ୍ଦ୍ରଗ୍ରହଣ ସୂତକ କାଳରେ ଏସବୁ କରିବା ମନା

ସୂର୍ଯ୍ୟୋପରାଗ ଭଳି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ନଭେମ୍ବର ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରାଯିବ। ଚନ୍ଦ୍ରଗ୍ରହଣ ସମୟରେ ସୂତକ କାଳରେ ବନ୍ଦ ରହିବ ମନ୍ଦିରର କପାଟ। ଚନ୍ଦ୍ର ଗ୍ରହଣ ସମାପ୍ତ ହେବା ପରେ ମନ୍ଦିରର କପାଟ ଖୋଲିବ। ଏହି ସୂତକ କାଳ ଏବଂ ଗ୍ରହଣ ସମୟରେ ଭୋଜନ ବର୍ଜନ କରିବା ଉଚିତ।

ଏହି ଚନ୍ଦ୍ରଗ୍ରହଣ ଦ୍ୱିପ୍ରହର ୨ଟା ୩୮ ମିନିଟ୍‌ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ପାଇଁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ସକାଳ ୮ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇଯିବ। ଚନ୍ଦ୍ରଗ୍ରହଣର ମୋକ୍ଷ କାଳ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ରହିବ।

ଗ୍ରହଣ ସରିବା ପରେ କପାଟ ଖୋଲିବା ପରେ ମନ୍ଦିରକୁ ସଫା ସୁତରା କରି ଶୁଦ୍ଧିକରଣ କରିବା ପରେ ପୂଜାପାଠ କରିବେ। କାର୍ତ୍ତିକ ପୂର୍ଣ୍ଣିମା ହେବା କାରଣରୁ ଏହିଦିନ ଦୀପ ଦାନ ଗ୍ରହଣ ସରିବା ପାଇଁ କରାଯାଇପାରିବ। ଏହାଛଡା ଏହାର ଗୋଟେ ଦିନ ପୂର୍ବରୁ ସ୍ନାନ ଦାନ କରି ଆପଣ ଦୀପଦାନ କରିପାରିବେ। କାର୍ତ୍ତିକ ପୂର୍ଣ୍ଣିମାର ସମସ୍ତ ବିଧି ସୋମବାର ଦିନ ଆପଣ ପାଳନ କରିବେ।

ତେବେ ସୂତକ କାଳରେ ପୂଜା କରାଯିବ ନାହିଁ। ସୂତକ କାଳ ସମୟରେ ଭଗବାନଙ୍କୁ ଧ୍ୟାନ କରିବା ଜରୁରୀ। ମାନ୍ୟତା ଅନୁସାରେ ଗ୍ରହଣ ଦିନ ଖାଦ୍ୟ ଖାଇବା ଉଚିତ ନୁହେଁ। ଗ୍ରହଣ ଦିନ ଦାନ କରିବା ଉଚିତ। ଦାନ ଅମୃତ ତୁଲ୍ୟ ବୋଲି କୁହାଯାଏ। ଗ୍ରହଣ ପରେ ଲାଲ କପଡା, ତମ୍ବା ପାତ୍ର, ମସୁର ଡାଲି, ଗହମ, ନାଲି ଫଳ ଦାନ କରିବା ବହୁତ ଉତ୍ତମ ହୋଇଥାଏ। ବୈଦିକ ସଭ୍ୟତା ଅନୁସାରେ ଗ୍ରହଣ ପରେ ଏହିସବୁ ଜିନିଷ ଦାନ କରିବା ଦ୍ୱାରା କୁଣ୍ଡଳୀରେ ଥିବା ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଶୁଭଫଳ ମିଳିଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ୮ ନଭେମ୍ବରରେ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଏହା ଦୃଶ୍ୟମାନ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୮ ନଭେମ୍ବର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଏହା ଭାରତର ଦିଲ୍ଲୀ, କୋଲକାତା, ରାଞ୍ଚି, ପାଟନା, ବେଙ୍ଗାଲୁରୁ, ମୁମ୍ବାଇ, ଗୌହାଟୀ ସମେତ ଅନ୍ୟାନ୍ୟ ସହରରେ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ।

ଖଡ଼ୀରତ୍ନ ପଞ୍ଜିକା ଅନୁସାରେ ଚନ୍ଦ୍ରଗ୍ରହଣର ସମୟ

ଗ୍ରହଣ ଦିନ ପୁରୀକୁ ଚନ୍ଦ୍ରୋଦୟ: ସନ୍ଧ୍ୟା ୫ଟା ୫ ମିନିଟ୍‌ ୫୯ ସେକେଣ୍ଡ

ପୁରୀକୁ ଗ୍ରହଣ ସ୍ପର୍ଶ: ଦିନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ

ସର୍ବମୋକ୍ଷ: ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ

ଗ୍ରହଣ ଅବଧି (ଦୃଶ୍ୟକାଳ): ୧ ଘଣ୍ଟା ୧୨ ମିନିଟ୍‌ ୪୮ ସେକେଣ୍ଡ

ପାକତ୍ୟାଗ/ ଅନ୍ନଭୋଜନ/ଦେବନୀତି ନିଷେଧ: ସକାଳ ୮ଟା ୨୯ ମିନିଟ୍ ରୁ ସନ୍ଧ୍ୟା ୬ଟା ୧୯ ମିନିଟ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.