ପ୍ରେମିକଙ୍କ ପକେଟ୍‌ ଉପରେ ଭାରି ପଡ଼ୁଛି ଡବଲ ହେଲମେଟ୍‌ ନିୟମ, ମାନିଲେ ମଲ ନ ମାନିଲେ ବି ମଲ

ଭୁବନେଶ୍ୱର (ତୃଷ୍ଣା ପ୍ରିୟଦର୍ଶିନୀ): କମିଶନ୍‌ରେଟ୍‌ ପୋଲିସ୍‌କୁ ଏବେ ଲୋକଙ୍କ ସୁରକ୍ଷା ଚିନ୍ତା। ଏଣୁ ଆଉ ଗୋଟିଏ ନୁହେଁ, ଏବେ ସବୁ ବାଇକ୍‌ ବାଲା ଦୁଇଟି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ। ଚଲେଇଲା ବାଲା ବି ପିନ୍ଧିବେ ଆଉ ପଛରେ ବସିଲା ବାଲା ବି। ଏହି ନିୟମ ଯଦିଓ ଲୋକଙ୍କ ସୁରକ୍ଷା ପାଇଁ କରାଯାଇଛି କିନ୍ତୁ ଏହା ଦ୍ୱାରା ଯୁବପିଢ଼ି କିନ୍ତୁ ଭାରି ହଟହଟା ହେଉଛନ୍ତି। ନା ନିଜ ଦୁଃଖ କାହାକୁ କହି ପାରୁଛନ୍ତି ନା ସହି ପାରୁଛନ୍ତି। କଥା କ’ଣ ବି ପୋଲିସ ବାଲା ସିନା ଡବଲ ହେଲମେଟ୍‌ ନିୟମ ଲାଗୁ କରିଦେଲେ ହେଲେ ପ୍ରେମୀ ଯୁଗଳଙ୍କ କଥା କିନ୍ତୁ ଭାବିଲେନି।

ପୂର୍ବରୁ ରସିକ ପ୍ରେମିକମାନେ ପ୍ରେମିକାଙ୍କୁ ବାଇକ୍‌ ପଛରେ ବସାଇ ସହର ସାରା ଘିରି ଘିରି ହୋଇ ବୁଲୁଥିଲେ। ଯୁଆଡ଼େ ଇଚ୍ଛା ସିଆଡ଼େ ମାଡ଼ି ଯାଉଥିଲେ। କିନ୍ତୁ ଏବେ ଡବଲ ହେଲମେଟ୍‌ ହେଲା ଦିନୁ ବୁଲାବୁଲିରେ ପୂରା ଫୁଲଷ୍ଟପ୍‌ ବାଜି ଯାଇଛି। କାରଣ ନିଜର ସିନା ଗୋଟେ ହେଲମେଟ୍‌ ଅଛି, କିନ୍ତୁ ପ୍ରେମିକା ପାଇଁ ତ ହେଲମେଟ୍‌ ନାହିଁ ନା। ଆଉ ବିନା ହେଲମେଟ୍‌ରେ ବୁଲିଲେ, ରାସ୍ତା ମଝିରେ ମାମୁ ମାଡ଼ି ବସିବେ ତା’ପରେ ମୋଟା ଅଙ୍କର ଫାଇନ୍‌ ପଡ଼ିବ। ପଇସା ତ ଗଣିବେ ଗଣିବେ ତା’ ସହ ଇଜ୍ଜତ ବି ଯିବ। କାରଣ ଘରୁ ସିନା ଭଉଣୀ କି ସମ୍ପର୍କୀୟଙ୍କୁ ନେଲେ ଦୁଇଟି ହେଲମେଟ୍‌ ଧରି ଯାଇ ହେବ କିନ୍ତୁ ପ୍ରେମିକା ପାଇଁ ତ ଆଉ ଘରେ ହେଲମେଟ୍‌ ମାଗି ହେବନି ନା।

helmet2
Image credit: deccanherald

ଆଉ କିଛି ପ୍ରେମଭକ୍ତ କିନ୍ତୁ ନିଜ ସାଇତା ଟଙ୍କାରୁ ପ୍ରେମିକା ପାଇଁ ଖଣ୍ଡେ ହେଲମେଟ୍‌ କିଣି ଦେଇଛନ୍ତି। ଫଳରେ ସେମାନଙ୍କୁ ଆଉ ମାମୁଙ୍କ ଡର ନାହିଁ। ସେମାନେ ମନ ଇଚ୍ଛା ବୁଲୁଛନ୍ତି, ଖାଲି ଯାହା ସ୍ପିଡ୍‌ ଟିକେ ଧିମେଇ ଯାଇଛି। କିନ୍ତୁ ଚିନ୍ତା ହେଉଛି ଏ ହେଲମେଟ୍‌କୁ ରଖିବ କିଏ। କାରଣ ପ୍ରେମିକ ତ ଘରକୁ ନେଇ ପାରିବନି ଆଉ ପ୍ରେମିକା ନେଲେ ଧରାପଡ଼ିବା ଭୟ। ଯଦି ଥରେ ଘର ଲୋକ ଧରିଲେ ତେବେ ଗୋଟେ ମାଡ଼ ତଳେ ପଡ଼ିବନି। ତା’ ସହ ଘରୁ ବାହାରିବା ବି ବନ୍ଦ ହୋଇଯିବ। ଏଣୁ କୋଉ ସାଙ୍ଗ ଘରେ ମିଛ କହି ତ ନ ହେଲେ ହଷ୍ଟେଲରେ ରହୁଥିବା କୋଉ ସାଙ୍ଗ ପାଖରେ ହେଲମେଟ୍‌ ଲୁଚାଇବାକୁ ପଡ଼ୁଛି। ତେବେ ଏହି ଡବଲ ହେଲମେଟ୍‌ ପ୍ରେମିକଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ତେବେ ଏହି ପ୍ରସଙ୍ଗରେ ନିକଟରେ ଘଟିଥିବା ଏକ କଥା ମନେ ପଡ଼ୁଛି। ପ୍ରଥମେ ପ୍ରଥମେ ଯେତେବେଳେ ଡବଲ ହେଲମେଟ୍‌ ପିନ୍ଧିବାକୁ କୁହାଗଲା, ଯୁକ୍ତ ୩ରେ ପଢ଼ୁଥିବା ରାହୁଲ ତା’ ସାଙ୍ଗ ଠାରୁ ହେଲମେଟ୍‌ ମାଗି ନେଇ ଯାଇଥିଲା ଭାଇକୁ ଷ୍ଟେସନ୍‌ରୁ ଆଣିବ ବୋଲି। କିନ୍ତୁ ଫେରେଇବା ପରେ ସାଙ୍ଗମାନେ ତା’ ପକେଟ୍‌ ଖାଲି କରିଦେଲେ। କାରଣ ଫେରେଇବା ବେଳେ ହେଲମେଟରୁ ଏକ ଲମ୍ବା ଚୁଟି ବାହାରିଥିଲା। ଯାହାକୁ ଦେଖି ସାଙ୍ଗମାନେ ଠିକ୍‌ ଠଉରେଇ ନେଲେ ଯେ ରାହୁଲ ନିଜ ଭାଇ ନୁହେଁ ବରଂ ଆମ ଭାଉଜଙ୍କୁ ଆଣିବାକୁ ଯାଇଥିଲା। ଆଉ ପରେ ତା’ କ’ଣ, ସାଙ୍ଗଠୁ ବଡ଼ ପାର୍ଟିଟେ ନେଇଗଲେ। ତେବେ ସରକାର ଯାହା ନିୟମ କରନ୍ତୁ ପଛେ କିନ୍ତୁ ମଝିରେ ମଝିରେ ଟିକେ ଯୁବପିଢ଼ିଙ୍କ କଥା ବି ଭାବନ୍ତୁ ବୋଲି ସେମାନେ ଉପରେ ନ କହିପାରିଲେ ବି ଭିତରେ ଭିତରେ ଭାବୁଛନ୍ତି।

ଅବଶ୍ୟ କେବଳ ପ୍ରେମିକମାନେ ନୁହନ୍ତି ଏଇ ଡବଲ୍‌ ହେଲେମେଟ୍‌ ନିୟମରେ ହଇରାଣ ହୋଇଛନ୍ତି ସ୍ୱାମୀମାନେ । ନିଜ ପତ୍ନୀ ପାଇଁ ସେମାନଙ୍କୁ ବି ଆଉ ଗୋଟିଏ ହେଲମେଟ୍‌ କିଣିବାକୁ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.