କମ ଦିନରେ ଟଙ୍କା ଡବଲ’ ର ଲୋଭ ଦେଖାଇ ଠକି ନେଲେ ୨୮ ଲକ୍ଷ ଟଙ୍କା, ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ

କମ ଦିନରେ ଟଙ୍କା ଡବଲ! ଏ ସୁଯୋଗ କେବଳ ଆମେ ଦେଉଛୁ ଆପଣଙ୍କୁ । ଫାଇଦା ପାଇବାକୁ ଚାହୁଁଥିଲେ ଜଲ୍ଦି ଆସିଯାଆନ୍ତୁ, ଡେରି କଲେ ଆପଣଙ୍କର ହିଁ ଲସ ହେବ ..

ବାସ ଏମିତି କିଛି ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ନିଜ ଆଡକୁ ଟାଣୁଥିଲେ …ଏଇ କଥା ଶୁଣିବା ପରେ କିଏ କାହିଁକି ବା ସୁଯୋଗ କୁ ହାତ ଛଡା କରିବାକୁ ଚାହିଁବ ? ତେଣୁ ଚାଲି ଆସିଲେ ଟଙ୍କା ଡବଲ କରିବା ପାଇଁ .. ହେଲେ ଭାଗ୍ୟ ଖରାପ ..ଠକାମୀର ଶିକାର ହୋଇ ଫସିଗଲେ .. ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ୨୮ ଲକ୍ଷ ଟଙ୍କାର ଲାଗିଗଲା ଚୂନା … ନକଲି ଟଙ୍କା ଧରାଇ ଫେରାର ହୋଇଗଲେ ଦୁବୃର୍ତ୍ତ…ଘଟଣାଟି ଘଟିଛି ବ୍ରହ୍ମପୁର ସହରରେ .. ଏଠାକାର ଦୁଇ ବ୍ୟବସାୟୀ ଅସଲି ଟଙ୍କା ଦେଇ ନକଲି ଟଙ୍କା ପାଇବା ପରେ ଘଟଣା କୁ ନେଇ ଚର୍ଚ୍ଚା ଧରିଛି ..

କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ଆଶାରେ ଏମାନେ ହରାଇଛନ୍ତି ୨୮ ଲକ୍ଷ ଟଙ୍କା । କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ନେଇ ସହରର ସୂର୍ଯ୍ୟ ନାରାୟଣ ପାତ୍ର ଓ ସଚିନ ମହାପାତ୍ର ନାମକ ଦୁଇ ବ୍ୟବସାୟୀ ଠକାମୀର ଶିକାର ହୋଇଛନ୍ତି .. ଆଉ ଏହି ଠକେଇ ଘଟଣାରେ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଏଭଳି ଏକ ଠକେଇ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ । ବଡବଜାର ଅଞ୍ଚଳର ବଦ୍ରିନାଥ ପଣ୍ଡା ଓ କବିସୂର୍ଯ୍ୟନଗର ଅଞ୍ଚଳର ଅକ୍ଷୟ କୁମାର ନାୟକ ଲୋକଙ୍କୁ ଏଭଳି ଠକୁଥିବାର ଜାଣିବାକୁ ମିଳିଛି । ଟ୍ରେଡ ପ୍ରଫିଟ ଫଣ୍ଡ ନାମକ ଏକ ଲୋନ ମାଧ୍ୟମରେ ଏହି ଟଙ୍କା ଦୁଇ ଗୁଣ ହେବା ନେଇ ସୂର୍ଯ୍ୟ ଓ ସଚିନକୁ କୁହାଯାଇଥିଲା । ଏହାସହିତ ତିନି ମାସ ମଧ୍ୟରେ ଯଦି ଲୋନ ଟଙ୍କା ନ ଫେରାନ୍ତି ତେବେ ୟୁ ଟର୍ନ ଜରିଆରେ ଲୋନ ଟଙ୍କା ଆଉ ପରିଷୋଧ କରିବାକୁ ପଡିବ ନାହିଁ ବୋଲି ମଧ୍ୟ ଉଭୟଙ୍କୁ କହିଥିଲେ । ଆଉ ଏଭଳି ଲୋଭନୀୟ ଅଫର ପାଇବା ପରେ ସୂର୍ଯ୍ୟ ଓ ସଚିନ ୨୮ ଲକ୍ଷ ଟଙ୍କା ଅକ୍ଷୟ ନାୟକ ଓ ମହେଶ ବର୍ମା ନାମକ ବ୍ୟକ୍ତିଙ୍କୁ ଦେଇଥିଲେ । ଏହି ୨୮ ଲକ୍ଷ ଟଙ୍କା ପ୍ରତିବଦଳରେ ୮ ହଜାର ଟି ୫୦୦ ଟଙ୍କିଆ ନକଲି ନୋଟ ସୂର୍ଯ୍ୟ ଓ ସଚିନଙ୍କୁ ଦେଇଥିଲେ ।

ସୂର୍ଯ୍ୟ ଓ ସଚିନ ନକଲି ନୋଟ ବା ଖେଳନା ଟଙ୍କା ପାଇଥିବା ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଗତ ସୋମବାର ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଗତ କଲି ମଙ୍ଗବାର ବୈଦ୍ୟନାପୁର ଥାନା ପୋଲିସ ଠକେଇ ଘଟଣାରେ ବଡବଜାର ଅଞ୍ଚଳର ବଦ୍ରିନାଥ ପଣ୍ଡା, ଭବାନୀ ଶଙ୍କର ପଟ୍ଟନାୟକ, କବିସୂର୍ଯ୍ୟନଗର ଅଞ୍ଚଳର ଅକ୍ଷୟ କୁମାର ନାୟକ, ପୁରୁଷୋତ୍ତମପୁର ଅଞ୍ଚଳର ରାମଚନ୍ଦ୍ର ପଣ୍ଡା ଓ ନିବାସ ନାୟକକୁ ଗିରଫ କରିଛି ପୋଲିସ । ଏହି ୫ ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ଓ ଦୁଇଟି ବ୍ୟାଗ ଜବତ କରିଥିବା ବେଳେ ସୂର୍ଯ୍ୟ ଓ ସଚିନଙ୍କ ଠାରୁ ଖେଳନା ନୋଟ ୪୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଠକେଇ ଘଟଣାରେ ଅନ୍ୟ ରାଜ୍ୟର ୩ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.