ମଣିଷର ପୂର୍ବଜ ହେଉଛି ‘ଡ୍ରାଗନ୍‌ ମ୍ୟାନ୍‌’, ଜୀବାଶ୍ମରୁ ମିଳିଲା ଆଶ୍ଚର୍ଯ୍ୟ କରିଦେବା ଭଳି ପ୍ରମାଣ

ମାନବ ସମାଜର ସୃଷ୍ଟିକୁ ନେଇ ଏବେ ବି ଚାଲିଛି ଗବେଷଣା। ଗବେଷଣା ଯେତେ ଯେତେ ଆଗଉଛି ବିଶେଷଜ୍ଞମାନେ ସେତେ ସେତେ ନୂଆ ତଥ୍ୟ ହାସଲ କରୁଛନ୍ତି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ପୁଣି ଏକ ବିସ୍ମୟକର ସୂଚନା ମିଳିଛି। ନିଅଣ୍ଡରଥାଲ ମାନବ ନୁହେଁ, ବରଂ ଡ୍ରାଗନ ମ୍ୟାନ ହିଁ ମଣିଷର ପୂର୍ବ ସୁରୀ। ତିନି ବର୍ଷ ପୂର୍ବେ ଚୀନର ଏକ କୂଅରୁ ଠାବ ହୋଇଥିବା ଜୀବାଶ୍ମର ଅଧ୍ୟୟନ ପରେ ଏଭଳି ଚକିତ କଲାଭଳି ତଥ୍ୟ ମିଳିଛି।

ଉତ୍ତର-ପୂର୍ବ ଚୀନରୁ ମିଳିଥିବା ମାନବ ଖପୁରୀ ଏକ ଲକ୍ଷ ୪୬ ହଜାର ବର୍ଷ ତଳର ବୋଲି ଜଣାପଡ଼ିଛି। ହର୍ବିନ ଅଞ୍ଚଳରେ ପ୍ରାୟ ୯୦ ବର୍ଷ ତଳେ ଏକ ଖନନ କାର୍ଯ୍ୟ ବେଳେ ଏହି ଖପୁରୀ ମିଳିଥିଲା। ଖନନ କାର୍ଯ୍ୟ ଚଳାଇଥିବା ପରିବାର ଏହାକୁ ପ୍ରାୟ ୯୦ ବର୍ଷ ଘରେ ରଖିଥିଲେ। ତିନିବର୍ଷ ତଳେ ସଂପୃକ୍ତ ପରିବାର ଏକ ବିଶ୍ୱବିଦ୍ୟାଳୟ ମ୍ୟୁଜିୟମକୁ ଖପୁରୀ ଦାନ କରିବା ପରେ ଗବେଷଣା ଆରମ୍ଭ ହୋଇଥିଲା। ଜୀବାଶ୍ମବିତ ଏହା ଉପରେ ଅଧ୍ୟୟନ କରିବା ପରେ ଖପୁରୀଟି ପ୍ଲେଇଷ୍ଟୋସିନ ଯୁଗର ବୋଲି ଜଣାପଡ଼ିଛି। ଏହାକୁ ହୋମୋ ଲୋଙ୍ଗୀ କିମ୍ବା ଡ୍ରାଗନ ମ୍ୟାନ ନାମକରଣ କରାଯାଇଛି।

ଖପୁରୀର ଅଧ୍ୟୟନ ପରେ ଏହାର ମସ୍ତିଷ୍କ ଆଧୁନିକ ମଣିଷର ମସ୍ତିଷ୍କ ଭଳି ଥିଲା ବୋଲି ଜଣାପଡ଼ିଛି। ଏକ୍ସ-ରେ ଫ୍ଲୋରେସେନ୍‌ସ ଦ୍ୱାରା ଖପୁରୀର ରାସାୟନିକ ସଂରଚନା କରାଯାଇଥିଲା। ଏହାର ଆଖି ଭିତରକୁ ପଶି ରହିଥିବା ବେଳେ ନାକ ହାଡ଼ ଚଉଡ଼ା ରହିଥିଲା। ବଡ଼ ଦାନ୍ତ ଓ ଲମ୍ବା ମାଢି ଥିବା ପରୀକ୍ଷଣକୁ ଜଣାପଡ଼ିଛି। ଖପୁରୀ ଥିବା ମଣିଷର ଆନୁମାନିକ ବୟସ ୫୦ ବର୍ଷ ଓ ସେ ଘଞ୍ଚ ଜଙ୍ଗଲରେ ବାସ କରୁଥିବା ଅନୁମାନ କରାଯାଉଛି। ତେବେ ଗବେଷଣା ଆଗକୁ ବଢିଲେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.