ଭୀଷଣ ଗରମ ସତ୍ତ୍ୱେ ଏଠାକାର ଲୋକେ କମ୍ବଳ ଘୋଡ଼େଇ ହୋଇ ଶୁଅନ୍ତି, ଜାଣନ୍ତୁ କ’ଣ ରହିଛି କାରଣ
ଦୁନିଆରେ ଏମିତି ଅନେକ ଜାଗା ରହିଛି, ଯାହାକି ସେଠାକାର ଅଜବ କାଇଦା କଟକଣା ପାଇଁ ଜଣାଶୁଣା। ଆଜି ଆମେ ଏଭଳି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଭୀଷର ଗରମ ସତ୍ତ୍ୱେ ଲୋକେ କମ୍ବଳ ଘୋଡ଼େଇ ହୋଇ ଶୋଇଥାଆନ୍ତି। ଡହଡହ ତାତିରେ ବି ଗ୍ରାମବାସୀଙ୍କୁ କୌଣସି ଏସି କିମ୍ବା କୁଲର ଦରକାର ପଡ଼ି ନ ଥାଏ। ଆମେ ଏଠାରେ ଯେଉଁ ଗାଁ ବିଷୟରେ କହୁଛୁ, ତାହା ଚୀନର ହେନାନ୍ ପ୍ରଦେଶର ସାନମେନାସିୟା ଅଞ୍ଚଳରେ ଅବସ୍ଥିତ।
ତେବେ କଥାଟି ହେଲା, ୨୦୦ ବର୍ଷର ଏହି ପ୍ରାଚୀନ ଗାଁର ଲୋକେ ମାଟି ତଳେ ଘର ତିଆରି କରି ରହିଥାଆନ୍ତି, ଯାହାକୁ ସ୍ଥାନୀୟ ଭାଷାରେ ‘ଇୟାୟୋଡଙ୍ଗ’ କୁହାଯାଇଥାଏ। ଶୀତ ଋତୁରେ ଏହି ଘର ଭିତରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ଏବଂ ଗ୍ରୀଷ୍ମ ଋତୁରେ ଅଧିକରୁ ଅଧିକ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥାଏ। ତେଣୁ ବାହାରେ ଭୀଷଣ ଗରମ ହେଲେ ମଧ୍ୟ ଭିତରେ ଲୋକେ ଆରାମରେ ଦିନ କଟେଇ ଦିଅନ୍ତି।
ଏହାସହ ପଢ଼ନ୍ତୁ: ଏ କେମିତିକା ଘର, ଯେଉଁଠି ବିଗତ ୫୦୦ ବର୍ଷ ହେବ ବଢ଼ିନି ଭଡ଼ା, ବର୍ଷକୁ ଦେବାକୁ ପଡ଼ିଥାଏ ମାତ୍ର ୭୦ ଟଙ୍କା
ଏହି ପ୍ରାଚୀନ ଗାଁ ବିଷୟରେ କୁହାଯାଏ କି, ଦିନ ଥିଲା ଏଠାରେ ପାଖାପାଖି ୨୦ ହଜାର ଲୋକ ରହୁଥିଲେ, କିନ୍ତୁ ଆଧୁନିକ ସୁବିଧା ଅଭାବରୁ ଲୋକମାନଙ୍କୁ ଏହି ସ୍ଥାନ ଛାଡ଼ିବାକୁ ପଡ଼ିଥିଲା। ଯଦିଓ ଏବେ ବି ଏଠାରେ ପାଖାପାଖି ୩ ହଜାର ଲୋକେ ବସବାସ କରୁଛନ୍ତି। ଏହି ଗାଁରେ ୧୦ ହଜାର ଘର ଏପରି ରହିଛି, ଯେଉଁଗୁଡ଼ିକୁ ମାଟି ତଳେ ପାଖାପାଖି ୨୨ରୁ ୨୩ ଫୁଟ ଗଭୀରରେ ନିର୍ମାଣ କରାଯାଇଛି। ଆଉ ଏହି କାରଣରୁ ଭୂମିକମ୍ପ ଘରଗୁଡ଼ିକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ। ୨୦୧୧ରେ ସ୍ଥାନୀୟ ପ୍ରଶାସନ ତରଫରୁ ଏହି ଗାଁକୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ଧୀରେ ଧୀରେ ଏଠାରେ ବିଜୁଳି ସହିତ ଅନ୍ୟ କେତେକ ସୁବିଧା ମଧ୍ୟ ଉପଲବ୍ଧ ହେଲାଣି।
ସବୁଠାରୁ ବଡ଼ କଥା ହେଲା, ଏବେ ଏହି ଗାଁରେ ପଯ୍ୟର୍ଟକଙ୍କ ପାଦ ପଡ଼ିଲାଣି। ସେମାନେ ମଧ୍ୟ ଏଠାକୁ ଆସି ରହିପାରିବେ। ଏହି କୋଠରୀ ବା ଘର ଭିତରେ ରହିବା ପାଇଁ ଭଡ଼ା ୨୧ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୬୨୧ ଟଙ୍କା ଦେବାକୁ ପଡ଼ିବ। ଯଦି କେହି ଏହାକୁ କିଣିବାକୁ ଚାହିଁବେ, ତା’ହେଲେ ସେମାନେ ୩୨ ହଜାର ୟୁରୋ ଅର୍ଥାତ୍ ପାଖାପାଖି ୨୫ ଲକ୍ଷ ଟଙ୍କା ଦେବେ। ଦୂର ଦୂରାନ୍ତରୁ ଆସୁଥିବା ପଯ୍ୟର୍ଟକ ଏଠାରେ ପ୍ରଚଣ୍ଡ ଗରମରେ ବି କମ୍ବଳ ଘୋଡ଼େଇ ହୋଇ ଶୋଇପାରିବେ।