ଦେଶୀ ପ୍ରଣାଳୀରେ ବଢୁଛନ୍ତି ବିଦେଶୀ ଦାମୀ କୁକୁଡ଼ା, ଫାର୍ମରେ ରହିଛନ୍ତି ୩୦ରୁ ଅଧିକ ପ୍ରଜାତି

ଗୋଟିଏ ଜାଗାରେ ୩୦ରୁ ଅଧିକ ପ୍ରଜାତିର ବିରଳ କୁକୁଡ଼ା। ଜଗନ୍ନାଥପୁର ଗାଁରେ ଏପରି ଏକ କୁକୁଡ଼ା ଫାର୍ମ କରିଛନ୍ତି ତଫିମୂଲ କନିୟନ। ତାଙ୍କ ଫାର୍ମରେ ରହିଛନ୍ତି ପାରଟ ବିଗ୍‌, ବ୍ଲାକ ଫାଇଟର, ତାମିଲ ଫାଇଟର, କଡ଼କନାଥ, ବେକଖଣ୍ଡି ଭଳି ଅନେକ ପ୍ରଜାତିର ବିରଳ କୁକୁଡ଼ା। ଏଭଳି ବିରଳ ପ୍ରଜାତି ମାନଙ୍କ ସଂଖ୍ୟା ବୃଦ୍ଧି କରିବାର ପ୍ରୟାସ ଜାରି ରଖାଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ) : ଆପଣ ଗୋଟିଏ ଜାଗାରେ ଦୁଇ କି ଚାରି କିସମର କୁକୁଡ଼ା ଦେଖିଥିବେ। ହେଲେ ୩୦ରୁ ଉର୍ଦ୍ଧ୍ୱ ବିରଳ ଭାରତୀୟ କୁକୁଡ଼ା ପ୍ରଜାତି ଗୋଟିଏ ଜାଗାରେ ହୁଏତ ଦେଖି ନଥିବେ। ଆଜି ଆପଣ ଏପରି ଏକ କୁକୁଡ଼ା ଫାର୍ମ ଦେଖିବାକୁ ଯାଉଛନ୍ତି ଯେଉଁଠି ରହିଛନ୍ତି ୩୦ରୁ ଅଧିକ ପ୍ରଜାତିର ବିରଳ କୁକୁଡ଼ା । ଚାକିରି ପଛରେ ନ ଗୋଡ଼ାଇ ନିଜ ବୁଦ୍ଧି ବଳରେ ଭାରତର ବିଭିନ୍ନ ଜାଗାରୁ ୩୦ରୁ ଉର୍ଦ୍ଧ୍ୱ ବିରଳ ପ୍ରଜାତିର କୁକୁଡ଼ା ସଂଗ୍ରହ କରିଛନ୍ତି। ଆଉ ସେମାନଙ୍କୁ ପାଳନ କରି ଧିରେ ଧିରେ ପରିଚୟ ହାଯାଉଥିବା ଏହି କୁକୁଡ଼ା ପ୍ରଜାତିଙ୍କ ଠାରୁ ଚିଆଁ ତିଆରି କରି ସେସବୁକୁ ଅନଲାଇନ ମାଧ୍ୟମରେ ବିକ୍ରି କରୁଛନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜଗନ୍ନାଥପୁର ଗାଁରେ ଏପରି ଏକ କୁକୁଡ଼ା ଫାର୍ମ କରିଛନ୍ତି ତଫିମୂଲ କନିୟନ।

ତଫିମୂଲ ଜଣେ ଉଚ୍ଚ ଶିକ୍ଷିତ ଯୁବକ । ନିଶା ତାଙ୍କର କୁକୁଡ଼ା ପ୍ରଜାତି ସଂଗ୍ରହ କରିବା। ତାଙ୍କ ଫାର୍ମରେ ରହିଛନ୍ତି ପାରଟ ବିଗ୍‌, ବ୍ଲାକ ଫାଇଟର, ତାମିଲ ଫାଇଟର, ଉଲଟପର, ଜାଭା, ସିଲକୀ, ପୋଲିସକପ, ମିଲିଫ୍ଲାୱାର, କଲମ୍ବିଆନ ବ୍ରହ୍ମା, ଟର୍କି, ହଜାରୀ, କଡ଼କନାଥ, ବେକଖଣ୍ଡି ଭଳି ଅନେକ ପ୍ରଜାତିର ବିରଳ କୁକୁଡ଼ା। ପ୍ରାକୃତିକ ପରିବେଶ ଭିତରେ ବେଶ ଯତ୍ନର ସହିତ ରଖାଯାଇଛି । ଏମାନଙ୍କ ଦାମ ମଧ୍ୟ ବେଶ ଅଧିକ । କାହାର ଦାମ ୨ ହଜାର ତ କାହାର ଦାମ ୫ ହଜାର । ଏପରିକି କୁକୁଡ଼ାର ଦାମ ୮ ହଜାର ମଧ୍ୟ ରହିଛି । ତାଙ୍କ ଖାଇବା କଥା ବୁଝିବା ସହ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖାଯାଉଛି । ତେବେ ଏଠାରେ ସାଧାରଣ କୁକୁଡ଼ା ଫାର୍ମ ଭଳି ନୁହେଁ ବରଂ ଏମାନଙ୍କ ବଂଶ ରକ୍ଷାକରି ଏଭଳି ବିରଳ ପ୍ରଜାତି ମାନଙ୍କ ସଂଖ୍ୟା ବୃଦ୍ଧି କରିବାର ପ୍ରୟାସ ଜାରି ରଖାଯାଇଛି । ତଫିମୂଲ କହିଛନ୍ତି ଏମାନଙ୍କ ସଂରକ୍ଷମ କରିବା ତାଙ୍କ ମୂଲ ଉଦ୍ଦେଶ୍ୟ ।

ବର୍ଷସାରା ଏଠାରେ ମୂଳତଃ ମାଂସ ପାଇଁ କୁକୁଡ଼ା ବିକ୍ରି ହୁଏନି। ଚିଆଁ ତିଆରି କରି ସେମାନଙ୍କ ବଂଶ ବୃଦ୍ଧି ସହ ବିରଳ ପ୍ରଜାତି ମାନଙ୍କୁ ସଂରକ୍ଷଣ ଉଦ୍ଦେଶ୍ୟରେ ବିକ୍ରି ହୋଇଥାଏ। ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜାଗାରୁ ବହୁ ଲୋକ କନିୟନଙ୍କ ସଂପର୍କରେ ଆସନ୍ତି । କୁକୁଡା ଚିଆଁ ସଂଗ୍ରହ କରିବା ପାଇଁ ତାଙ୍କ ପାଖକୁ ଆସିଥାନ୍ତି। ଗାଁ ଲୋକମାନେ ମଧ୍ୟ କନିୟନଙ୍କୁ ଏଭଳି କାମରେ ସହଯୋଗ କରନ୍ତି । ଏହାସହ ଦେଶ ବିଦେଶର ବିଭିନ୍ନ ପ୍ରଜାତିର କୁକୁଡ଼ାକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିଜ ମାଟିରେ କନିୟୁନଙ୍କ କୁକୁଡ଼ା ଚାଷ ଅଞ୍ଚଳରେ ପ୍ରସଂଶା ସାଉଁଟୁଛି ।