ପୋଖରୀ ଓ ଘାଇ ଖୋଳା ନାଁରେ ଗଡ଼ବଡ଼ ଘୋଟାଲା, ଗଞ୍ଜାମ ଧରାକୋଟ ବ୍ଲକର ଝାଡାବାନ୍ଧ ପଞ୍ଚାୟତରେ ମିଥ୍ୟା ବିଲ୍‌ !

ଇଠି ହୋଇଛି କିଛି ବଡ ଗଡବଡ। ଧରାକୋଟ ବ୍ଲକର ଝାଡାବାନ୍ଧ ପଞ୍ଚାୟତରେ ଏସବୁ ଯୋଜନାକୁ କିଛି ଅସାଧୁ କର୍ମଚାରୀ ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ।

ସୋରଡ଼ା (କେନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଅଧିକାଂଶ ଗାଁ ଚାଷ ଉପରେ ନିର୍ଭରଶୀଳ। ଚାଷରୁ ହେଉଥିବା ରୋଜଗାରରୁ ପରିବାର ଚଳେ। ଏହି ଚାଷରୁ ଅନ୍ୟମାନେ ମଧ୍ୟ ରୋଜଗାର ପାଇଥାନ୍ତି। ପରିବା ଚାଷ ସହିତ ଧାନ ଚାଷୀଙ୍କ ମେରୁଦଣ୍ଡ ପାଲଟିଛି। ହେଲେ ଏହି ଚାଷ ପାଇଁ ଏକ ପ୍ରମୁଖ ଉପାଦାନ ହେଉଛି ପାଣି। ଅଧିକାଂଶ ଚାଷୀ ଇନ୍ଦ୍ରଦେବଙ୍କ ଭରସାରେ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷୀ ଅଧିକାଂଶ ସମୟରେ କ୍ଷତି ସହିଥାନ୍ତି। ଏକଥା ସରକାରଙ୍କ ମୁଣ୍ଡରେ ପଶିଥିଲା। ସମସ୍ୟା ଦୂର ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କଲେ। ଉଚ୍ଚ ସ୍ଥାନରେ ବଡ ବଡ ପୋଖରୀ ଓ ଘାଇ ଖୋଳି ଜଳ ସଂରକ୍ଷଣ କରି ସେଠାରୁ କେନାଲରେ କ୍ଷେତକୁ ପାଣି ଆଣି ଜଳସେଚିତ କରିବା ସହ ବର୍ଷ ସାରା ଚାଷ ଥିଲା ଲକ୍ଷ୍ୟ। ମାତ୍ର ଏଇଠି ହୋଇଛି କିଛି ବଡ ଗଡବଡ। ଧରାକୋଟ ବ୍ଲକର ଝାଡାବାନ୍ଧ ପଞ୍ଚାୟତରେ ଏସବୁ ଯୋଜନାକୁ କିଛି ଅସାଧୁ କର୍ମଚାରୀ ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ।

ଧରାକୋଟ ବ୍ଲକ ଝାଡାବାନ୍ଧ ପଞ୍ଚାୟତର ଛୋଟ ବଡ ୧୭ରୁ ଅଧିକ ଗାଁରେ ୬ ହଜାର ଲୋକ ରହୁଛନ୍ତି । ଝାଡାବାନ୍ଧ, ପଣିବନ୍ଧ, କଳାସୂତା, ପାଇକବଗଡ, ସାଲୁଆପଲ୍ଲୀ, ଖାରିପଲ୍ଲୀ,ସୁବର୍ଣ୍ଣପୁର, ମଦନଗଣ୍ଡପଲ୍ଲି ଭଳି ଗାଁର ବହୁ ଲୋକେ ଚାଷ ଉପରେ ନିର୍ଭରଶୀଳ। ଚାଷ କାମ କରିବାକୁ ହେଲେ ପାଣିର ନିହାତି ଆବଶ୍ୟକ। ହେଲେ ବର୍ଷା ଅଭାବରୁ ଚାଷୀ ଫସଲ ସବୁ ପୋଡି ନଷ୍ଟ ହୋଇଯାଏ। ଫଳରେ ଚାଷୀ ପରିବାର ଚାଷ କାମ ଅନ୍ବେଷଣରେ ରାଜ୍ୟ ଛାଡିଥାଏ। ଏହି ସମସ୍ୟା ଦୂର ପାଇଁ ସରକାର ବଡ ଯୋଜନା କଲେ। ପାହାଡ ପର୍ବତରୁ ବର୍ଷା ପାଣି ଝରି ଆସିଲେ ସବୁ ନଷ୍ଟ ହୋଇଯାଏ । ଏହାକୁ ସଂରକ୍ଷଣ କରି କେନାଲ ମାଧ୍ୟମରେ କ୍ଷେତକୁ ନେଇ ଭଲ ଚାଷ କରାଇବାକୁ ଚିନ୍ତା କଲେ ସରକାର। ଏଥିପାଇଁ ସୁବର୍ଣ୍ଣପୁର ଗାଁରେ ମଡେଲ ପୋଖରୀ ତିଆରି କରିବା ପାଇଁ ୧୦ ଲକ୍ଷ ଟଙ୍କା ଆସିଲା । ସେହିପରି ଦେବତା ଖଳା ପୋଖରୀର ଉନ୍ନତି ପାଇଁ ଆଠ ଲକ୍ଷ ଟଙ୍କା ଆସିଲା। ନୂଆ ପୋଖରୀ ନିର୍ମାଣ ପାଇଁ ଦୁଇ ଥର ୧୮ ଲକ୍ଷ ଟଙ୍କା, ଜଡାପଲ୍ଲି ନାଳର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କା ଆସିଲା। ମାତ୍ର କିଛି ଅସାଧୁ ବ୍ୟକ୍ତି ଓ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଓ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମିଳିତ ଭାବେ ସବୁ ଟଙ୍କା ଆତ୍ମସାତ କରି ଦେଇଥିବା ଅଭିଯୋଗ ହୋଇଛି। ଏକଥା କିନ୍ତୁ ଗାଁଲୋକେ ଜାଣିପାରିଲେନି।

ସେହିଭଳି ମଦନଗଣ୍ଡାପଲ୍ଲିରେ ସବୁ ଲୋକ ଆଦିବାସୀ ଅନୁସୂଚିତ ଜନଜାତିର। ସମସ୍ତେ ଚାଷ କାମ କରନ୍ତି । ଚୂନ ଘାଇ ନାଳରୁ ରାମ ଘାଇ ନାଳର ଉନ୍ନତି ପାଇଁ ୮ଲକ୍ଷ, ମଦନଗାଣ୍ଡା ପଲ୍ଲୀଠାରୁ ତୋଟା ନାଳର ନିର୍ମାଣ, ଶ୍ମଶାନରୁ ମଦନଗଣ୍ଡା ପଲ୍ଲୀ କେନାଲର ଉନ୍ନତି ପାଇଁ ୮ ଲକ୍ଷ ଆସିଥିଲା । ଏସବୁ ଟଙ୍କାକୁ ହରିଲୁଟ କରାଯାଇଛି। ସେହିପରି ପଣିବନ୍ଧ ଗାଁରେ ଗରୁଡେଶ୍ଵର ପୋଖରୀ ପାଇଁ ୮ ଲକ୍ଷ ଓ ରାଣୀ ଘାଇର ଉନ୍ନତି ପାଇଁ ୮ ଲକ୍ଷ, ଗରୁଡେଶ୍ଵର ନିକଟ ପାର୍କ ସକାଶେ ଆସିଥିବା ୮ ଲକ୍ଷ ଟଙ୍କା କୁଆଡେ ଗଲା କେହି ଜାଣି ପାରୁନାହାନ୍ତି। ସେହିଭଳି କଳାସୂତା ଗାଁର କଦମ୍ବ ବନ୍ଧର ଉନ୍ନତି ପାଇଁ ଦୁଇ ଥର ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରିପଲ୍ଲୀ ଗାଁରେ ଥିବା ଘାଇ ଓ ପୋଖରୀର ଉନ୍ନତି ପାଇଁ ୧୬ ଲକ୍ଷ ଟଙ୍କା ଖାଇ ଯାଇଛନ୍ତି । ସେହିଭଳି ପାଇକବଗଡ,ସାଲୁଆପଲ୍ଲୀ ଗାଁରେ ମଧ୍ୟ ଅନେକ କାମ ନ କରି ମିଥ୍ୟା ବିଲ କରାଯାଇଛି ଯାହା ଲୋକେ ଅଭିଯୋଗ କରୁଛନ୍ତି । ଲକ୍ଷ୍ୟ ଥିଲାଯେ, ଏସବୁ କାମ ପାଇଁ ମନରେଗା ଯୋଜନାରେ ଲୋକେ ରାଜଗାର କ୍ଷମ ହେବେ। ପ୍ରତିଦିନ କାମ ପାଇବେ। ମାତ୍ର ଏହାର ସୁଯୋଗ ନେଇ ଗାଁର କିଛି ଅସାଧୁ ଲୋକଙ୍କ ସହ ମିଶି କିଛି ବ୍ଲକ କର୍ମଚାରୀ ଲୋକଙ୍କୁ ସୁଖକୁ ଛଡାଇ ନେଇଛନ୍ତି। ରାଜ୍ୟ ବାହାରେ ଥିବା ଲୋକଙ୍କ ଖାତାକୁ ଟଙ୍କା ଯାଉଛି । ସେମାନଙ୍କ ଜବ କାର୍ଡ ରହୁଛି ଦଲାଲଙ୍କ ହାତରେ।

ଗାଁ ଲୋକେ ଏହାକୁ ସବୁଠାରୁ ଗୁରୁତର ଅପରାଧ ବୋଲି ଅଭିଯୋଗ କରୁଛନ୍ତି। ନବମ, ଦଶମ ଓ ଯୁକ୍ତ ୨ରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ନାଁରେ ଲେବର କାର୍ଡ କରି ଟଙ୍କା ଉଠାଇଛନ୍ତି । ଗୋଟିଏ ପିଲା ଯାହାର ବୟସ ପନ୍ଦର ଓ ଷୋହଳ ହେବ, ସେ କିପରି ପାଠ ପଢିବା ବେଳେ କାମ ପାଇଗଲା ? ଆରଟିଆଇ ତଥ୍ୟ କହୁଛିଯେ, ଶିବରାମ ବିଶୋଈ ଗରୁଡେଶ୍ଵର ହାଇସ୍କୁଲ ଝାଡାବନ୍ଧରେ ନବମ ଶ୍ରେଣୀରେ ପଢୁଥିଲେ। ଆଧାର କାର୍ଡ ଅନୁଯାୟୀ ତାଙ୍କ ବୟସ ୧୫ ବର୍ଷ । ସେହିପରି କୁବେର ସ୍ଵାଇଁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ବୟସ ୧୫ । ଶ୍ରାବଣୀ ବାଦତ୍ୟା ଦଶମ ଶ୍ରେଣୀରେ ପଢୁଥିଲେ। ବର୍ତ୍ତମାନ ବୟସ ୧୬ ବର୍ଷ । ଏହିପରି ଅନେକ ସ୍କୁଲ ପିଲାଙ୍କ ଖାତାକୁ ଟଙ୍କା ଛାଡି ଉଠାଯାଇଛି। ସ୍କୁଲକୁ ଆସିଥିବା ଅନୁଦାନ ଓ ସ୍କଲାରସିପ ଟଙ୍କା ପାଇବା ପାଇଁ ଖାତା ଖୋଲା ଯାଇଥିଲା । ଏହାର ସୁଯୋଗ ନେଇ ଏପରି ଅସାଧୁ ଉପାୟ କରାଯାଉଛି । ଏହାଠାରୁ ଅଧିକ ଗୁରୁତର କଥା ହେଉଛିଯେ, ଜଣେ ମୃତ ମହିଳାଙ୍କ ନାଁରେ ଟଙ୍କା ଉଠାଯାଇଛି । ମହିଳା ଜଣଙ୍କ ହେଲେ ଜୋଛନା ବାଲା ଗଉଡ, ଗାଁ କଳାସୂତା । ସେ ଗତ
୨.୨-୨୦୨୧ରେ ମୃତ୍ୟୁବରଣ କଲେଣି । ବର୍ତ୍ତମାନ ସୁଦ୍ଧା ତାଙ୍କରି ଖାତାକୁ ଟଙ୍କା ଛାଡୁଛନ୍ତି । ସେହି ଟଙ୍କା କିଏ ନେଉଛି ନା ଭୂତ ଖାଉଛି, କାହାରିକୁ ଜଣାନାହିଁ। ଟଙ୍କା ଯାହା ଉଠାଯାଉଛି କିପରି ସେହି ଜନସେବା କେନ୍ଦ୍ର କିପରି ଜାଣୁନାହାନ୍ତି । ଟଙ୍କା ଉଠାଇବାକୁ ହେଲେ ବାଧ୍ୟରେ ଟିପ ଚିହ୍ନ ଦରକାର ପଡିଥାଏ । ତେବେ ଏସବୁ ଟିପ ଚିହ୍ନ କାହାର ?

କାମ ନକରି ଟଙ୍କା ଉଠାଉଥିବା ଲୋକଙ୍କ ନାଁରେ ମିଥ୍ୟା ବିଲ କରାଯିବାର ନଜର ବ୍ଲକ ପ୍ରଶାସନକୁ ଜଣାଯାଇଛି। ମାତ୍ର ଲାଭ କିଛି ହୋଇନି। ସେପଟେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ଏକ ଗୁରୁତର ଅପରାଧ । ଯଦି ଘଟଣା ସତ୍ୟ ତାହାହେଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।

ସୋରଡ଼ାରୁ ସଞ୍ଜୀବ ପଟ୍ଟନାୟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.