ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଲେ ୧୫ଜଣ ଚିତ୍ରକର

ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ ଖାତିର ନକରି ନିଜ କର୍ମ କରିଚାଲିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏମାନେ ଏହି କାମ ପାଇଁ ଟଙ୍କାଟିଏ ବି ନେଉନାହାନ୍ତି ।

ହଁ ଆଜ୍ଞା ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କୁଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚିତ୍ର ଶିଳ୍ପୀ ସଙ୍ଘର ଏହି ୧୫ ଜଣ ଚିତ୍ରକର । ଏତେ ଖରା ଗରମରେ ବି ଏମାନଙ୍କର ତୁଳୀ ଅଟକୁ ନଥିଲା । ଗୋଟିଏ ଦିନରେ ସକାଳୁ ସଂଧ୍ୟା ମଧ୍ୟରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଛନ୍ତି ଏହି ଚିତ୍ରକରମାନେ ।

ମନ୍ଦିର ପାଚେରୀ ଚତୁଃପାର୍ଶ୍ଵକୁ ସୌନ୍ଦର୍ଯ୍ୟ କରିଛନ୍ତି ଏହି ଚିତ୍ରକର । ତାପୁଣି ବିନା ପାରିଶ୍ରମିକରେ । ଏହିପରି ଏକ ମହତ କାମ କରି ଦେଖାଇଛନ୍ତି । ଆଗକୁ ରହିଛି ଦିଗପହଣ୍ଡି ସହରର ଶୈବ ପୀଠ ଚନ୍ଦ୍ର ଚୁଡେଶ୍ୱର ଠାକୁରଙ୍କ ଶୀତଳ ଷଷ୍ଠୀ ଯାତ୍ରା । ଏହି ଯାତ୍ରା ପୂର୍ବରୁ ମନ୍ଦିର ବେଢା ଚତୁଃପାର୍ଶ୍ଵକୁ ରଙ୍ଗକରି, ବିଭିନ୍ନ ଫୁଲ, ଠାକୁର ଏବଂ ପଶୁପକ୍ଷୀଙ୍କ ଚିତ୍ର ଏହି ଚିତ୍ରକରମାନେ ନିଜ ତୁଳୀରେ ଅତି ସୁନ୍ଦର ଭାବେ ଆଙ୍କିଛନ୍ତି । ଯାହାକି ଅନେକଙ୍କ ମନ ମୋହୁଛି ।

ଦିଗପହଣ୍ଡି ବ୍ଲକର ଚିତ୍ରକର ସଙ୍ଘର ୧୫ ଜଣ ଯୁବକ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ । ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଚିତ୍ରକର ମାନେ ଏହାକୁ କରି ଦେଖାଇଛନ୍ତି । ଯାହା ସବୁଠାରୁ ବଡ କଥା । ଗତ ଦୁଇ ବର୍ଷ ଧରି ଏହି ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ତେଣୁ ନିଜର କଳାକୁ କାନ୍ଥରେ ପ୍ରଦର୍ଶିତ କରିବା ପାଇଁ ମନ କରିଥିଲେ ସେମାନେ । ଆଜି ତାହା ସାକାର ହୋଇଥିବା ଏମାନେ କହିଛନ୍ତି ।

ସେମାନେ ସରକାରୀ ଚାକିରିଆ ନୁହନ୍ତି କିମ୍ବା ବଡବଡିଆ ନୁହଁନ୍ତି ତଥାପି ମନର ଇଚ୍ଛାଶକ୍ତି, କିଛି କରିବାର ଜୋସ୍ ସେମାନଙ୍କୁ ଏଭଳି ମହତ କାମ କରିବାକୁ ଉତ୍ସାହିତ କରିଥିଲା । ଏଭଳି କାମ କରି ଏମାନେ ଆଜି ଚର୍ଚ୍ଚାରେ । ସୃଷ୍ଟି କରି ପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଯେଉଁଥି ପାଇଁ ସାଉଁଟୁଛନ୍ତି ପ୍ରଶଂସା।

 

Leave A Reply

Your email address will not be published.