ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର । ସାରା ରାଜ୍ୟ ରଜପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ ଏହି ପର୍ବକୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲାର ଆଦିମ ଖଡିଆ ଜନଜାତିର ଅବିବାହିତ ଯୁବକ ଯୁବତୀ ମାନେ ସାରା ବର୍ଷ ଯେପରି ଚାତକ ପକ୍ଷୀ ପରି ଅନେଇ ବସିଥାନ୍ତି । କାହିଁକି ନା ଏହି ଖଡିଆ ସମ୍ପ୍ରଦାୟରେ ଦେଖିବାକୁ ମିଳେ ନିଆରା ପରମ୍ପରା । ଏଠାରେ ରଜ ୩ ଦିନ ଧରି ପାଳିତ ହୁଏ । ଏହି ଅବସରରେ ଆଦିବାସୀ ଖଡିଆ ସମ୍ପ୍ରଦାୟର ପିଠାପଣା, ନାଚଗୀତ ଓ ଦୋଳି ଖେଳରେ ମସଗୁଲ ହୋଇ ଉଠନ୍ତି । ଆଉ ଏ ହେଉଛି ରଜପର୍ବ ପାଳନ ପଡିଆର ଦୃଶ୍ୟ । ଯେଉଁଠି ଏକାଠି ହୋଇଥାନ୍ତି ଖଡିଆ ସମ୍ପ୍ରଦାୟର ଅବିବାହିତ ଯୁବକ ଯୁବତୀ ଆଉ ନିଜ ନିଜର ପାରମ୍ପରିକ ବାଦୀ ଗୀତରେ ଚାଲିଛି ଅନ୍ତାକ୍ଷରୀ ପ୍ରତିଯୋଗୀତା ।

ପରମ୍ପରା ମୁତାବକ ଯୁବକ ଯୁବତୀ ବାଦୀଗୀତ ମଧ୍ୟମରେ ଅନ୍ତାକ୍ଷରୀ ପ୍ରତିଯୋଗୀତାରେ ଯୋଗ ଦେଇଥାଆନ୍ତି । ଗୀତରେ ଉଭୟ ଉଭୟଙ୍କୁ ହରାଇବାକୁ ଚେଷ୍ଟା କରନ୍ତି । ହାରିଯିବାର ଭୟ ଆଉ ଜିତିବାର ଖୁସିରେ ଯୁବକମାନେ ଉତ୍ସାହିତ ଥିବା ବେଳେ ଯୁବତୀ ମାନେ ମଧ୍ୟ ନିଜ ପସନ୍ଦ ଥିବା ଯୁବକ ମାନଙ୍କୁ ହରାଇବା ପାଇଁ ଲାଗିପଡିଛନ୍ତି । କାରଣ ହରାଇବା ମାନେ ହିଁ ବିବାହ ସ୍ଥିର ଆଉ ଏମାନେ ମଧ୍ୟ ଏସବୁ ପରମ୍ପରା ଓ ପ୍ରଥାକୁ ନେଇ ମାନସିକ ସ୍ତରରେ ଦୃଢଥାନ୍ତି । ଯେଉଁ ପୁଅ ଯେଉଁ ଝିଅକୁ ହରାଏ ଅବା ଯେଉଁ ଝିଅ ଯେଉଁ ପୁଅକୁ ହରାଏ ତାଙ୍କର ବିବାହ ସ୍ଥିର ହୋଇଥାଏ । ପାରମ୍ପାରିକ ରୀତିରେ ଜଗନ୍ନାଥଙ୍କ ଘୋଷଯାତ୍ରା ସମୟରେ ବାହାଘର ସମ୍ପନ୍ନ ହୋଇଥାଏ ।

ଆଦିବାସୀ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟରେ ଏ ପ୍ରଥା ଓ ପରମ୍ପରା କାହି କେଉଁ କାଳରୁ ଚାଲି ଆସୁଛି । ଆଉ ଏହି ପ୍ରତିଯୋଗୀତାରେ ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଏ ପରମ୍ପରା ଓ ପ୍ରଥାକୁ ଦେଖିବା ପାଇଁ ଆଖପାଖ ଗାଁ ର ଲୋକମାନଙ୍କ ସୁଅ ଛୁଟିଥାଏ । ତେବେ ନିଜ ଗାଁର ଯୁବତୀ ମାନେ ଏହି ପ୍ରତିଯୋଗୀତାରେ ଭାଗ ନେଉଥିବା ବେଳେ ଅନ୍ୟ ଗାଁରୁ ଯୁବକ ମାନେ ପ୍ରତିଯୋଗୀତା ପାଇଁ ଆସିଥାନ୍ତି । ଖଡିଆ ସମ୍ପ୍ରଦାୟର ଲୋକେ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ଆରାଧ୍ୟ ଦେବତା ବଡାମ ନାମରେ ପୂଜା କରିଥାନ୍ତି । ପରପିଢୀକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଘରର ମୁରବୀ ।

ଓଡ଼ିଆଙ୍କ ବାରମାସରେ ତେର ପର୍ବ ଆଉ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା । ତେବେ ଅଧୁନିକ ଯୁଗରେ ମଧ୍ୟ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର ଲୋକେ ଏଭଳି ପ୍ରଥା ଓ ପରମ୍ପରାକୁ ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି ତାହା ସବୁଠାରୁ ବଡ କଥା ।

 

Leave A Reply

Your email address will not be published.