ଘଟ ଯାତ୍ରା ପାଇଁ ଉତ୍ସବ ମୁଖର ନବରଙ୍ଗପୁରର ମା’ଭଣ୍ଡାର ଘରଣୀଙ୍କ ପୀଠ, ଜାଣନ୍ତୁ ଏହାର ପରମ୍ପରା ଓ କିମ୍ବଦନ୍ତୀ
ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି ଚୈତ୍ର ମାସ। ମାଆ ବାହାରିଛନ୍ତି ସହର ବୁଲି। ଝୁଣା ଧୂପ ର ବାସ୍ନାରେ ମହକି ଉଠୁଛି ସାରା ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ମିଳନ ହେଇଛି ଭକ୍ତ ଆଉ ଭଗବାନଙ୍କର । ମା’ଙ୍କ ଆଗମନ କୁ ନେଇ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ନବରଙ୍ଗପୁର ଜିଲ୍ଲା।
ଆପଣ ତ ଜାଣିଛନ୍ତି ଯେ ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ହେଉଛି ନବରଙ୍ଗପୁର ସହର। ସେଥି ମଧ୍ୟରୁ ସାବରୀ ତନ୍ତ୍ର ପୀଠ ହେଉଛି ମା ଭଣ୍ଡାର ଘରଣୀଙ୍କ ପୀଠ। ଆଉ ଏଠାରେ ଆରମ୍ଭ ହୋଇ ଯାଇଛି ମା ବୁଢ଼ୀ ଠାକୁରାଣୀଙ୍କ ନବ ଦିନାତ୍ମକ ଘଟ ଯାତ୍ରା। ଏହି ଠାକୁରାଣୀଙ୍କ ଘଟଯାତ୍ରା ସହ ଯୋଡି ହୋଇଛି ଅନେକ ପରମ୍ପରା ଅନେକ କିମ୍ବଦନ୍ତୀ । ଆଦିବାସୀ ରୀତି, ନୀତି,ପରମ୍ପରା ଅନୁସାରେ ମା କେଉଁ ଅନାଦି କାଳ ରୁ ଏଠି ପୂଜା ପାଇ ଆସୁଛନ୍ତି ।ଚଳିତ ବର୍ଷ ମା ଙ୍କ ଏହି ଘଟ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଠୁ ସହର।
ପରମ୍ପରା ଅନୁସାରେ ଏହି ମେଲଣ ଯାତ୍ରା ରେ ୯ ଜଣ ମହିଳା ମା’ଙ୍କ ଘଟ ଯାତ୍ରାରେ ସାମିଲ ହୁଅନ୍ତି ୪ ଗୋଟି ଘଟ ଯଥା ପ୍ରଥମ ମା ବୁଢ଼ୀ ଠାକୁରାଣୀ, ମା ଭଣ୍ଡାର ଘରଣୀ, ମାଉଲି ମା ଓ କନକ ଦୁର୍ଗାଙ୍କ ଚାରୋଟି ଘଟ ସହ ଚାରୋଟି ମାଙ୍କ ଆଜ୍ଞାମାଳ ପାଇଁ ଗୋଟିଏ ଛତର, ଦୁଇ ଗୋଟି ଧ୍ବଜା, ମା ଙ୍କ ମାର୍ଗ କୁ ପବିତ୍ର କରି ନେବା ପାଇଁ ଗୋଟିଏ ହଳଦୀ ପେଡି ଓ ଛଡା ଫୁଲ ରଖିବା ପାଇଁ ଆଉ ଏକ ଟୋକେଇ କୁ ସାମିଲ କରାଯାଏ । ଆଦିବାସୀ ମହିଳା ମାନଙ୍କ ଦ୍ୱାରା ମାଟିରେ ତିଆରି ମା ଙ୍କ ଘଟ କୁ ସିନ୍ଦୁର, ହଳଦୀ, ଚନ୍ଦନ, ଶାଢ଼ୀ ଚୁଡ଼ି ଦ୍ୱାରା ମା ଙ୍କ ବିଗ୍ରହ ର ରୂପ ଦେଇ ପୂଜାର୍ଚନା ପାଇଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ସ୍ଥାପନା କରାଯାଏ। ମା ଙ୍କ ମୁଖ୍ୟ ପୂଜକ ଙ୍କ ଦ୍ୱାରା ଘଟ ଗୁଡିକ ର ପ୍ରାଣ ପ୍ରତିଷ୍ଠା ପାରେ ସମସ୍ତ ଘଟ ଏକ ପଟୁଆର ରେ ଗ୍ରାମଦେବୀ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିରକୁ ଯାଆନ୍ତି। ସେଠାରେ ପୂଜାର୍ଚନା ପରେ ରାଜା ରାଜୁଡା ଅମଳ ର ପରମ୍ପରା ଅନୁଯାଇ ରାଜ ପରିବାର ର ସଦସ୍ୟ ପ୍ରଥମେ ମା ଙ୍କୁ ପୂଜାର୍ଚନା କରିଥାନ୍ତି। ପରେ ମା ବାହାରନ୍ତି ସହର ପରିକ୍ରମା ପାଇଁ ପ୍ରତ୍ୟେକ ଦିନ କିଛି କିଛି ସାହି କୁ ଯାଇ ପ୍ରତ୍ୟେକ ଘରେ ଦୁଆରେ ପୂଜା ପାଇଥାନ୍ତି ମା ।
ମା ଙ୍କ ଆଗମନ କୁ ନେଇ ପ୍ରତ୍ୟେକ ଘର ଅଗଣାକୁ ଗୋବର ଛଡା ରେ ମାର୍ଜିତ କରି ଲାଲ ମାଟିର ଆସ୍ଥାନ ଉପରେ ସୁନ୍ଦର ଝୋଟି ଚିତା ଦେଇ ମୁଆଁ, ନଡ଼ିଆ, କଦଳୀ, ଧୂପ ଦୀପ ସଜାଡି ମା ଙ୍କ ଆସିବା ବାଟ କୁ ଚାହିଁ ରହିଥାନ୍ତି ଭକ୍ତ । ଯେହେତୁ ବର୍ଷ ରେ ଥରେ ହିଁ ମା ଆସନ୍ତି ଭକ୍ତ ଙ୍କ ଦୁଆର କୁ ସେଥିଲାଗି ଝୁଣା ଧୂପ ବାସ୍ନା ରେ ମହକି ଉଠେ ସାରା ଅଞ୍ଚଳ । ଘଣ୍ଟ, ବାଦ୍ୟ, ଶଙ୍ଖ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠେ ସମଗ୍ର ସହର l
ବିଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ମା ଙ୍କ ଏହି ଯାତ୍ରା ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେଉଥିବା ବେଳେ ମା ମଧ୍ୟ ସହର ପରିକ୍ରମାରେ ବାହାରି ନଥିଲେ, କିନ୍ତୁ ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ମା ସହର ପରିକ୍ରମା ରେ ବାହାରି ଘର କୁ ଘର ଯାଇ ପୂଜା ପାଉଥିବା ହେତୁ ଶ୍ରଦ୍ଧାଳୁ ଙ୍କ ମନରେ ବହୁତ ଖୁସି। ମା ଙ୍କୁ ପାଖରେ ପାଇଁ ଭକ୍ତ ଆତ୍ମ ବିଭୋର ହେବା ସହିତ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପ୍ରତିବର୍ଷ ଚୈତ୍ର ମାସରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଗହଳିକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସୁବ୍ୟବସ୍ଥା କରା ଯାଇଛି ।