ନେପାଳରେ ଗୁପ୍‌ଚୁପ୍‌ ବିକିବା ମନା, ବ୍ୟାନ୍‌ କରିଛନ୍ତି ସରକାର

କେନ୍ୟୁଜ୍‌ : ନେପାଳରେ ଗୁପ୍‌ଚୁପ୍‌ ବିକିବା ଏବଂ ଖାଇବା ଉପାର ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, ଭାବୁଥିବେ ଏ କେମିତି କଥା । ହଁ ଆଜ୍ଞା ଏହି କଥା ସମ୍ପୂର୍ଣ୍ଣ ସତ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଆମର ପଡ଼ୋଶୀ ଦେଶ ନେପାଳର ସରକାର । ସାଧାରଣତଃ ଗୁପ୍‌ଚୁପକୁ ଅନେକ ଜାଗାରେ ଅନେକ ପ୍ରକାର ନାଁରେ ଜାଣନ୍ତି । ଯେମିତି କି ଗୋଲଗପ୍ପେ, ବତାଶେ, ପାନି ପୁରି ଏମିତି ଅନେକ । ପ୍ରାୟ ସମସ୍ତଙ୍କ ଭିତରେ ଗୁପ୍‌ଚୁପକୁ ନେଇ ଦୁର୍ବଳତା ଥାଏ, ସମସ୍ତେ ଏହାକୁ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ।

ଭାରତରେ ଗାଁଠୁ ସହର ସବୁଆଡ଼େ ଗୁପ୍‌ଚୁପ ଠେଲାଗାଡ଼ି ଲାଗିଥାଏ ଏବଂ ସବୁ ଠେଲା ପାଖରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ । ଗୁପ୍‌ଚୁପ୍‌କୁ ଖାଇବାକୁ ନେଇ ଲୋକଙ୍କର ଏତେ ଉତ୍ସାହ ଥିବା ବେଳେ ମଧ୍ୟ ଏହାକୁ ବ୍ୟାନ ବି କରାଯାଇଛି । ଆମର ପଡ଼ୋଶୀ ଦେଶ ନେପାଳରେ ସେଠାକାର ସରକାର ଏହାକୁ ବ୍ୟାନ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ହେଉଛି । ଗୋଟିଏ ସୋସିଆଲମିଡିଆର େଓ୍ଵବ୍‌ସାଇଟ୍‌ ରହିଛି ଯେଉଁଥିରେ ଲୋକମାନେ ବାର୍ତ୍ତାଳପ କରନ୍ତି । ସେଥିରେ ଜଣେ ପ୍ରଶ୍ନ କଲେ ଆଉ ଜଣେ ଉତ୍ତର ଦେଇଥାଆନ୍ତି । ନିକଟରେ ଜଣେ ସୋସିଆଲ ମିଡିଆରେ ପଚାରିଥିଲେ କି,‘ନେପାଳ ସରକାର ଗୁପ୍‌ଚୁପ ଉୁପରେ ପ୍ରତିବନ୍ଧକ କାହିଁକି ଲଗାଇଛନ୍ତି’।

କାହିଁକି ବ୍ୟାନ୍‌ ଲଗାଇଛନ୍ତି ନେପାଳ ସରକାର:

ସୋସିଆଲ ମିଡିଆର ଉକ୍ତ ବ୍ୟକ୍ତିର ପ୍ରଶ୍ନରେ ଉତ୍ତର ରଖି ଅନ୍ୟ ଜଣେ ବ୍ୟକ୍ତି ଜିତେନ୍ଦ୍ର ବାଥମ କହିଛନ୍ତି, ଗୁପ୍‌ଚୁପ୍‌ର ପ୍ରସ୍ତୁତି ପ୍ରକ୍ରିୟା ଅତ୍ୟନ୍ତ ନିମ୍ନସ୍ତରର ଏବଂ ପୁରା ଖୋଲା ଜାଗାରେ ଏହା ତିଆରି ହେଉଛି । ସବୁଠାରୁ ଏହାର ପାଣି ଅଧିକ କ୍ଷତିକାରକ ହୋଇଥାଏ ଯାହାର ପ୍ରସ୍ତୁତି ପ୍ରଣାଳୀ ସେତିକି ସୁରକ୍ଷିତ ହୋଇ ନଥାଏ । ଏହାର ପାଣିରେ ପରିଷ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ୱ ଦିଆଯାଇନଥାଏ । ଗୁପ୍‌ଚୁପ ପାଣିରେ ଥିବା ହାନିକାରକ ବ୍ୟାକ୍ଟେରିଆ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ସେଥିପାଇଁ ନେପାଳ ସରକାର ଏହା ଉପରେ ବ୍ୟାନ ଲଗାଇଛନ୍ତି । ଅନ୍ୟ ଜଣେ ବ୍ୟକ୍ତି ନୀରଜ ତିଓ୍ଵାରି କହିଛନ୍ତି, ନେପାଳ ସରକାର ଗୁପ୍‌ଚୁପକୁ ବ୍ୟାନ କରିବାର କାରଣ ହେଉଛି, ନେପାଳର ରାଜଧାନୀ କାଠମାଣ୍ଡୁରେ ହଇଜା ବ୍ୟାପିବା । ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ ମାନେ ଗୁପ୍‌ଚୁପର ପାଣିରେ କଲେରା ସୃଷ୍ଟିକାରୀ ବ୍ୟାକ୍ଟେରିଆ ପାଇଛନ୍ତି । ତେଣୁ ନେପାଳ ସରକାର କାଠମାଣ୍ଡୁରେ ହଇଜା ବ୍ୟାପିବା ଘଟଣା ପାଇଁ ସେଠାରେ ଗୁପ୍‌ଚୁପକୁ ବ୍ୟାନ କରିଛନ୍ତି ।

ନେପାଳରେ ବଢ଼ିଥିଲା କି ହଇଜା କେସ୍‌ ?

ଲୋକମାନେ ସୋସିଆଲ ମିଡିଆରେ ହଇଜାକୁ ନେଇ ଅନେକ କଥା ଆଲୋଚନା କରିଛନ୍ତି । ପ୍ରକୃତରେ ଏହି ଘଟଣାର ସତ୍ୟତା ଅଛି କି ନାହିଁ । ଗତ ଜୁନ ମାସରେ ଏକ େଓ୍ଵବ୍‌ସାଇଟ୍‌ର ରିପୋର୍ଟ ଅନୁସାରେ ସେହି ସମୟରେ କାଠମାଣ୍ଡୁରେ ଅତି ଜୋରରେ ହଇଜା ବ୍ୟପିବାକୁ ଲାଗିଥିଲା । ନେପାଳର ଲଳିତପୁର ମହାନଗରପାଳିକାରେ ଗୁପ୍‌ଚୁପ ବିକ୍ରିକୁ ବନ୍ଦ କରାଯାଇଥିଲା । ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କୁ ଗୁପ୍‌ଚୁପ ନ ଖାଇବାକୁ ମନା କରିଥିଲେ ଏବଂ ଯଦି କଲେରାର ଲକ୍ଷଣ କାହା ଭିତରେ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.