ଟାଇଟାନିକ ଜାହାଜ ସିନା ମିଳିଲା ହେଲେ ଯାତ୍ରୀଙ୍କ ମୃତଦେହ ଗଲା କୁଆଡ଼େ ?

ଦୁର୍ଘଟଣା ଗ୍ରସ୍ତ ଟାଇଟାନିକ୍‌ ଜାହାଜରୁ କୁଆଡ଼େ ଚାଲିଗଲା ୧୧୬୦ ଯାତ୍ରୀଙ୍କ ମୃତଦେହ ?

ଟାଇଟାନିକ୍‌ ପାଖରେ ବୁଡ଼ିଗଲା ଟାଇଟନ୍‌ । ଅତଳ ସମୁଦ୍ର ଗର୍ଭରେ ୧୧୧ ବର୍ଷ ତଳେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ରହିଥିବା ବହୁ ଚର୍ଚ୍ଚିତ ଟାଇଟାନିକ ଜାହାଜ ଏବେ କିଛି ଦୁଃସାସିକ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ସ୍ଥଳ ପାଲଟିଛି । ସେଇ ପର୍ଯ୍ୟଟନ ଆଜି ଜୀବନ ନେଇଛି ଟାଇଟନରେ ଥିବା ୫ ଜଣଙ୍କର । ତେବେ ଏହି ଅବସରରେ ଗୋଟିଏ କଥା ମନକୁ ଆସେ କି ଶତାବ୍ଦୀରୁ ଅଧିକ ସମୟ ପରେ ବି ଟାଇଟାନିକ ଜାହାଜର ଭଗ୍ନାବଶେଷ ସମୁଦ୍ର ତଳେ ରହିଛି । ତେବେ ଦୁର୍ଘଟଣା ବେଳେ ଏଥିରେ ଥିବା ଶହ ଶହ ଯାତ୍ରୀଙ୍କର ଦେହାବଶେଷ ଗଲା କୁଆଡ଼େ ?
ଆଟଲାଣ୍ଟିକ ମହାସାଗରରେ ଟାଇଟାନିକ ଦୁର୍ଘଟଣା ସ୍ଥଳରେ ଏବେବି ମଦ ବୋତଲ, ଯୋତା, ସୁଟ୍‌୍‌କେଶ ଆଦି ପଡ଼ି ରହିଛି । ତେବେ ମଣିଷ ମୃତଦେହ କିମ୍ବା କଙ୍କାଳର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ । କୁହାଯାଏ କି ପ୍ରାୟ ୧୧୬୦ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ତେବେ ଅନେକଥର ସେଠାରେ ଉଦ୍ଧାର କାର୍ଯ୍ୟ ତଥା ଗବେଷଣା ଆଦି ହୋଇଥିଲେ ମଧ୍ୟ ଏଯାଏ ଗୋଟିଏ ହେଲେ ମଣିଷ ଶବ ମିଳି ନାହିଁ । ଅବଶ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । ହେଲେ ମୃତ ଯାତ୍ରୀଙ୍କ ଅବଶେଷ ନମିଳିବାର ନିର୍ଦ୍ଦିଷ୍ଟ କାରଣ ଏବେବି ରହସ୍ୟ ଭିତରେ ।

ବଡ଼ କଥା ହେଉଛି ଦୁର୍ଘଟଣାର ପ୍ରାୟ ୭୦ ବର୍ଷ ପରେ ଟାଇଟାନିକକୁ ଠାବ କରାଯାଇଥିଲା । ସେତେବେଳେକୁ ହୁଏତ ସମୁଦ୍ରର ଲୁଣା ପାଣିରେ ଶବ ସବୁ ନଷ୍ଟ ହୋଇ ଯାଇଥିବ ବୋଲି ଗବେଷକମାନେ ଅନୁମାନ କରନ୍ତି । ଏମିତିକି ଭଙ୍ଗା ଜାହାଜର କେବିନ ଓ ଇଞ୍ଜିନ୍‌ ରୁମ୍‌ ଭିତରେ ମଧ୍ୟ କୌଣସି ଶବ ନିଥିବ ବୋଲି କୁହାଗଲା । ଯଦିଓ ଇଞ୍ଜିନ ରୁମ୍‌ରେ ପାଣି କମ୍‌ ପଶିଛି ତଥାପି ସେଠାରେ ମୃତଦେହ ଥିବା କଥାକୁ ଅସ୍ୱୀକାର କରାଗଲା । କେବଳ ଲୁଣା ପାଣି ଯୋଗୁଁ ନୁହେଁ, ସାମୁଦ୍ରିକ ଜୀବମାନେ ହୁଏତ ମୃତଦେହଗୁଡ଼ିକୁ ଖାଇ ଦେଇଥିବେ କିମ୍ବା ବ୍ୟାକଟେରିଆ ଯୋଗୁଁ ଏହା ନଷ୍ଟ ହୋଇଯାଇଥିବ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି । ଏତେ ସମୟ ଭିତରେ ମଣିଷର ସବୁଠୁ ଟାଣ ହାଡ଼ ଖପୁରୀ ଓ ଦାନ୍ତ ମଧ୍ୟ ମିଳେଇ ଯାଇଥିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.