ଅଜ୍ଞାନ ଅନ୍ଧକାରକୁ ଦୂରେଇ ଆମକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ଯିଏ, ସିଏ ଗୁରୁ। ଏ ସଂସାରରେ ଏମିତି ଅନେକ ଜିନିଷ ଅଛି ଯାହା ଆମେ କାହାଠୁ ନା କାହାଠୁ ଶିଖିଥାଉ। ଯିଏ କିଛି ଶିଖାଇଥାନ୍ତି ସେ ହିଁ ଗୁରୁ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ସେମିତି ଜଣେ ଗୁରୁ ହେଉଛନ୍ତି ରେଢ଼ାଖୋଲ ବ୍ଲକ ତନ୍ତଗାଡ଼ ଗାଁର ବଳଭଦ୍ର ପ୍ରଧାନ। ତାଙ୍କର ନିଜର ଆଖି ନାହିଁ, ଦୁନିଆକୁ ସେ ନିଜେ ବି ଭଲରେ ଦେଖିନାହାନ୍ତି। କିନ୍ତୁ ଶହ ଶହ ପିଲାଙ୍କୁ ଭଲ ମଣିଷଟିଏ କରି ଗଢ଼ି ତୋଳିବାକୁ ସବୁବେଳେ ଲାଗିପଡ଼ିଛନ୍ତି।
ବୟସର ଅପରାହ୍ନରେ ଉପନୀତ ହୋଇଥିଲେ ମଧ୍ୟ ଏବେ ବି ଗାଁର ଲୋକଙ୍କୁ ଭଲ ବାଟକୁ ଆଣିବାକୁ ବଳଭଦ୍ର ଲାଗିପଡ଼ିଛନ୍ତି। କିନ୍ତୁ ଏକ ନିଆରା ଉପାୟରେ। ଭଜନ, କୀର୍ତ୍ତନ, ଭାଗବତ ମାଧ୍ୟମରେ ସେ ଯୁବପିଢ଼ିଙ୍କୁ ଅବାଟରୁ ବାଟକୁ ଆଣୁଛନ୍ତି। ଦେଉଛନ୍ତି ଗୁରୁଜ୍ଞାନ। ବର୍ତ୍ତମାନର ଆଧୁନିକ ଦୁନିଆରେ ଯୁବପିଢ଼ି ପଥ ଭ୍ରଷ୍ଟ ହେଉଥିବା ବେଳେ ବଳଭଦ୍ର ସାର କିନ୍ତୁ ଏକ ସୁନ୍ଦର ଦୁନିଆ ଗଢ଼ିବାକୁ ଆଧ୍ୟାତ୍ମିକ ବାଟକୁ ଆପଣାଇଛନ୍ତି।
ଅତି ସୁନ୍ଦର ଭାବେ ମୃଦଙ୍ଗ, ଗିନି, ଖଞ୍ଜଣୀ ବଜାଇପାରୁଥିବା ବଳଭଦ୍ର ପ୍ରଧାନ ଗୀତ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେଇଥାନ୍ତି। ନିଜେ ପାଠ ପଢ଼ିନଥିଲେ ମଧ୍ୟ ପିଲାବେଳୁ ସେ ଭାଗବତ ବିଷୟରେ ଲୋକଙ୍କୁ ଭଲ ଭାବେ ବୁଝେଇ ପାରନ୍ତି। ଏଣୁ ଆଦରରେ ସମସ୍ତେ ତାଙ୍କୁ ଭଦ୍ର ଗୁରୁ ବୋଲି ଡାକନ୍ତି।
କିନ୍ତୁ ଅନ୍ୟଙ୍କୁ ଧର୍ମର ମାର୍ଗ ଦେଖାଉଥିବା ନିଜେ ଭଦ୍ର ଗୁରୁ ଏବେ ଖୁବ୍ ଅସହାୟ। ଜନ୍ମର ୬ ମାସ ପରେ ଦୁଇ ଆଖି ହରାଇଥିବା ବଳଭଦ୍ରଙ୍କର ଏବେ ଦୁଇ ଗୋଡ଼ ବି ଅଚଳ ହୋଇଯାଇଛି। ସେ ବିବାହ କରିନଥିବାରୁ ଏବେ ସମୂର୍ଣ୍ଣ ନିଃସଙ୍ଗ। ସରକାରଙ୍କ କଳାକାର ଭତ୍ତା ଭାବେ ତାଙ୍କୁ ୧୨୦୦ ଟଙ୍କା ଓ ମାସକୁ ୫ କେଜି ଚାଉଳ ମିଳୁଛି। ଏହା ହିଁ ତାଙ୍କର ସମ୍ବଳ। ଜଣେ ଗୁରୁ ଭାବେ ସମାଜକୁ ଉତ୍ତମ ବାର୍ତ୍ତା ଦେଉଥିବା ବଳଭଦ୍ରଙ୍କୁ ସହାୟତା ଯୋଗାଇବାକୁ ଆଜି ଗୁରୁଦିବସରେ ତାଙ୍କ ଶିଷ୍ୟମାନେ ଅନୁରୋଧ କରିଛନ୍ତି। ଏହି ଦରଦୀ ଗୁରୁଙ୍କୁ ଯଥେଷ୍ଟ ସମ୍ମାନ ମିଳିଲେ ବୋଧେ ତାହା ହିଁ ହେବ ତାଙ୍କ ପାଇଁ ପ୍ରକୃତ ଗୁରୁଦକ୍ଷିଣା ଓ ସାର୍ଥକ ହେବ ଗୁରୁଦିବସ।