କାହିଁକି ହୁଏ କାଳିକା ନୃତ୍ୟ? ଜାଣନ୍ତୁ, କାକଟପୁରର ମା’ମଙ୍ଗଳାଙ୍କ ଏହି ସ୍ୱତନ୍ତ୍ର ପାରମ୍ପରିକ ସେବା ନେଇ କ’ଣ କହେ କିମ୍ବଦନ୍ତୀ

ମା’ ମଙ୍ଗଳାଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ଚୈତ୍ର ମାସର ଝାମୁ ଯାତ୍ରା ହେଉଛି ପ୍ରମୁଖ ଓ ପ୍ରସିଦ୍ଧ ଯାତ୍ରା। ଏହି ଝାମୁ ଯାତ୍ରା ସହିତ ମା’ ମଙ୍ଗଳାଙ୍କ ଅନେକ ପରମ୍ପରା ଯୋଡି ହୋଇ ରହିଥାଏ। ଯେମିତି ମା’ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଦିନ ନେତ୍ର ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ମଙ୍ଗଳାଙ୍କ ମନ୍ଦିର ଚୁଡାରେ ମା’ଙ୍କ ନେତ୍ର ଅପର୍ଣ୍ଣାଙ୍କୁ ସ୍ଥାପନ କରାଯାଇଥାଏ। ସେହିଭଳି ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ମନ୍ଦିର ପରିସରରେ ଘଣ୍ଟ ପାଟୁଆ ନୃତ୍ୟ ପରିବେଷଣ କରାଯାଇଥାଏ। ଏହି ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ବିଭିନ୍ନ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁଠାରେ ମହିଳାମାନେ ମା ମଙ୍ଗଳାଙ୍କ ଉଦ୍ଦେଶ୍ୟ ରେ ପନ୍ଥେଇ ପୂଜା କରିଥାନ୍ତି। ସେହିଭଳି ଅନ୍ୟ ସବୁ ପରମ୍ପରା ପରି କାଳିକା ନୃତ୍ୟ ହେଉଛି ମଙ୍ଗଳାଙ୍କ ଏହି ଝାମୁଯାତ୍ରାର ଏକ ଅନନ୍ୟ ପରମ୍ପରା। କାଳିକା ନୃତ୍ୟ ପାଇଁ ମା’ମଙ୍ଗଳାଙ୍କ ସ୍ୱତନ୍ତ୍ର ସେବକ ପରିବାର ରହିଛନ୍ତି। ଚୈତ୍ର ମାସର ଝାମୁଯାତ୍ରାର ତୃତୀୟ ମଙ୍ଗଳବାର ଠାରୁ ଏହି କାଳିକା ନୃତ୍ୟ ଆରମ୍ଭ ହୋଇଥାଏ। ମଙ୍ଗଳା ମନ୍ଦିରରେ ଏହି କାଳିକା ନୃତ୍ୟ ପଛରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି।

mangala

କିମ୍ବଦନ୍ତୀ ଅନୁଯାୟୀ, ପୁରାଣ ଯୁଗରେ ଅସୁର ମହିଷାସୁର ଯେତେବେଳେ ଦେବତାଙ୍କ ଠାରୁ ବରପାଇ ମହାପରାକ୍ରମୀ ହୋଇ ଯାଇଥିଲା, ସେତେବେଳେ ସେ ସ୍ୱର୍ଗ,ମର୍ତ୍ତ୍ୟ, ପାତାଳ ତିନିପୁରରେ ତା’ର ଦୈତ୍ୟ ବୁଦ୍ଧି ପ୍ରୟୋଗ କରି ଜୀବଜଗତ ଠାରୁ ଆରମ୍ଭ କରି ଦେବଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଅତ୍ୟାଚାର କରିଚାଲିଥିଲା। ସେତେ ବେଳେ ସମସ୍ତ ମାନବ ସମାଜ ,ଦେବତା ତ୍ରାହି ତ୍ରାହି ଡାକ ଦେଇଥିଲେ। ଆଉ ଏହି ଦାନବ ମହିଷାସୁରକୁ ବିନାଶ କରିବା ପାଇଁ ଦେବତାମାନଙ୍କ ଦ୍ୱାରା କରାଯାଇଥିବା ଯଜ୍ଞର ଅଗ୍ନିରୁ ପ୍ରକଟ ହୋଇଥିଲେ ମା’ ଦୁର୍ଗା। ମହିଷାସୁର ସହ ମା’ ଦୁର୍ଗାଙ୍କ ଆରମ୍ଭ ହୋଇଥିଲା ଭୟଙ୍କର ଯୁଦ୍ଧ। ହେଲେ ଯେତେଥର ମା ଦୁର୍ଗା ମହିଷାସୁରକୁ ନିଧନ କରୁଥିଲେ ସେତେଥର ସେ ଜୀବିତ ହୋଇଯାଉଥିଲା କାରଣ ସେ ବ୍ରହ୍ମାଙ୍କ ଠାରୁ ବରପାଇଥିଲା। ଆଶୀର୍ବାଦ ଅନୁସାରେ, ତା’ର ଗୋଟିଏ ବି ରକ୍ତବିନ୍ଦୁ ଭୂମିରେ ସ୍ପର୍ଶ କରିବା ମାତ୍ରେ ଅନେକ ମହିଷାସୁର ସେହି ରକ୍ତରୁ ଜନ୍ମ ନେବେ। ଏଥିରେ ମା’ ଦୁର୍ଗା ଯୁଦ୍ଧ କରି କରି ବିମଶ ହୋଇଯାଇଥିଲେ ଏବଂ ଆଦିଶକ୍ତି ସର୍ବମଙ୍ଗଳାଙ୍କୁ ଧ୍ୟାନ କରିଥିଲେ। ମା’ ଦୁର୍ଗାଙ୍କ ନିବେଦନକୁ ସ୍ୱୀକାର କରି ମା’ମଙ୍ଗଳା ଆବିର୍ଭାବ ହୋଇଥିଲେ। ମା’ ଦୁର୍ଗାଙ୍କୁ ଅଭୟ ବାଣୀ ଦେଇ ମା’ମଙ୍ଗଳା ନିଜ ଦେହରୁ କାଳୀଙ୍କୁ ସୃଷ୍ଟି କରିଥିଲେ ଓ କାଳୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ମହିଷାସୁରର କୌଣସି ରକ୍ତ ବିନ୍ଦୁକୁ ଭୂମିରେ ପକାଇବାକୁ ଦିଅନାହିଁ। ଏହା ପରେ ମା’ ଦୁର୍ଗା ମହିଷାସୁର ସହିତ ଯୁଦ୍ଧ କରିଥିଲେ ଏବଂ ତା’ ବକ୍ଷକୁ ତ୍ରିଶୁଳରେ ଆଘାତ କରିଥିଲେ। ଏହି ସମୟରେ ସଂହାରିଣୀ ଶକ୍ତି ମା’ କାଳୀ ମହିଷାସୁରର ଦେହରୁ ଯେତେ ସବୁ ରକ୍ତ ନିର୍ମତ ହୋଇଥିଲା ତାହାକୁ ଜିହ୍ଵାରେ ଶୋଷଣ କରି ଭକ୍ଷଣ କରିଥିଲେ। ଫଳରେ ମହିଷାସୁରର ନିଧନ ହୋଇଥିଲା। ସେହି କିମ୍ବଦନ୍ତୀ ଅନୁଯାୟୀ, ଚୈତ୍ର ମାସର ତୃତୀୟ ମଙ୍ଗଳବାର ଠାରୁ ପଞ୍ଚମ ମଙ୍ଗଳବାର ପର୍ଯ୍ୟନ୍ତ କାଳିକା ନୃତ୍ୟର ପରମ୍ପରା କାହିଁ କେଉଁ ଆବାହନ କାଳରୁ ମଙ୍ଗଳା ମନ୍ଦିରରେ ଚାଲିଆସୁଛି।

kaliaka

ମା’ମଙ୍ଗଳାଙ୍କ ମନ୍ଦିରର ପରମ୍ପରା ଅନୁଯାୟୀ, ଏହି କାଳିକା ନୃତ୍ୟ ପରିବେଷଣ କରୁଥିବା ସେବକଙ୍କୁ ଏଥିପାଇଁ ଅନେକ ନୀତିନିୟମ ନିଷ୍ଠାର ସହକାରେ ପାଳନ କରିବାକୁ ପଡ଼ିଥାଏ। ଏହି ସେବକ ଚୈତ୍ର ମାସ ଆରମ୍ଭରୁ ପ୍ରତ୍ୟେକ ମଙ୍ଗଳବାର ମଙ୍ଗଳା ମନ୍ଦିରରୁ ବାହାରୁଥିବା ଅନ୍ନପ୍ରସାଦକୁ ଦିନରେ ଗୋଟିଏ ଥର ଖାଇଥାନ୍ତି। ଏହି ଚୈତ୍ର ମାସ ସାରା ସେମାନେ ଗୋଟିଏ ଘରେ ଏକୁଟିଆ ରହିଥାନ୍ତି ଏବଂ ପ୍ରତ୍ୟେକ ଦିନ ମା’ଙ୍କ ବୀର୍ଯ୍ୟମନ୍ତ୍ରକୁ ଜପ କରିଥାନ୍ତି। ତୃତୀୟ ମଙ୍ଗଳବାର ଠାରୁ ଏହି ସେବକ ଜଣକ ମଙ୍ଗଳାମନ୍ଦିରର ପୂର୍ବଦିଗରେ ରହିଥିବା ଗୋରୋଡା ଘରେ ରାତ୍ରିର ପ୍ରଥମ ପ୍ରହରରେ ପହଞ୍ଚିଥାନ୍ତି। ସେଠାରେ ସେବାୟତମାନେ ତାଙ୍କୁ ବେଶ କରିଥାନ୍ତି। ମଧ୍ୟରାତ୍ରରେ ଗୋରୋଡା ଘରଠାରୁ କାଳିକା ବାହାରିଥାଏ ମଙ୍ଗଳା ମନ୍ଦିର ଅଭିମୁଖେ। ଗୋରୋଡା ଘରଠାରୁ ମନ୍ଦିର ପର୍ଯ୍ୟନ୍ତ କାଳିକା ଆସିବା ସମୟରେ ପାରମ୍ପରିକ ଦିହୁଡି ଜଳାଇ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ କାଳିକା ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ମନ୍ଦିର ମଧ୍ୟରେ କାଳିକା ପ୍ରବେଶ କରି ପ୍ରଥମେ ମା’ମଙ୍ଗଳାଙ୍କ ନିକଟକୁ ଯାଇଥାନ୍ତି। ସେଠାରେ ସ୍ୱତନ୍ତ୍ର ଭାବରେ ଏକ ଗୁପ୍ତପୂଜା କରାଯାଇଥାଏ ଏବଂ କାଳିକା ହାତରେ ମା’ଙ୍କ ଏକ କାଷ୍ଠ ନିର୍ମିତ ଖଣ୍ଡା ପ୍ରଦାନ କରାଯାଇଥାଏ। ଏହା ପରେ ମା’ଙ୍କ ଆଜ୍ଞା ମାଳକୁ କାଳିକାଙ୍କୁ ପିନ୍ଧାଇ ଦିଆଯାଇଥାଏ। ଏହି ସମୟରେ ମା’ଙ୍କ ଏକ ଶକ୍ତି କାଳିକା ବେଶଧାରୀ ସେବକଙ୍କ ଦେହରେ ପ୍ରବେଶ କରିଥାନ୍ତି। ତା’ପରେ କାଳିକା ମନ୍ଦିର ବାହାରକୁ ଆସି ନୃତ୍ୟ ପ୍ରଦର୍ଶନ କରିବା ସହ ମନ୍ଦିରର ପ୍ରତି ଦ୍ୱାର ନିକଟରେ ଖଣ୍ଡା ବୁଲାଇଥାନ୍ତି। ଏହିଭଳି ଭାବରେ କାଳିକା ତିନିଥର ବେଢା ପରିକ୍ରମା କରି ଦକ୍ଷିଣ ଦ୍ୱାର ଦେଇ ଆସିଥିବା ଗୋରୋଡାକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଏବଂ ସେଠାରେ ପହଞ୍ଚିବା ପରେ ଅଚେତ ହୋଇ ପଡ଼ିଯାଇଥାଏ। ସେବକମାନେ ସେଠାରେ କାଳିକା ସେବକକୁ ସାଷ୍ଟାଙ୍ଗ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.