ଜାଣନ୍ତୁ ଭାରତର ରାଷ୍ଟ୍ରପତି କେତେ ପାଆନ୍ତି ଦରମା ଓ କଣ ରହିଛି ସୁବିଧା ସୁଯୋଗ

ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ମାତ୍ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାରେ ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ହୋଇଛନ୍ତି। ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଜୁଲାଇ ୨୫ ତାରିଖରୁ ବଦଳିବ ତାଙ୍କ ଠିକଣା। ନୂଆ ଠିକଣା ହେବ ରାଷ୍ଟ୍ରପତି ଭବନ। ପ୍ରଥମ ନାଗରିକ ଭାବେ ସମସ୍ତ ସୁବିଧା ସୁଯୋଗ ଲାଭ କରିବେ। ରାଷ୍ଟ୍ରପତି ଭାବେ ସର୍ବକନିଷ୍ଠ ଓ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ହେବାର ଅଧିକାରିଣୀ ଦ୍ରୌପଦୀ ମୁର୍ମୁ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦେଶର ରାଷ୍ଟ୍ରପତିଙ୍କ ଦରମା କେତେ ହୋଇଥାଏ ଏବଂ ତାଙ୍କୁ କ’ଣ କ’ଣ ସୁବିଧା ଓ ଭତ୍ତା ମିଳିଥାଏ? ଆସନ୍ତୁ ଜାଣିବା ଏ ବିଷୟରେ ସମ୍ପୂର୍ଣ୍ଣ ଭିଡିଓରେ।

୨୦୧୮ ଅକ୍ଟୋବରରେ ଭାରତର ରାଷ୍ଟ୍ରପତିଙ୍କ ଦରମା ୧.୫ ଲକ୍ଷରୁ ବଢ଼ି ୫ ଲକ୍ଷ ଟଙ୍କା ପ୍ରତି ମାସ ହୋଇଥିଲା। ରାଷ୍ଟ୍ରପତିଙ୍କୁ ମେଡିକାଲ ଏବଂ ହାଉସିଂ ଭଳି ସୁବିଧା ମିଳିଥାଏ। ଏହା ବ୍ୟତୀତ ଯେତେବେଳେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥାଏ, ଏହାପରେ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ପେନ୍ସନ ମିଳିଥାଏ। ମାସିକ ବେତନ ସହ ଅନେକ ପ୍ରକାର ଭତ୍ତା ମଧ୍ୟ ଲାଭ କରିବେ। ରାଷ୍ଟ୍ରପତିଙ୍କ ସ୍ୱାମୀ କିମ୍ବା ପତ୍ନୀଙ୍କୁ ସେକ୍ରେଟାରିଆଲ ସହାୟତା ମାସିକ ୩୦ ହଜାର ଟଙ୍କା ଦିଆଯାଇଥାଏ। ମାଗଣା ଘର ଓ ଡାକ୍ତରୀ ସେବା ସହ ଅଫିସ କାର୍ଯ୍ୟ ପାଇଁ ବାର୍ଷିକ ଏକ ଲକ୍ଷ ଟଙ୍କା ମିଳିଥାଏ। ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ଭବନ ହେବ ଦ୍ରୌପଦୀ ମୁର୍ମୁଙ୍କୁ ନୂଆ ଠିକଣା। ୨ଲକ୍ଷ ବର୍ଗ ଫୁଟ ରାଷ୍ଟ୍ରପତି ଭବନରେ ରହିଛି ୩୪୦ ରୁମ୍। ଅବସର ବିନୋଦନ ପାଇଁ ଛୁଟି କଟାଇବାକୁ ନୂଆଦିଲ୍ଲୀ ବ୍ୟତୀତ ଅନ୍ୟ ୨ଟି ସ୍ଥାନରେ ରାଷ୍ଟ୍ରପତିଙ୍କ ଆବାସ ରହିଛି। ସିମଲାର ମର୍ସୋବା ଓ ହାଇଦ୍ରାବାଦର ବୋଲାରାମ ଠାରେ ରହିଛି ରାଷ୍ଟ୍ରପତି ନିବାସ। ରେଳ ଓ ବିମାନରେ ବିଶ୍ୱର ଯେକୌଣସି ସ୍ଥାନକୁ ମାଗଣାରେ ଗସ୍ତ କରିପାରିବେ।

ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ଗାଡ଼ି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଯାତାୟତ ପାଇଁ କଷ୍ଟମ ବିଲ୍‌ଟ୍ ବ୍ଲାକ ମର୍ସିଡିଜ ବେଞ୍ଜ ଏସ ୬୦୦ ପୁଲମାନ ଗାର୍ଡ ଗାଡି ବ୍ୟବହାର ହୋଇଥାଏ। ଏହା ସହ ସରକାରୀ ଗସ୍ତ ପାଇଁ ସଶସ୍ତ୍ର ସୁରକ୍ଷା ଯୁକ୍ତ ଲିମୋସିନ ଗାଡ଼ି ବ୍ୟବହାର ହୋଇଥାଏ। ସୁରକ୍ଷା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିଲାଗି ରାଷ୍ଟ୍ରପତିଙ୍କ ଗାଡ଼ି ନିର୍ମାତା, ମଡେଲ ଓ ପଞ୍ଜୀକରଣ ନମ୍ବର ଗୋପନ ରଖାଯାଏ। କାରରେ ଲାଇସେନ୍ସ ପ୍ଲେଟ ବଦଳରେ ରହିଥାଏ ଜାତୀୟ ଚିହ୍ନ।

ଅବସର ପରେ ମାସିକ ଦେଢଲକ୍ଷ ଟଙ୍କା ପେନସନ ପାଇବେ ରାଷ୍ଟ୍ରପତି। ଏହାସହ ଅବସରକାଳୀନ ଅନେକ ସୁବିଧାସୁଯୋଗ ପାଇଥାନ୍ତି। ବିନାଭଡ଼ାରେ ଉନ୍ନତ ରୁଚିପୂର୍ଣ୍ଣ ବଙ୍ଗଳା ସହ ଦୁଇଟି ଲ୍ୟାଣ୍ଡଲାଇନ ଓ ଗୋଟିଏ ମୋବାଇଲ ଫୋନ ମିଳିଥାଏ। ବ୍ୟକ୍ତିଗତ ସହାୟକ ମଧ୍ୟ ଯୋଗାଇ ଦିଆଯାଇଥାଏ। ଏହା ସହ ଜଣେ ସହଯାତ୍ରୀଙ୍କ ସହ ଟ୍ରେନ ଓ ବିମାନରେ ମାଗଣାରେ ଯାତ୍ରା କରିବାର ସୁଯୋଗ ପାଇଥାନ୍ତି।

ଦ୍ରୌପଦୀ ମୁର୍ମୁ, ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଜନେତା, ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିବା ଏହି ମହିୟସୀ ମହିଳା ରାଷ୍ଟ୍ରପତି ଭାବେ ବହୁ କ୍ଷେତ୍ରରେ ପ୍ରଥମର ଅଧିକାରୀ। ଦେଶର ସର୍ବୋଚ୍ଚ ପଦର ଅଧିକାରୀ ହେବାରେ ପ୍ରଥମ ଆଦିବାସୀ ମହିଳା। ରାଷ୍ଟ୍ରପତି ପଦରେ ସ୍ୱାଧିନ ଭାରତରେ ଜନ୍ମଗ୍ରହଣ କରି ଦାୟିତ୍ୱ ନେବାରେ ପ୍ରଥମ। ପୂର୍ବରୁ ସମସ୍ତ ରାଷ୍ଟ୍ରପତି ସ୍ୱାଧିନତା ପୂର୍ବରୁ ଜନ୍ମଗ୍ରହଣ କରିଛନ୍ତି। ଦ୍ରୌପଦୀ ସର୍ବକନିଷ୍ଠ ରାଷ୍ଟ୍ରପତି ହେବାର ମଧ୍ୟ ଅଧିକାରିଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.