ଅମାନିଆଙ୍କୁ ନିଆରା ଦଣ୍ଡ : ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିଲେ କରିବେ ଅଳିଆ ସଫା

ଛତିଶଗଡରେ ବଢୁଥିବା ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଦୁର୍ଗ ପୋଲିସ କ୍ରମାଗତ ଭାବରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଦୁର୍ଗ ଏସପି ଅଭିଷେକ ପାଲ୍ଲାଭ ନିଜେ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି, ଯିଏ ନିଜେ ଲୋକମାନଙ୍କୁ ଯାଞ୍ଚ କରୁଛନ୍ତି। ଏହି ଅଭିଯାନରେ ପୋଲିସ ଏକ ନୂତନ ପରୀକ୍ଷଣ କରିଛି।ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ଏବଂ ଫାଇନ ଦେବା ପାଇଁ ଟଙ୍କା ନାହିଁ, ତେବେ ସେମାନେ ରାସ୍ତାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଦୁର୍ଗ ପୋଲିସ ପଦକ୍ଷେପ ନେଇଛି। ଏହା ପଛରେ ଥିବା ଦୁର୍ଗ ପୋଲିସର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି ହେବ ସହିତ ସହରର ମଇଳା ମଧ୍ୟ ସଫା ହୋଇଯିବ।

ଏପରି ଅଭିଯାନ ଆରମ୍ଭ କରି ଲୋକଙ୍କୁ ବାଧ୍ୟତାମୂଳକ ଭାବେ ହେଲମେଟ ପିନ୍ଧିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ପାଇଁ ଦୁର୍ଗ ପୋଲିସ ପ୍ରକ୍ରିୟା ଜାରି ରଖିଛି। ସୋମବାର ସନ୍ଧ୍ୟାରେ ଛତିଶଗଡ଼ ଭିଲାଇ ଟାଉନସିପରେ ଥିବା ଗ୍ଲୋବ ଛକରେ ଶହ ଶହ ଲୋକ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ପୁରୁଷ ଠାରୁ ମହିଳା ସମସ୍ତେ ଲାଗିଥିଲେ ସଫେଇ କାମରେ । ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଛିଡ଼ା ହୋଇ କାମର ତଦାରଖ କରୁଥିଲେ । ଲୋକଙ୍କୁ ବୁଝାଇ ବୁଝାଇ ଥକିଯିବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଶିକ୍ଷା ଦେବା ତଥା ସଚେତନ କରିବା ପାଇଁ ଦୁର୍ଗ ପୋଲିସ ଏପରି ବିକଳ୍ପ ଦେଇଥିଲା । ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା । ଅମାନିଆ ହେଲେ ଚାଲାଣ କାଟ ନହେଲେ ସଫେରେ ସାମିଲ ହୁଅ । ଏହି କାର୍ଯ୍ୟରେ, ସାତ ଶହରୁ ଅଧିକ ଲୋକ ନିୟୋଜିତ ହୋଇଥିଲେ।ଯେଉଁମାନେ ହେଲମେଟ ପିନ୍ଧିନଥିଲେ।

ତେବେ ଏନେଇ ପୋଲିସ୍ ପକ୍ଷରୁ କୁହାଯାଇଛି, ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଏପରି ପଦକ୍ଷେପ ନେଇଛି । ଆଇନ୍‌ର ଉଦ୍ଦେଶ୍ୟ କେବଳ କଠୋର ହେବା ନୁହେଁ ବରଂ ଲୋକଙ୍କୁ ସଚେତନ କରାଇବା । ସେଥିପାଇଁ ଏପରି ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ମାସ ପାଇଁ ସହରର ବିଭିନ୍ନ ସ୍ଥାନରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.