IIT କାନପୁର ତିଆରି କଲା ୪ କିଲୋର ହେଲିକାପ୍ଟର, ବରଫାବୃତ୍ତ ଏବଂ ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ବି ଖୋଜି ବାହାର କରିପାରିବ ଶତ୍ରୁ

IIT କାନପୁର ଏବେ ଏକ ନୂଆ ଜିନିଷ ତିଆରି କରିଛି। ଏହା ଏମିତି ଏକ ହେଲିକାପ୍ଟର ବନାଇଛି, ଯାହା ସାହାଯ୍ୟରେ ସେନାର କୌଣସି ବି କଠିନ ମିଶନକୁ ସହଜରେ ପୂରଣ କରାଯାଇପାରିବ। ଭାରତୀୟ ସେନାକୁ ଧ୍ୟାନରେ ରଖି ଏହି ହେଲିକାପ୍ଟର ନିର୍ମାଣ କରାଯାଇଛି। ଏହାସହିତ ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ ଏହାକୁ ପ୍ରୟୋଗ କରି ରେସ୍‌କ୍ୟୁ କରାଯାଇପାରିବ। ହେଲିକାପ୍ଟରର ସବୁଠାରୁ ବଡ଼ ଖାସ୍‌ କଥା ହେଉଛି, ଏହାର ଓଜନ ମାତ୍ର ୪ କିଲୋ। ସୂଚନା ମୁତାବକ, IIT ଇଞ୍ଜିନିୟରିଂ ବିଭାଗର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଅଭିଷେକଙ୍କ ତତ୍ତ୍ୱାବଧାନରେ ଏହାକୁ ତିଆରି କରାଯାଇଛି।

ବେଙ୍ଗାଲୁରୁରେ ଆୟୋଜନ ହେବାକୁ ଥିବା ଏସିଆର ସବୁଠାରୁ ବଡ଼ ଶୋ’ ‘ଏଇରୋ ଇଣ୍ଡିଆ ୨୦୨୧’ରେ IIT କାନପୁରର ଷ୍ଟାର୍ଟଅପ୍‌ ଇଣ୍ଡୋରଏୟାର ହେଲିକାପ୍ଟର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ। ଏହି ହେଲିକାପ୍ଟରରେ ବିଶେଷ କ୍ୟାମେରା ଲଗାଯାଇଛି, ଯାହା ସେନ୍ସର ସହିତ ସଂଯୁକ୍ତ ରହିଛି।

ପ୍ରଫେସରଙ୍କ କହିବା ଅନୁଯାୟୀ, ଏହା ୧୫ କିମି ଦୂରରୁ ଭିଡିଓ ଡାଟା ସହଜରେ ପଠାଇ ପାରିବ। ଏଥିରେ କ୍ରାଉଡ୍‌ ମନିଟରିଂ ପାଇଁ ମଧ୍ୟ ସେନ୍ସର ଲଗାଯାଇଛି। ଏହି ହେଲିକାପ୍ଟର ଅନ୍ୟ ଭଳି ଲ୍ୟାଣ୍ଡିଂ କି ଟେକ୍‌ଅଫ୍‌ କରିବ ନାହିଁ। ଭର୍ଟିକାଲ ଟେକ୍‌ଅଫ ଏବଂ ଲ୍ୟାଣ୍ଡିଂ କରି କୌଣସି ବି ସ୍ଥାନରୁ ସହଜରେ ଉଡ଼ାଣ ଭରି ପାରିବ। ଏହା ମାଇନସ୍‌ ୨୦ରୁ ୫୦ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ କାମ କରିବ। ଏପରି କି, ଏହାକୁ ଲେହ ଲଦାଖରୁ ନେଇ ଅରୁଣାଞ୍ଚଳର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ବି ସହଜରେ ଉପଯୋଗ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.