ଟାଇଟଲ୍ ଟକ୍କରରେ ପୁଣି ଚମକିଲେ ବୟଜ୍ ଇନ୍ ବ୍ଲୁ, ୪ ଓ୍ବିକେଟରେ ହାରି ଇଂଲଣ୍ଡର ବିଜୟ ସ୍ବପ୍ନ ଚୁରମାର୍

କେନ୍ୟୁଜ୍(ବ୍ୟୁରୋ): ରେକର୍ଡ ପଞ୍ଚମ ଥର ପାଇଁ ଅଣ୍ଡର-19 କ୍ରିକେଟ ବିଶ୍ବକପ୍ ଟ୍ରଫି ହାତେଇଲା ଭାରତ । ଫାଇନାଲ ଫାଇଟରେ ଇଂଲଣ୍ଡକୁ ୪ ଓ୍ବିକେଟରେ ପରାସ୍ତ କରି ଅପରାଜେୟ ଭାବେ ଛଡାଇଆଣିଛି ଟାଇଟଲ୍। ଆଣ୍ଟିଗୁଆର ସାର୍ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ପ୍ରତିଟି ବିଭାଗରେ ଭାରୀ ପଡ଼ିଥିଲେ ବୟଜ୍ ଇନ୍ ବ୍ଲୁ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୪ ଓଭର ୫ଟି ବଲରେ ୧୮୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟକୁ ସାମ୍ନା କରିନପାରି ଦଳ ୯୧ ରନରେ ଫୋପାଡ଼ି ସାରିଥିଲା ୭ ଓ୍ବିକେଟ୍। କିନ୍ତୁ ଗୋଟିଏ ପଟେ ଜେମ୍ସ ରିଉଙ୍କ ଧୈର୍ଯ୍ୟପୂର୍ଣ୍ଣ ୯୫ ରନ୍ ଇଂଲଣ୍ଡ ପାଇଁ ଏକ ସମ୍ମାନଜନକ ଲଢ଼େଇର ଆଶା ଜାଗ୍ରତ କରାଇଥିଲା । ଭାରତର ଦୁଇ ବୋଲର୍ ରାଜ୍ ବାଓ୍ବା ୫ଟି ଓ ରବି କୁମାର ୪ଟି ଓ୍ବିକେଟ୍ ଅକ୍ତିଆର କରି ଇଂଲଣ୍ଡର ଟାଇଟଲ୍ ଆଶାରେ ପାଣି ପକାଇଦେଇଥିଲେ ।

ସେପଟେ ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ୪୭ ଓଭର ୪ଟି ବଲରେ ଜିତିନେଇଛି ଫାଇନାଲ ଲଢ଼େଇ । ଭାରତ ପକ୍ଷରୁ ନିଶାନ୍ତ ସିନ୍ଧୁ ଖେଳିଛନ୍ତି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ। ସେହିପରି ଫାଷ୍ଟ ଡାଉନରେ ଖେଳିଥିବା ସେକ୍ ରସିଦଙ୍କ ୮୪ ବଲରୁ ୫୦ ରନର ଯୋଗଦାନ ଦଳକୁ ଏକ ଭଲ ମୂଳଦୁଆ ଦେଇଥିଲା । ଯଦିଓ ଓପନର୍ ରଘୁବଂଶୀ ଓ ହରନୁର୍ ଦଳ ପାଇଁ ପ୍ରାରମ୍ଭିକ ବଳ ଯୋଗାଇପାରିନଥିଲେ କିନ୍ତୁ ବୋଲିଂ ଭଳି ବ୍ୟାଟିଂରେ ବି ଧୈର୍ଯ୍ୟପୂର୍ଣ୍ଣ ୩୫ ରନ୍ ଯୋଡି ରାଜ୍ ବାଓ୍ବା ହାତେଇଛନ୍ତି ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟ୍ରଫି। ଦିନେଶ ବାନା ବିଜୟସୂଚକ ଛକା ମାରି ଟାଇଟଲ୍ ସିଲ୍ କରିଥିଲେ ।

ପୂର୍ବରୁ ୨୦୦୦, ୨୦୦୮, ୨୦୧୨, ୨୦୧୮ ମସିହାରେ ମହମ୍ମଦ କୈଫ୍, ବିରାଟ କୋହଲି, ଉନ୍ମୁକ୍ତ ଚାନ୍ଦ, ପୃଥ୍ବୀ ସ’ଙ୍କ ନେତୃତ୍ୱରେ ୪ ଥର ବିଶ୍ବ ବିଜୟୀ ହୋଇଥିଲା ଇଣ୍ଡିଆ ଅଣ୍ଡର-19 ଟିମ୍। ଏଥର ଗୋଲଡେନ ବୟମାନଙ୍କ ନେତୃତ୍ବ ନେଉଥିଲେ ୟଶ୍ ଧୁଲ୍। ଏହି ବିଜୟ ପରେ ସର୍ବାଧିକ ୫ଥର ଟାଇଟଲ୍ ହାତେଇଥିବା ଟିମ୍ ଇଣ୍ଡିଆକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ।