ମଣିଷ ମୃତ୍ୟୁ ପରେ ଆତ୍ମା ରହେ ନାହିଁ ବୋଲି ଦାବି କଲେ ବୈଜ୍ଞାନିକ

ମୃତ୍ୟୁ ପରେ ଆତ୍ମା ଅମର । ଆତ୍ମାର ମୃତ୍ୟୁ ନାହିଁ । ଏକଥା ଆମେ ଶୁଣିଛେ ଆଉ ଜାଣିଛେ । କିନ୍ତୁ ସତ କଣ ତାହା ତ କାହାକୁ ବି ଜଣାନାହିଁ । ଏହାକୁ ନେଇ ଏବେବି ବିବାଦ ଚାଲିଛି । କୁହାଯାଏ କି ନିଜେ ମଲେ ସ୍ୱର୍ଗ ଦେଖିବ । ସେମିତିରେ ବି ଯାହା ଶୁଣା କଥା ତାକୁ ହିଁ ବିଶ୍ୱାସ କରିଥାନ୍ତି ଆମେ ।

ଯଦି କୌଣସି ଜିନିଷ ଦୁନିଆରେ ଜନ୍ମ ହୁଏ ତେବେ ଏହା ନଷ୍ଟ ହେବା ବି ସୁନିଶ୍ଚିତ । ଯେମିତି ଜଣେ ବ୍ୟକ୍ତି ଜନ୍ମ ନେଇଥାଏ ସେମିତି ତାର ମୃତ୍ୟୁ ସମୟ ବି ସ୍ଥିର ହୋଇଥାଏ । ତଥାପି ଜୀବନ ମୃତ୍ୟୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ସେ ସବୁ ଭିତରେ ରହିଥାଏ ଅନେକ ବିଶ୍ୱାସ ଭରା ମତାମତ । ଦୁନିଆରେ ପ୍ରତ୍ୟେକ ଧର୍ମରେ ମୃତ୍ୟୁ ପରର ପରିସ୍ଥିତିକୁ ବର୍ଣ୍ଣନା କରାଯାଇଛି । ତଥାପି ଏହାକୁ ନେଇ ଆଧ୍ୟାତ୍ମିକତା ଓ ବିଜ୍ଞାନ ମଧ୍ୟରେ ସବୁବେଳେ ମତଭେଦ ରହି ଆସିଛି ।

ଜୀବନ ଏବଂ ମୃତ୍ୟୁ ବିଷୟରେ କସ୍ମୋଲୋଜିଷ୍ଟ ଡକ୍ଟର ସିନ କେରୋଲ ଏକ ଦାବି କରିଛନ୍ତି । ତାଙ୍କ ଅନୁଯାୟୀ ଯଦି ବିଜ୍ଞାନର ନିୟମ ଅନୁସାରେ ସବୁକିଛି ଘଟେ ତେବେ ପଦାର୍ଥ ବିଜ୍ଞାନରେ ଏହା କେବେବି ସମ୍ଭବ ନୁହେଁ ଯେ ମଣିଷର ମୃତ୍ୟୁ ପରେ କୌଣସି ଜୀବନ ସମ୍ଭବ ହୋଇପାରେ । ପ୍ରଫେସର କାରୋଲ ତାଙ୍କ ଜୀବନର ଅଧିକାଂଶ ସମୟ ପଦାର୍ଥ ବିଜ୍ଞାନରେ ଅତିବାହିତ କରିଛନ୍ତି । ପ୍ରଫେସର ତାଙ୍କ ଗବେଷଣା ଆଧାରରେ ବାଖ୍ୟା କରିଛନ୍ତି କି ଯଦି ଜଣେ ବ୍ୟକ୍ତି ମରିଯାଏ ତେବେ ତାଙ୍କ ଚେତନା ଏ ବ୍ରହ୍ମାଣ୍ଡରେ ରହି ପାରିବ ନାହିଁ ।

ସେ ଲେଖିଛନ୍ତି, ଧାର୍ମିକ ବିଶ୍ୱାସ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆତ୍ମା ଏହି ପରିବେଶରେ କୌଣସି ରୂପରେ ଉପସ୍ଥିତ ଥାଏ ବୋଲି ଦାବି କରାଯାଇଛି । କିନ୍ତୁ ବର୍ତ୍ତମାନ ଯଦି ଆମେ ବିଜ୍ଞାନକୁ ବିଶ୍ୱାସ କରି ପଦାର୍ଥ ବିଜ୍ଞାନର ନିୟମ ଆଧାରରେ ଜୀବନକୁ ବୁଝିବା ତେବେ ମୃତ୍ୟୁ ପରେ ଆମ ମନରେ ଉପସ୍ଥିତ ଥିବା ତଥ୍ୟକୁ ବଜାୟ ରଖିବା ପାଇଁ କୌଣସି ଉପାୟ ନାହିଁ । ତଥାପି ସମସ୍ତ ବୈଜ୍ଞାନିକ, ପ୍ରଫେସର କାରୋଲଙ୍କ ଦୃଷ୍ଟିକୋଣକୁ ସମର୍ଥନ କରନ୍ତି ନାହିଁ । ସେ କହିଛନ୍ତି ଯେ ମାନବ ମସ୍ତିଷ୍କର ଅଧିକ ଗବେଷଣା ଆବଶ୍ୟକ ।

ବର୍ତ୍ତମାନ ଯେହେତୁ ଧାର୍ମିକ ବିଶ୍ୱାସ ଉପରେ ଆସ୍ଥା ରହିଛି ତଥାପି କିନ୍ତୁ ବିଜ୍ଞାନରେ ଆତ୍ମାକୁ ନେଇ ସମ୍ପୂର୍ଣ୍ଣ ବିପରୀତ ମତ ଅଛି । ଧର୍ମରେ ଆତ୍ମା ଅମର ବୋଲି ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ପ୍ରଫେସର କାରୋଲଙ୍କ ଏହି ଦାବି ବିବାଦ ସୃଷ୍ଟି କରିବାକୁ ଯାଉଛି । ଦୁନିଆର ପ୍ରତ୍ୟେକ ଧର୍ମ କୌଣସି ରୂପରେ ପ୍ରାଣର ଅସ୍ତିତ୍ୱକୁ ସୂଚିତ କରେ । ପ୍ରଫେସର କାରୋଲ କହିଛନ୍ତି ଯେ ସେ ଭଗବାନଙ୍କୁ ବିଶ୍ୱାସ ନକରିବାକୁ କୁହନ୍ତି ନାହିଁ । କିନ୍ତୁ ଏପ୍ରସଙ୍ଗରେ ବିଜ୍ଞାନର ନିଜସ୍ୱ ଯୁକ୍ତି ଅଛି ।

ତେବେ କେଉଁ ଅନାଦି କାଳରୁ ଏମିତି ଚାଲିଛି । ଆଧ୍ୟାତ୍ମିକତା ଆଉ ବିଜ୍ଞାନ ମଧ୍ୟରେ ଯେତେ ବି ମତଭେଦ ହେଉ ବା ବିଭିନ୍ନ କଥା ସାମନାକୁ ଆସୁ ସେସବୁକୁ ଏ କ୍ଷେତ୍ରରେ ବିଶ୍ୱାସକୁ ନେବା ନିଶ୍ଚୟ କଷ୍ଟସାଧ୍ୟ । ଆମର ହିନ୍ଦୁ ଧର୍ମରେ ରହିଛି କି ଆତ୍ମା ଅମର, ଏହାର ବିନାଶ ହୁଏ ନାହିଁ । ଜୀବନ ଥିବା ପ୍ରାଣୀର ଶରୀର ସିନା ନଷ୍ଟ ହୁଏ ହେଲେ ଆତ୍ମା ନଷ୍ଟ ହୁଏନାହିଁ । ଏହା କେବଳ ଶରୀର ବଦଳାଏ । ବିଭିନ୍ନ ଧର୍ମ ସହ ସକ୍ରେଟିସ୍‌, ପ୍ଲୁଟୋ ଏବଂ ଅଗଷ୍ଟିନ୍‌ଙ୍କ ଭଳି ଦାର୍ଶନିକ ମଧ୍ୟ ଆତ୍ମା ଅଛି ବୋଲି ମାନିଛନ୍ତି । ସକ୍ରେଟିସ୍‌ ଏକଥା ମଧ୍ୟ କହିଛନ୍ତି କି ମୃତ୍ୟୁ ପରେ ସବୁ କିଛି ଶେଷ ହୋଇ ଯାଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.