ପୁରୀ ଜଗନ୍ନାଥ ମନ୍ଦିର ସହ ଏମିତି କିଛି ରହସ୍ୟ, ଯେଉଁଠି ହନୁମାନଜୀଙ୍କୁ ସମୁଦ୍ର କୂଳରେ ବାନ୍ଧି ଦିଆଯାଇଛି

ଓଡ଼ିଶାର ପୁରୀ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଏମିତି ବହୁ ରହସ୍ୟ ରହିଛି ଯାହାକୁ ବିଜ୍ଞାନ ବି ଭେଦ କରିପାରିନାହିଁ । ଏହି ମନ୍ଦିର ସହ ଯୋଡି ହୋଇ ରହିଛି ଏମିତି ବି ଏକ କଥା । ଯେଉଁଠି ସମୁଦ୍ର କୂଳରେ ଜଗନ୍ନାଥଙ୍କ ପ୍ରିୟ ଭକ୍ତ ହନୁମାନଙ୍କୁ ବାନ୍ଧି ଦିଆଯାଇଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ ପୁରାଣ ବର୍ଣ୍ଣିତ ଏକ କଥା ।

ପୁରୀ ମନ୍ଦିରରେ ଭଗବାନ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ ହୋଇଛନ୍ତି । ଏହି ଶ୍ରୀଜିଉମାନେ ମାଟି କିମ୍ବା ପଥରରେ ନିର୍ମିତ ହୋଇ ନାହାଁନ୍ତି । ନିମ୍ବ ଦାରୁରେ ନିର୍ମିତ ହୋଇଛନ୍ତି ଶ୍ରୀଜିଉମାନେ । ୧୨ ବର୍ଷ ପରେ ଶ୍ରୀଜିଉଙ୍କ ନବକଳେବର ହୁଏ । ଏହି ସମୟରେ ଶ୍ରୀଜିଉମାନେ ଘଟ ପରିବର୍ତ୍ତନ କରନ୍ତି ଓ ନୂତନ ଦାରୁରେ ନିର୍ମିତ ହୁଅନ୍ତି ।

sea
photo credit: ixigo

ପୌରାଣିକ ତଥ୍ୟ ଅନୁଯାୟୀ ଯେତେବେଳେ ପୁରୀ ମନ୍ଦରରେ ଶ୍ରୀଜିଉମାନେ ସ୍ଥାପିତ ହେଲେ,ସେତେବେଳେ ଭଗବାନଙ୍କ ଦର୍ଶନ ପାଇଁ ସମୁଦ୍ର ଦେବଙ୍କର ମଧ୍ୟ ଅଭିଳାସା ହେଲା । ପ୍ରଭୁଙ୍କ ଦର୍ଶନ ପାଇଁ ସମୁଦ୍ର କେତେଥର ମନ୍ଦିର ଭିତରେ ପ୍ରବେଶ କଲେ । ଏହାଦ୍ୱାରା ମନ୍ଦିରର ବହୁତ କ୍ଷତି ହେଲା । ସମୁଦ୍ର ଏପରି ଧୃଷ୍ଟତା ୩ ଥର କରିବା ପରେ ଭକ୍ତମାନେ ଏଥିରୁ ରକ୍ଷା ପାଇବା ପାଇଁ ଶ୍ରୀଜଗନ୍ନାଥଙ୍କୁ ଗୁହାରି କଲେ ।

ତା’ପରେ ଶ୍ରୀଜଗନ୍ନାଥ ସମୁଦ୍ରକୁ ନିୟନ୍ତ୍ରିତ କରିବା ପାଇଁ ହନୁମାନଙ୍କୁ ପଠାଇଲେ । ପବନସୂତ ହନୁମାନଜୀ ସମୁଦ୍ରକୁ ବାନ୍ଧି ଦେଲେ । ଏହି କାରଣରୁ ପୁରୀ ସମୁଦ୍ର ସର୍ବଦା ଶାନ୍ତ ରହିଥାଏ । କେବେ ଏହା କୂଳ ଲଂଘେନାହିଁ । ହେଲେ ସମୁଦ୍ର ମଧ୍ୟ ଏକ ଚାଲାକି କଲେ । ସେ ହନୁମାନଙ୍କୁ କହିଲେ ଯେ ତୁମେ କେମିତିକା ପ୍ରଭୁ ଭକ୍ତ ଯେ କେବେ ପ୍ରଭୁଙ୍କ ଦର୍ଶନ ପାଇଁ ଯାଉ ନାହଁ ।

ତା’ପରେ ହନୁମାନ ଭାବିଲେ ‘ବହୁତ ଦିନ ହୋଇଗଲାଣି, ଚାଲ ଭଗବାନଙ୍କ ଦର୍ଶନ କରି ଆସିବା ।’ ଯେତେବେଳେ ହନୁମାନଜୀ ଭଗବାନଙ୍କ ଦର୍ଶନ ପାଇଁ ବାହାରିଲେ ତ ତାଙ୍କ ପଛେ ପଛେ ସମୁଦ୍ର ମଧ୍ୟ ଚାଲିଲେ ।

ଏହିଭଳି ଯେବେ ଯେବେ ହନୁମାନଜୀ ମନ୍ଦିର ଗଲେ ତାଙ୍କ ପଛେ ପଛେ ସମୁଦ୍ର ମଧ୍ୟ ଚାଲିଲେ । ଏହାଦ୍ୱାରା ମନ୍ଦିରର ପୁଣି କ୍ଷତି ହେଲା । ତ’ପରେ ଶ୍ରୀଜଗନ୍ନାଥ ହନୁମାନଙ୍କ ଏଭଳି କାର୍ଯ୍ୟରେ ବ୍ୟସ୍ତ ହୋଇପଡିଲେ ଓ ହନୁମାନଜୀଙ୍କୁ ସୁନାର ଶଙ୍କୁଳିରେ ସମୁଦ୍ର କୂଳରେ ବାନ୍ଧିଦେଲେ । ସେବେଠାରୁ ଆଉ ସମୁଦ୍ର କୂଳ ଲଂଘି ମନ୍ଦିରରେ ପ୍ରବେଶ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.