Below header

ହ୍ଵାଇଟ୍‌ ହାଉସ୍‌ରେ ଜୋ ବାଇଡେନ୍‌ଙ୍କ କୁକୁରର ଆତଙ୍କ, ଗୋଟିଏ ମାସରେ କାମୁଡ଼ିଲାଣି ଦୁଇ ଜଣଙ୍କୁ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର କୁକୁର ପ୍ରତି ବହୁତ ସଉକ ରହିଛି। କିନ୍ତୁ ଏହି ସଉକ ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ହେବାକୁ ଯାଉଛି। ଜୋ ବାଇଡେନ୍‌ଙ୍କ କୁକୁର ‘ମେଜର’ ହ୍ଵାଇଟ୍‌ ହାଉସ୍‌ରେ ପୁଣିଥରେ ଜଣଙ୍କୁ କାମୁଡ଼ି ଦେଇଛି। ନ୍ୟାଶନାଲ ପାର୍କ ସର୍ଭିସର ଜଣେ କର୍ମଚାରୀଙ୍କୁ ମେଜର ନିଜ ଶିକାର ବନାଇଛି। ହ୍ଵାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ କାମ କରୁଥିବା ଏହି କର୍ମଚାରୀଙ୍କୁ ମେଜର କାମୁଡ଼ି ଦେଇଥିବା ଜଣାପଡ଼ିଛି।

କୁକୁର କାମୁଡ଼ାରେ ଆହତ କର୍ମଚାରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହ୍ଵାଇଟ୍‌ ହାଉସ୍‌ ମେଡିକାଲ ୟୁନିଟରେ ଏହି କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି। ଏହି ମାମଲାରେ ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ ବାଇଡେନ୍‌ଙ୍କ ମିଡିଆ ସଚିବ ମିଶେଲ ଲା ରୋସାଙ୍କ ବୟାନ ସାମ୍ନାକୁ ଆସିଛି। ମିଶେଲ କହିଛନ୍ତି, ଏହି କୁକୁର ବର୍ତ୍ତମାନ ହ୍ଵାଇଟ୍‌ ହାଉସ୍‌ରେ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଛି।

ସେ କହିଛନ୍ତି, ବାଇଡେନ୍‌ଙ୍କ କୁକୁର ଓ୍ଵାକ୍‌ ପାଇଁ ବାହାରିଥିଲା। ଏହି ସମୟରେ ସେ ଉକ୍ତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। କିନ୍ତୁ ବର୍ତ୍ତମାନ କର୍ମଚାରୀ ଜଣକ ଠିକ୍‌ ଅଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେ ମେଜର କାହାକୁ କାମୁଡ଼ିଛି। ପୂର୍ବରୁ ବି ସେ ୮ ମାର୍ଚ୍ଚରେ ଅନ୍ୟ ଜଣେ ସୁରକ୍ଷା ଅଧିକାରୀଙ୍କୁ ନିଜ ଶିକାର ବନାଇଥିଲା।

ସୂଚନା ମୁତାବକ, ଘଟଣା ଘଟିବା ସମୟରେ ଜୋ ବାଇଡେନ୍‌ ହ୍ଵାଇଟ୍‌ ହାଉସ୍‌ରେ ଉପସ୍ଥିତ ନ ଥିଲେ। ସେ ପତ୍ନୀଙ୍କ ସହିତ ଭିଏତ୍‌ନାମ ଭେଟେରାନ୍ସ ମେମୋରିଆଲ୍‌ ଯାଇଥିଲେ। ବାଇଡେନ୍‌ଙ୍କ ପାଖରେ ଦୁଇଟି ଜର୍ମାନ ଶେଫର୍ଡ କୁକୁର ‘ମେଜର’ ଓ ‘ଚ୍ୟାମ୍ପ୍‌’ ଅଛନ୍ତି। ୨୦୦୮ ନିର୍ବାଚନ ପରେ ସେ ନିଜ ପ୍ରଥମ କୁକୁର ‘ଚ୍ୟାମ୍ପ୍‌’କୁ ଘରକୁ ଆଣିଥିଲେ। ଏହାପରେ ୨୦୧୮ରେ ଦ୍ୱିତୀୟ କୁକୁର ‘ମେଜର’କୁ ଆଡପ୍ଟ କରିଥିଲେ।

କହି ରଖୁଛୁ, କୁକୁରମାନଙ୍କ ପ୍ରତି ଜୋ ବାଇଡେନ୍‌ଙ୍କର ବହୁତ ଭଲ ପାଇବା ରହିଛି। ୨୦୨୦ ନଭେମ୍ବରରେ ଏହି କୁକୁରମାନଙ୍କ ସହିତ ହିଁ ଖେଳିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ଡାହାଣ ଗୋଡ଼ ହାଡ଼ରେ ଫାଟ ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ତାଙ୍କ ସୁସ୍ଥତା ନେଇ କାମନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.