ଇଶାନ୍‌ କିଶାନ୍‌ଙ୍କ ପ୍ରେମ କିଏ ଜାଣନ୍ତି କି, ତାଙ୍କ ଘର କେଉଁଠି ଜାଣିଛନ୍ତି ?

ବାଂଲାଦେଶ ସହ ଶନିବାର ଦିନ ମ୍ୟାଚ୍‌ରେ ଦ୍ରୁତତମ ଦ୍ୱିଶତକ ରେକର୍ଡ଼ କଲେ ଇଶାନ୍‌ କିଶନ । ଏଥିପାଇଁ ଅନେକ ପ୍ରଶଂସା ସାଉଣ୍ଟିଲେ । ଇଏ ତ ଗଲା ରେକର୍ଡ଼ର କଥା । ଆସନ୍ତୁ ଜାଣିବା ଏହି ଯୁବ ବ୍ୟାଟର ଇଶାନ କିଶାନଙ୍କ ବିଷୟରେ । ବୟସ ସିନା ମାତ୍ର ୨୪ ଓ ଆନ୍ତର୍ଜାତିକ କ୍ରିକେଟ୍‌ ବି ନୂଆ ହେଲେ ପ୍ରେମରେ ବେଶ୍‌ ଆଗରେ ଅଛନ୍ତି ଏହି ଖେଳାଳି । ତାଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ଅଦିତି ହୁଣ୍ଡିଆ । ଇଶାନ୍‌ ଦ୍ୱିଶତକ ମାରିବା ପରେ ଅଦିତି ଖୁସିରେ ଝୁମି ଉଠିଥିଲେ । ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ପ୍ରେମିକଙ୍କ ବ୍ୟାଟିଂ ବେଳର ଫଟୋ । ଏଥିରେ ସେ ଯେଉଁ ଇମୋଜି ଦେଇଥିଲେ ସେଥିରୁ ତାଙ୍କ ପ୍ରେମର ଝଲକ ଦେଖିବାକୁ ମିଳୁଥିଲା ।

ଅଦିତି ପେସାରେ ଜଣେ ମଡେଲ । ୨୦୧୯ରେ ଇଶାନ୍‌ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ । ସେତିକି ବେଳେ ଅଦିତି ମୁମ୍ବାଇ ଟିମ୍‌କୁ ଚିୟର କରିବାକୁ ଆସିଥିଲେ ଆଉ ଭେଟ ହୋଇଥିଲା ଇଶାନ୍‌ଙ୍କ ସହ । ଏହାପରେ ବୋଧହୁଏ ସେମାନଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା । ଅବଶ୍ୟ ଏଯାଏ କେହି ନିଜର ପ୍ରେମ ସମ୍ପର୍କରେ ଖୋଲିଖୋଲି ଭାବେ କିଛି କହି ନାହାନ୍ତି । ହେଲେ ଇଶନ୍‌ଙ୍କ ପ୍ରତ୍ୟେକ ସଫଳତା ପରେ ଅଦିତି ଏଭଳି ପୋଷ୍ଟ କରି ପରୋକ୍ଷରେ ତାଙ୍କ ସମ୍ପର୍କକୁ ଜଣାଇ ଦେଇଛନ୍ତି । ସେହିଭଳି ୨୫ ବର୍ଷ ବୟସ୍କା ଅଦିତିଙ୍କର ଇଶାନ୍‌ ଅନେକ ଫଟୋ ଉଠାଉଥିବାର ଦେଖା ଯାଇଛି । ଚଳିତ ବର୍ଷ ଆଇପିଏଲ୍‌ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ଇଶାନ୍‌ଙ୍କୁ ୧୫ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ଏହି ସମୟରେ ଅଦିତି ଏକ ପୋଷ୍ଟ କରି ‘ତୁମ ପାଇଁ ଗର୍ବିତ ଓ ଖୁସି’ ବୋଲି ଲେଖିଥିଲେ ।

ADITI-2

ମହେନ୍ଦ୍ର ସିଂହ ଧୋନିଙ୍କ ରାଜ୍ୟରୁ ଆସିଛନ୍ତି ଇଶାନ୍‌ କିଶନ୍‌ । ସେ ବି ଜଣେ ଓ୍ଵିକେଟ୍‌ କିପର । ତେବେ ବାମ ହାତରେ ବ୍ୟାଟିଂ କରନ୍ତି । ସେ ୧୯ ବର୍ଷରୁ କମ୍‌ ଭାରତୀୟ ଟିମ୍‌ରେ ବିଶ୍ୱକପ୍‌ ଖେଳିଛନ୍ତି । ଯେଉଁ ଟିମ୍‌ ରନର୍ସଅପ୍‌ ହୋଇଥିଲା । ତାଙ୍କର ଜନ୍ମ ୧୯୯୮ ମସିହା ଜୁଲାଇ ୧୮ ତାରିଖରେ । ପୂରା ନାଁ ହେଉଛି ଇଶାନ ପ୍ରଣବ କୁମାର ପାଣ୍ଡେ କିଶନ୍‌ । ହାଇଟ୍‌ ୫ ଫୁଟ ୬ ଇଞ୍ଚ । ତାଙ୍କ ବାପା ପ୍ରଣବ ପାଣ୍ଡେ ଜଣେ ବିଲଡର୍‌ । ସେ ପାଟନାରେ ରୁହନ୍ତି । ଇଶାନ୍‌ ମଧ୍ୟ ପାଟନାରେ ରହୁଥିଲେ । ତେବେ ବିହାର କ୍ରିକେଟ୍‌ ଆସୋସିଏସନ୍‌ର ରେଜିଷ୍ଟ୍ରେସନ୍‌କୁ ନେଇ ବିସିସିଆଇ ସହିତ ସମସ୍ୟା ଥିବାରୁ ଇଶାନ୍‌ ଝାଡ଼ଖଣ୍ଡରୁ ଖେଳୁଛନ୍ତି ।

୨୦୧୬ ନଭେମ୍ବର ୬ ତାରିଖରେ ଇଶାନ୍‌ ଦିଲ୍ଲୀ ବିପକ୍ଷ ରଣଜୀ ମ୍ୟାଚ୍‌ରେ ୨୭୩ ରନ୍‌ର ବିଶାଳ ଇନିଂସ୍‌ ଖେଳିଲେ । ଯାହା ଝାଡ଼ଖଣ୍ଡ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା । ୨୦୧୭-୧୮ରେ ସେ ୬ଟି ରଣଜୀ ମ୍ୟାଚ୍‌ ଖେଳି ସର୍ବାଧିକ ୪୮୪ ରନ୍‌ ସ୍କୋର କରିଥିଲେ । ୨୦୧୮ ଦେଓଧର ଟ୍ରଫିରେ ସେ ଇଣ୍ଡିଆ-ସି’ ଟିମ୍‌ର ଅଧିନାୟକ ମନୋନୀତ ହେଲେ । ଆଉ ଫଇନାଲ ମ୍ୟାଚ୍‌ରେ ଶତକ ମଧ୍ୟ ହାସଲ କରିଥିଲେ ।
ବିଭିନ୍ନ ଘରୋଇ ଟୁର୍ଣ୍ଣାମେଣ୍ଟ ହେଉ ଅବା ଆଇପିଏଲ୍‌ ସବୁଥିରେ ନିଜର ଜଲଓ୍ଵା ଦେଖାଇଛନ୍ତି ଇଶାନ୍‌ କିଶନ୍‌ । ତେବେ ୨୦୨୧ ଫେବ୍ରୁଆରୀରେ ତାଙ୍କୁ ସିନିୟର ଦଳରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଲା । ଇଂଲଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜ୍‌ ପାଇଁ ଦଳରେ ସାମିଲ ହେଲେ । ୨୦୨୧ ମାର୍ଚ୍ଚ ୧୪ ତାରିଖରେ ନିଜର ପ୍ରଥମ ମ୍ୟାଚ୍‌ରେ ସେ ୩୨ ବଲ୍‌ରୁ ୫୬ ରନ୍‌ କରି ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ବିବେଚିତ ହୋଇଥିଲେ ।

ଏହାପରେ ମଧ୍ୟ ତାଙ୍କର ଟି-୨୦ ଓ ଦିନିକିଆରେ ଚମତ୍କାର ବ୍ୟାଟିଂ ଜାରି ରହିଛି । ଶନିବାର ଦିନ ବାଂଲାଦେଶ ବିପକ୍ଷରେ ତାଙ୍କର ଦ୍ୱିଶତକ ବିଶ୍ୱ ରେକର୍ଡ଼ରେ ରହିଗଲା । ତା ସହିତ ସେ ଏହା ସ୍କୋର କରିବାରେ ହୋଇଛନ୍ତି ସର୍ବକନିଷ୍ଠ ଖେଳାଳି । ତାଙ୍କ ବୟସ ଏବେ ୨୪ ବର୍ଷ ୧୪୫ ଦିନ ।

ଦ୍ୱିଶତକ ପରେ ତାଙ୍କର ପ୍ରଶଂସାରେ ଶତମୁଖ କ୍ରିକେଟ୍‌ ପ୍ରେମୀ ଓ କ୍ରିକେଟ୍‌ ଖେଳାଳି । ଏସବୁ ଦେଖି ଇଶାନ୍‌ କହିଛନ୍ତି, ମୁଁ ଏତେ ଖୁସି ଯେ ତାକୁ ଭାଷାରେ ବର୍ଣ୍ଣନା କରି ପାରୁନାହିଁ । ଏଦିନଟି ମୋ ପାଇଁ ସାରା ଜୀବନ ଅଭୁଲା ହୋଇ ରହିଯିବ । ଭାରତୀୟ କ୍ରିକେଟ୍‌ର ସେ ଜଣେ ଉଜ୍ଜ୍ୱଳ ତାରକା ଏବଂ ଭବିଷ୍ୟତ ମଧ୍ୟ । ଏବେ ଦେଖିବାର କଥା ଇଶାନ୍‌ କିଶନ ଲମ୍ବା ରେସ୍‌ର ଘୋଡ଼ା ହେଉଛନ୍ତି ନା ବାଟରେ ଅଟକି ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.